Videos
|
National

Same Sex Relationship / ଦୁଇ ଝିଅ ପରସ୍ପରକୁ କରୁଛନ୍ତି ପ୍ରେମ, ପରିବାରର ବିରୋଧ ସତ୍ତ୍ୱେ ଏକାଠି ରହିବାକୁ ଜିଦ୍

Bikash Mohanty
Browse all articles by Bikash Mohanty
·5 hours ago·2 min read
ଦୁଇ ଝିଅ ପରସ୍ପରକୁ କରୁଛନ୍ତି ପ୍ରେମ, ପରିବାରର ବିରୋଧ ସତ୍ତ୍ୱେ ଏକାଠି ରହିବାକୁ ଜିଦ୍
Two Girls

Key Points

ଦୁଇ ଝିଅ ପରସ୍ପରକୁ କରୁଛନ୍ତି ପ୍ରେମ
ପରିବାରର ବିରୋଧ ସତ୍ତ୍ୱେ ଏକାଠି ରହିବାକୁ ଜିଦ୍
ରାଜସ୍ଥାନର କୋଟାର ଘଟଣା

କୋଟା,୨୫/୦୯:ରାଜସ୍ଥାନର କୋଟାରୁ ଦୁଇଜଣ ମହିଳାଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଉଭୟ ଉଭୟଙ୍କୁ ଏତେ ପ୍ରେମ କରନ୍ତି ଯେ ପରସ୍ପରକୁ ଛାଡ଼ିବାକୁ ନାରାଜ। ସେମାନେ ସାରା ଜୀବନ ଏକାଠି ରହିବାର କଠୋର ନିଷ୍କତ୍ତି ନେଇଛନ୍ତି।  ବନ୍ଧୁତାରୁ ଆରମ୍ଭ ହୋଇଥିଲା ସମ୍ପର୍କ। ଧୀରେ ଧୀରେ ସେହି ସମ୍ପର୍କ ଏତେ ଗଭୀର ହେଲା ଯେ ଦୁହେଁ ଜୀବନସାରା ଏକାଠି ରହିବାକୁ ନେଲେ ନିଷ୍ପତ୍ତି। କିନ୍ତୁ ପରିବାର ଏହି ସମ୍ପର୍କକୁ ଗ୍ରହଣ କରିନଥିଲେ। ଘର ଛାଡ଼ି ଅନ୍ୟ ସହରରେ ଭଡ଼ା ଘରେ ରହିବା ପରେ ଶେଷରେ ପରିବାର ଓ ପୋଲିସ ସମ୍ମୁଖରେ ମଧ୍ୟ ନିଜ ନିଷ୍ପତ୍ତିରୁ ଓହରିଲେ ନାହିଁ ଦୁଇ ପ୍ରାପ୍ତବୟସ୍କ ମହିଳା।

ଏଭଳି ଏକ ଘଟଣା ରାଜସ୍ଥାନର କୋଟା ଜିଲ୍ଲାର ବୋରଖେଡା ଅଞ୍ଚଳରୁ ସାମ୍ନାକୁ ଆସିଛି। ପୋଲିସର ସୂଚନା ଅନୁଯାୟୀ, ଦୁଇ ମହିଳା ପରସ୍ପର ସମ୍ପର୍କୀୟ। ଜଣେ ଦିଗୋଡ ଅଞ୍ଚଳର ଏକ ଗାଁର ହୋଇଥିବା ବେଳେ ଅନ୍ୟଜଣେ ସିମଲିଆ ନିକଟସ୍ଥ ଏକ ଗାଁର ବୋଲି ଜଣାପଡ଼ିଛି। ପ୍ରାୟ ତିନି ବର୍ଷ ପୂର୍ବେ ଦୁହେଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ସମୟ ବିତିବା ସହିତ ଏହି ବନ୍ଧୁତା ଗଭୀର ହୋଇଥିଲା। ଦୁହେଁ ପରସ୍ପରଙ୍କ ସହ ଜୀବନ କାଟିବାକୁ ଚାହୁଁଥିବା କଥା ପରିବାର ଜାଣିବା ପରେ ପରିସ୍ଥିତି ବଦଳିଯାଇଥିଲା। ପରିବାର ପକ୍ଷରୁ ଏହି ସମ୍ପର୍କକୁ ନେଇ ଆପତ୍ତି ହୋଇଥିବାରୁ ଦୁହେଁ ଘର ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରାୟ ପାଞ୍ଚ ମାସ ପୂର୍ବେ ସେମାନେ ଘରୁ ବାହାରି ସୱାଇ ମାଧୋପୁରରେ ପହଞ୍ଚିଥିଲେ। ସେଠାରେ ଏକ ଘର ଭଡ଼ାରେ ନେଇ ରହିବା ସହ କାମ ମଧ୍ୟ କରୁଥିଲେ। ଏପଟେ ପରିବାର ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ସେମାନେ ଘରୁ ଚାଲିଯିବା ପରେ ନିଖୋଜ ରିପୋର୍ଟ ମଧ୍ୟ ଦାଖଲ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ପଢନ୍ତୁ ଏହି ଖବର: ବାଘ ଆତଙ୍କରେ ଥରହର ଗ୍ରାମବାସୀ,ଘରେ ପଶିଥିବା ଅନୁମାନ କରି କବାଟ କିଳି ଜଗି ବସିଛି ବନବିଭାଗ

କିଛି ସମୟ ପରେ ପରିବାର ସଦସ୍ୟମାନେ ଦୁହେଁଙ୍କ ସହ ଯୋଗାଯୋଗ କରିପାରିଥିଲେ। ଶେଷରେ ମଙ୍ଗଳବାର ଦୁହେଁଙ୍କୁ ବୋରଖେଡା ଥାନାକୁ ଅଣାଯାଇଥିଲା। ପରିବାରର ଆଶା ଥିଲା, ପୋଲିସ ଓ ପରିବାର ସଦସ୍ୟଙ୍କ ବୁଝାସୁଝା ପରେ ସେମାନେ ନିଜ ନିଷ୍ପତ୍ତି ବଦଳାଇବେ। କିନ୍ତୁ ଥାନାରେ ଘଟିଲା ଭିନ୍ନ ଦୃଶ୍ୟ। ପରିବାର ଲୋକଙ୍କ ସମ୍ମୁଖରେ ଦୁହେଁ ସ୍ପଷ୍ଟ ଭାବେ କହିଥିଲେ ଯେ ସେମାନେ ପରସ୍ପରକୁ ଭଲ ପାଆନ୍ତି ଏବଂ ଜୀବନସାରା ଏକାଠି ରହିବାକୁ ଚାହାନ୍ତି। ପରିବାର ପକ୍ଷରୁ ବୁଝାଇବାକୁ ଚେଷ୍ଟା ହୋଇଥିଲେ ମଧ୍ୟ ଦୁହେଁ ନିଜ ନିଷ୍ପତ୍ତିରୁ ଓହରି ନଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହାପରେ ଘଟଣା ଆହୁରି ଗମ୍ଭୀର ରୂପ ନେଇଥିଲା। ପୋଲିସର କହିବା ଅନୁଯାୟୀ, ଦୁହେଁ ପୂର୍ବରୁ ଏକ ବିଷାକ୍ତ ପଦାର୍ଥ ସେବନ କରିଥିଲେ। ପ୍ରଥମେ ବିଶେଷ ଅସୁବିଧା ଅନୁଭବ ନହେବାରୁ ସେମାନେ ଥାନାକୁ ଯାଇଥିଲେ। କିଛି ସମୟ ପରେ ହଠାତ୍ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ପୋଲିସ ତୁରନ୍ତ ସେମାନଙ୍କୁ MBS ହସ୍ପିଟାଲକୁ ନେଇଥିଲା।

ବର୍ତ୍ତମାନ ଦୁହେଁଙ୍କ ଚିକିତ୍ସା ଚାଲିଛି। ପୋଲିସର ସୂଚନା ଅନୁଯାୟୀ, ହସ୍ପିଟାଲରେ ଥିବା ସମୟରେ ମଧ୍ୟ ଦୁହେଁ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ପରସ୍ପରଠାରୁ ଅଲଗା ହେବାକୁ ସେମାନେ ରାଜି ନୁହନ୍ତି।

ଏହି ଘଟଣା ଏବେ କୋଟାରେ ଚର୍ଚ୍ଚାର ବିଷୟ ପାଲଟିଛି। ପରିବାରର ଆପତ୍ତି, ସମାଜର ଚାପ ଏବଂ ନିଜ ପସନ୍ଦ ଏସବୁ ମଧ୍ୟରେ ଦୁଇ ମହିଳାଙ୍କ ନିଷ୍ପତ୍ତି ଘଟଣାକୁ ଏକ ନୂଆ ମୋଡ଼ ଦେଇଛି। ବର୍ତ୍ତମାନ ସମସ୍ତଙ୍କ ନଜର ସେମାନଙ୍କ ସ୍ୱାସ୍ଥ୍ୟ ଓ ଆଗାମୀ ପଦକ୍ଷେପ ଉପରେ ରହିଛି।