ଉତ୍ତରାଖଣ୍ଡ ବିଧାନସଭାରେ ପାରିତ ହେଲା ସମାନ ନାଗରିକ ସଂହିତା ବିଲ୍

ଅର୍ଗସ ବ୍ୟୁରୋ : ଉତ୍ତରାଖଣ୍ଡ ପାଇଁ ଐତିହାସିକ ମୁହୂର୍ତ୍ତ । ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ବିଧାନସଭାରେ ପାରିତ ହେଲା ସମାନ ନାଗରିକ ସଂହିତା ବିଲ୍ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନ ଭାବେ ଏହାକୁ କାର୍ଯ୍ୟକାରୀ କରାଯିବ । ଦୁଇ ଦିନର ଆଲୋଚନା ପରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଗୃହୀତ ହୋଇଛି ଏହି ବିଲ୍ । ମଙ୍ଗଳବାର ଗୃହରେ ୟୁସିସି ବିଲ୍ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଏହି ବିଲ୍ ଉପରେ ଆରମ୍ଭ ହୋଇଥିଲା ଆଲୋଚନା । ଦୁଇ ଦିନର ଆଲୋଚନା ପରେ ଧ୍ବନିମତରେ ଗୃହୀତ ହୋଇଛି ବିଲ୍ । ବିଲ୍ ପାରିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ।
ଅଧିକ ପଢନ୍ତୁ : UCC ବିଲ୍ ବିଧାନସଭାରେ ଆଗତ; ବଦଳିବ ବିବାହ, ଛାଡ଼ପତ୍ର, ଉତ୍ତରାଧିକାରୀତ୍ବ ନିୟମ
ଏହି ଆଇନ କାହାର ବିରୁଦ୍ଧରେ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ଆଇନ ଆସିବା ଦ୍ବାରା ରାଜ୍ୟରେ ବିଶେଷ ଭାବେ ଉପକୃତ ହେବେ ମହିଳା । ସାମାଜିକ ଆଦର୍ଶ ଯୋଗୁଁ ଏବେ ଆଉ ମହିଳାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି । ଏହା ସେମାନଙ୍କର ଆତ୍ମବିଶ୍ବାସକୁ ବଢ଼ାଇବ । ପିଲାମାନଙ୍କର ଶାରୀରିକ ଓ ମାନସିକ ନିର୍ଯାତନାକୁ ରୋକିବାରେ ସକ୍ଷମ ହେବ । ଏହି ବିଲ୍ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ ଧାମିଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ବାଣ ଫୁଟାଇ ଏହି ଐତିହାସିକ ମୂହୁର୍ତ୍ତକୁ ସେଲିବ୍ରେଟ୍ କରିଛନ୍ତି ରାଜ୍ୟବାସୀ ।