Videos
|
National

Thai Woman Fraud Case / ଥାଇ ମହିଳାଙ୍କ ଠାରୁ ୬୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ଟଙ୍କା ଫେରସ୍ତ ପାଇଁ ଥାଇଲ୍ୟାଣ୍ଡରୁ ଆସିଲେ ଭାରତ

Bikash Mohanty
Browse all articles by Bikash Mohanty
·2 hours ago·2 min read
ଥାଇ ମହିଳାଙ୍କ ଠାରୁ ୬୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ଟଙ୍କା ଫେରସ୍ତ ପାଇଁ ଥାଇଲ୍ୟାଣ୍ଡରୁ ଆସିଲେ ଭାରତ
APSARN

Key Points

ପ୍ରେମ, ବିବାହ ଓ ପରେ ୬୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ
କାନପୁରର ବ୍ୟବସାୟୀ ଇରଫାନଙ୍କ ବିରୋଧରେ ଅଭିଯୋଗ
ମହିଳାଙ୍କ  ହ୍ୱାଟସଆପ୍ କଲ୍ ରେକର୍ଡିଂ ସାମ୍ନାକୁ ଆସିଛି
ଇରଫାନଙ୍କୁ ନିଜ ଟଙ୍କା ଫେରାଇବାକୁ ନିବେଦନ କରୁଛନ୍ତି 

କାନପୁର,୦୮/୧୦: ପ୍ରେମ, ବିବାହ ଓ ପରେ ୬୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ। କାନପୁରର ଜଣେ ବ୍ୟବସାୟୀଙ୍କ ବିରୋଧରେ ଜଣେ ଥାଇ ମହିଳା ଆଣିଛନ୍ତି ଅଭିଯୋଗ। ଏହି ଘଟଣାରେ ମହିଳାଙ୍କ ଏକ ହ୍ୱାଟସଆପ୍ କଲ୍ ରେକର୍ଡିଂ ସାମ୍ନାକୁ ଆସିଛି। ରେକର୍ଡିଂରେ ସେ ବ୍ୟବସାୟୀ ଇରଫାନଙ୍କୁ ନିଜ ଟଙ୍କା ଫେରାଇବାକୁ ନିବେଦନ କରୁଥିବା ଶୁଣାଯାଉଛି।

ମହିଳା ଜଣକ କହୁଛନ୍ତି, ତାଙ୍କ ଆର୍ଥିକ ସ୍ଥିତି ଏବେ ଖରାପ ଏବଂ ଖାଇବା ପାଇଁ ମଧ୍ୟ ତାଙ୍କ ପାଖରେ ଟଙ୍କା ନାହିଁ। ସେ ଇରଫାନଙ୍କୁ ନିଜର ୬୦ ଲକ୍ଷ ଟଙ୍କା ଫେରାଇ ଦେବାକୁ ଅନୁରୋଧ କରୁଛନ୍ତି। ଏହାର ଜବାବରେ ଇରଫାନ ଗ୍ରାହକଙ୍କଠାରୁ ପେମେଣ୍ଟ ମିଳିଲେ ଟଙ୍କା ଫେରାଇବେ ବୋଲି କହୁଥିବା ଶୁଣାଯାଉଛି।

ହ୍ୱାଟସଆପ୍ ରେକର୍ଡିଂରେ ଟଙ୍କା ଫେରସ୍ତ ନେଇ ତର୍କ

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଇରଫାନ ତାଙ୍କଠାରୁ ବହୁ ପରିମାଣର ଟଙ୍କା ନେଇଥିଲେ। ଏବେ ଟଙ୍କା ଫେରାଇବା ସମୟରେ ସେ ବିଭିନ୍ନ କାରଣ ଦର୍ଶାଇ ଏହାକୁ ଏଡ଼ାଇ ଯାଉଥିବା ମହିଳା ଅଭିଯୋଗ କରିଛନ୍ତି। ରେକର୍ଡିଂରେ ଇରଫାନ ନିଜ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଥିବା ଏବଂ ପୋଲିସ ଷ୍ଟେସନରେ ଥିବା କଥା କହୁଥିବା ମଧ୍ୟ ଶୁଣାଯାଉଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: କମ୍ ପଡ଼ିଲା ମଦ, ଆଉ ପିଇବାକୁ ଜିଦ୍‌ ଧରିଲା ସ୍ତ୍ରୀ, ତାପରେ...

ଥାଇଲ୍ୟାଣ୍ଡରୁ କାନପୁରକୁ ଅଭିଯୋଗ ନେଇ ପହଞ୍ଚିଲେ ମହିଳା

ସୂଚନା ଅନୁସାରେ, ଥାଇଲ୍ୟାଣ୍ଡର ଆପ୍ସର୍ଣ୍ଣ ନାମକ ଜଣେ ମହିଳା ମଙ୍ଗଳବାର ହଠାତ୍ କାନପୁରରେ ପହଞ୍ଚିଥିଲେ। ସେ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି କହିଥିଲେ ଯେ, ଇରଫାନ ତାଙ୍କୁ ମିଛ କହି ବିବାହ କରିଥିଲେ ଏବଂ ପରେ ତାଙ୍କଠାରୁ ୬୦ ଲକ୍ଷ ଟଙ୍କା ନେଇଥିଲେ। ଏବେ ସେ ତାଙ୍କଠାରୁ ଦୂରେଇ ଯାଉଥିବା ମହିଳା ଅଭିଯୋଗ କରିଛନ୍ତି। ମହିଳା ଜଣକ ଇରଫାନଙ୍କ ଉପରେ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଇବା ଏବଂ ତାଙ୍କୁ ଆକ୍ରମଣ କରିଥିବାର ମଧ୍ୟ ଅଭିଯୋଗ ଆଣିଛନ୍ତି। ଏହା ପରେ ପୋଲିସ ଇରଫାନଙ୍କୁ ଗିରଫ କରି ଜେଲ ପଠାଇଥିବା ଜଣାପଡ଼ିଛି।

ପୋଲିସକୁ ଦେଲେ ୪ ମିନିଟ୍ ୨୯ ସେକେଣ୍ଡର କଲ୍ ରେକର୍ଡିଂ

ଆପ୍ସର୍ଣ୍ଣ ପୋଲିସକୁ ପ୍ରାୟ ୪ ମିନିଟ୍ ୨୯ ସେକେଣ୍ଡର ହ୍ୱାଟସଆପ୍ କଲ୍ ରେକର୍ଡିଂ ସହ ପ୍ରାୟ ୯୦ଟି ଚାଟ୍ ମଧ୍ୟ ଦେଇଛନ୍ତି। ଏହି ଚାଟ୍ ଓ ରେକର୍ଡିଂରେ ଟଙ୍କା ଦେବା, ଫେରସ୍ତ ମାଗିବା ଏବଂ ସମ୍ପର୍କକୁ ନେଇ ଦୁଇଜଣଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଥିବା ଦାବି କରାଯାଇଛି।

ରେଷ୍ଟୁରାଣ୍ଟରୁ ଆରମ୍ଭ ହୋଇଥିଲା ପରିଚୟ

ପୋଲିସ ପଚରାଉଚରା ସମୟରେ ଆପ୍ସର୍ଣ୍ଣ କହିଥିବା ଅନୁଯାୟୀ, ଥାଇଲ୍ୟାଣ୍ଡରେ ତାଙ୍କର ଏକ ରେଷ୍ଟୁରାଣ୍ଟ ବ୍ୟବସାୟ ଥିଲା। ବ୍ୟବସାୟିକ କାମରେ ଇରଫାନ ପ୍ରାୟତଃ ଥାଇଲ୍ୟାଣ୍ଡ ଯାଉଥିଲେ। ସେଠାରେ ହିଁ ଦୁହିଁଙ୍କର ପରିଚୟ ହୋଇଥିଲା। ମହିଳାଙ୍କ ଦାବି ଅନୁସାରେ, ପ୍ରାୟ ଚାରି ବର୍ଷ ଧରି ସେମାନେ ସମ୍ପର୍କରେ ଥିଲେ। ଦୁଇ ବର୍ଷ ପୂର୍ବରୁ ସେମାନେ ବୌଦ୍ଧ ରୀତିନୀତି ଅନୁସାରେ ବିବାହ ମଧ୍ୟ କରିଥିଲେ।

ଦୁଇଟି ସ୍ପୋର୍ଟସ୍ ବାଇକ୍ ପାଇଁ ଦେଇଥିଲେ ୫୫ ଲକ୍ଷ?

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଦୁଇଟି ଦାମୀ ସ୍ପୋର୍ଟସ୍ ବାଇକ୍ କିଣିବା ପାଇଁ ସେ ଇରଫାନଙ୍କୁ ମୋଟ ୫୫ ଲକ୍ଷ ଟଙ୍କା ଦେଇଥିଲେ। ପ୍ରଥମ ବାଇକ୍ ପାଇଁ ୨୧ ଲକ୍ଷ ଏବଂ ଦ୍ୱିତୀୟ ବାଇକ୍ ପାଇଁ ୩୪ ଲକ୍ଷ ଟଙ୍କା ଦେଇଥିବା ସେ ଦାବି କରିଛନ୍ତି। ଇରଫାନ ଧୀରେ ଧୀରେ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ପରେ ଟଙ୍କା ଫେରସ୍ତ ମାଗିବାରୁ ଏଡ଼ାଇ ଯାଇଥିବା ମହିଳା ଅଭିଯୋଗ କରିଛନ୍ତି। ଏବେ ଏହି ମାମଲାରେ ହ୍ୱାଟସଆପ୍ କଲ୍ ରେକର୍ଡିଂ, ଚାଟ୍ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ପୋଲିସ ତଦନ୍ତ କରୁଛି। ତେବେ ମହିଳାଙ୍କ ଅଭିଯୋଗର ସମସ୍ତ ଦିଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।