ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ, କହିଲେ...

Key Points
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ। ଭାରତ-ଆମେରିକା ସମ୍ପର୍କରେ ଦୃଢ଼ତା ଆଣିବା ଲାଗି ଆଲୋଚନା। ବିଶ୍ବର ବିଭିନ୍ନ ପ୍ରସଙ୍ଗ ଉପରେ ଦୁଇ ନେତାଙ୍କ ଚର୍ଚ୍ଚା।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୫ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମୋଦି । ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ କାର୍ଯ୍ୟ କରିବାରେ ମୋଦି ହେଉଛନ୍ତି ପ୍ରଥମ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଫୋନରେ ଶୁଭେଚ୍ଛା ଜଣାଇବା ବେଳେ ଦୁଇ ନେତା ଭାରତ-ଆମେରିକା ସମ୍ପର୍କ ସମେତ ବିଶ୍ବର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ରାଷ୍ଟ୍ରପତି ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏନେଇ ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେପଟେ ଟ୍ରମ୍ପ ସୋସିଆଲ ମିଡିଆରେ ମୋଦିଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ଏକ ପୋଷ୍ଟ କରି କହିଛନ୍ତି, ଜନ୍ମଦିନର ଶୁଭେଚ୍ଛା, ଆପଣ ବହୁତ ଭଲ କାମ କରୁଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧ ଶେଷ କରିବା ଲାଗି ଆପଣଙ୍କ ସହଯୋଗ ଲାଗି ଧନ୍ୟବାଦ ବୋଲି ଟ୍ରମ୍ପ କହିଛନ୍ତି ।