Ration Card / ରାସନ କାର୍ଡ ନଥିଲେ ବି ମିଳିବ ଉଜ୍ଜ୍ୱଳା ଓ ଆୟୁଷ୍ମାନ ଯୋଜନାର ଲାଭ, ଜାଣନ୍ତୁ ନିୟମ...

Key Points
ରାସନ କାର୍ଡ କାହିଁକି ଜରୁରୀ ? ଉଜ୍ଜ୍ୱଳା ଓ ଆୟୁଷ୍ମାନ ଯୋଜନାରେ ଜାଣନ୍ତୁ କେଉଁ ଦସ୍ତାବିଜ ଦରକାର
ରାସନ କାର୍ଡ ନଥିଲେ ଚିନ୍ତା ନାହିଁ, ଏହି ସରକାରୀ ଯୋଜନାରେ ଅନ୍ୟ ଦସ୍ତାବିଜରେ କରିପାରିବେ ଆବେଦନ
ମାଗଣା ଗ୍ୟାସ୍ ଓ ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା, ରାସନ କାର୍ଡ ନଥିଲେ କେମିତି ପାଇବେ ଲାଭ ?
ରାସନ କାର୍ଡ କେବଳ ମାଗଣା କିମ୍ବା ଶସ୍ତାରେ ଚାଉଳ, ଗହମ ଭଳି ଖାଦ୍ୟଶସ୍ୟ ପାଇବାର ଏହ ମାଧ୍ୟମ ନୁହେଁ । ଏହା ପରିବାରର ପରିଚୟ ଏବଂ ସଦସ୍ୟଙ୍କ ସଂଖ୍ୟା ପ୍ରମାଣ କରିବାରେ ମଧ୍ୟ ସହାୟକ ହୋଇଥାଏ । ବିଶେଷକରି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (PMUY) ଏବଂ ଆୟୁଷ୍ମାନ ଭାରତ ଯୋଜନାରେ ଏହା ଉପଯୋଗୀ । ତେବେ ଏହି ଯୋଜନାଗୁଡ଼ିକରେ ସବୁ କ୍ଷେତ୍ରରେ ରାସନ କାର୍ଡ ବାଧ୍ୟତାମୂଳକ ନୁହେଁ । ଅନ୍ୟ ସରକାରୀ ଦସ୍ତାବିଜ ମଧ୍ୟ ଗ୍ରହଣ କରାଯାଇପାରେ ।
ଉଜ୍ଜ୍ୱଳା ଯୋଜନାରେ ରାସନ କାର୍ଡ କାହିଁକି ଜରୁରୀ ?
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଯୋଗ୍ୟ ଗରିବ ପରିବାରର ୧୮ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ବିନା ସିକ୍ୟୁରିଟି ଡିପୋଜିଟ୍ରେ LPG ସଂଯୋଗ ଦିଆଯାଏ । ପରିବାରରେ ପୂର୍ବରୁ କୌଣସି ସଦସ୍ୟଙ୍କ ନାମରେ LPG ସଂଯୋଗ ଥିବା ଉଚିତ ନୁହେଁ । ଏହି ଯୋଜନାରେ ପରିବାରର ସଦସ୍ୟଙ୍କ ସଂଖ୍ୟା ଯାଞ୍ଚ ପାଇଁ ରାସନ କାର୍ଡ ଆବଶ୍ୟକ । ଏହା ନଥିଲେ ଅନ୍ୟ ମାନ୍ୟତା ପଇଥିବା ସରକାରୀ ପାରିବାରିକ ଦସ୍ତାବିଜ ଦାଖଲ କରିହେବ ।
ଆବେଦନ ପାଇଁ ଆଧାର କାର୍ଡ, ପରିବାରର ତଥ୍ୟ ଥିବା ଦସ୍ତାବିଜ, ବ୍ୟାଙ୍କ ପାସବୁକ୍ କିମ୍ବା କ୍ୟାନ୍ସଲ୍ ଚେକ୍, KYC ଫର୍ମ ଏବଂ ଆବଶ୍ୟକ ଘୋଷଣାପତ୍ର ଦରକାର । ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ ରିଫିଲ୍ ଓ ଚୁଲା ମଧ୍ୟ ମାଗଣା ମିଳିଥାଏ ।
ଆୟୁଷ୍ମାନ ଭାରତ ଯୋଜନାରେ ରାସନ କାର୍ଡ ଜରୁରୀ କି ?
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY) ଅଧୀନରେ ଯୋଗ୍ୟ ପରିବାରକୁ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାଶଲେସ୍ ଚିକିତ୍ସା ସୁବିଧା ମିଳେ । ଏଥିପାଇଁ ପ୍ରଥମେ ହିତାଧିକାରୀ ତାଲିକାରେ ନାମ ଥିବା ଜରୁରୀ । ଆଧାର କିମ୍ବା ଅନ୍ୟ ସରକାରୀ ପରିଚୟପତ୍ର ସହିତ ପରିବାରର ପରିଚୟ ପାଇଁ ରାସନ କାର୍ଡ କିମ୍ବା ଅନ୍ୟ ମାନ୍ୟତାପ୍ରାପ୍ତ ଦସ୍ତାବିଜ ବ୍ୟବହାର କରାଯାଇପାରେ । ୭୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ସମସ୍ତ ବୟସ୍କ ନାଗରିକଙ୍କ ପାଇଁ ଆୟୁଷ୍ମାନ ବୟ ବନ୍ଦନା କାର୍ଡର ବ୍ୟବସ୍ଥା ରହିଛି । ଏଥିପାଇଁ ଆଧାର ଆଧାରିତ e-KYC ଆବଶ୍ୟକ ।
ରାସନ କାର୍ଡ ନଥିଲେ କେମିତି କରିବେ ଆବେଦନ ?
ନିଜ ରାଜ୍ୟର ଖାଦ୍ୟ ଓ ଯୋଗାଣ ବିଭାଗର ଅଫିସିଆଲ୍ ୱେବସାଇଟ୍କୁ ଯାଇ ନୂଆ ରାସନ କାର୍ଡ ପାଇଁ ଆବେଦନ କରିପାରିବେ । ମୋବାଇଲ୍ ନମ୍ବରରେ ପଞ୍ଜୀକରଣ କରି ପରିବାର ମୁଖ୍ୟ ଏବଂ ଅନ୍ୟ ସଦସ୍ୟଙ୍କ ତଥ୍ୟ ଦିଅନ୍ତୁ । ଆବଶ୍ୟକ ଦସ୍ତାବିଜ ଅପଲୋଡ୍ କରି ଫର୍ମ ଦାଖଲ କରନ୍ତୁ । ମିଳୁଥିବା ରେଫରେନ୍ସ ନମ୍ବରକୁ ସୁରକ୍ଷିତ ରଖନ୍ତୁ । ଏହାଦ୍ୱାରା ଆବେଦନର ସ୍ଥିତି ଜାଣିପାରିବେ ।
କେଉଁମାନେ ରାସନ କାର୍ଡ ପାଇପାରିବେ ?
NFSA ଆଇନ, ୨୦୧୩ ଅନୁଯାୟୀ ରାଜ୍ୟ ସରକାର ଯୋଗ୍ୟ ପରିବାର ଚୟନ କରନ୍ତି । କମ୍ ଆୟକାରୀ ପରିବାର, ଦିନମଜୁରିଆ, କ୍ଷୁଦ୍ର ଚାଷୀ, ବିଧବା, ଏକାକୀ ମହିଳା ଏବଂ ଆର୍ଥିକ ଦୁର୍ବଳ ପରିବାରଙ୍କୁ ପ୍ରାଥମିକତା ମିଳିପାରେ । ତେବେ କେବଳ ଏହି ବର୍ଗରେ ଥିଲେ ରାସନ କାର୍ଡ ମିଳିବା ନିଶ୍ଚିତ ନୁହେଁ । ରାଜ୍ୟର ଆୟ, ଆର୍ଥିକ ସ୍ଥିତି ଓ ଅନ୍ୟ ଯୋଗ୍ୟତା ନିୟମ ଅନୁଯାୟୀ ହିତାଧିକାରୀ ଚୟନ ହୋଇଥାଏ । ତେଣୁ ଆବେଦନ ପୂର୍ବରୁ ନିଜ ରାଜ୍ୟର ସରକାରୀ ନିୟମ ଯାଞ୍ଚ କରନ୍ତୁ ।
📱 Get Argus News App
✨Related Topics
Explore more stories