Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶାରେ ପିଏମ ଶ୍ରୀ ସ୍କୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୃତୀୟ ଥର ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ

National

ଓଡ଼ିଶାରେ ପିଏମ ଶ୍ରୀ ସ୍କୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୃତୀୟ ଥର ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·4 min read
ଓଡ଼ିଶାରେ ପିଏମ ଶ୍ରୀ ସ୍କୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୃତୀୟ ଥର ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ

Key Points

•    ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସହ ଏମଓୟୁ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ 
•    ଗତ ଅକ୍ଟୋବର ୯ ଏବଂ ମାର୍ଚ୍ଚ ୧୩ରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୂପ ଭାବେ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ 
•    ବର୍ତ୍ତମାନ ସୁଦ୍ଧା ପ୍ରାୟ ଅଧିକାଂଶ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଏଥିପାଇଁ ଏମଓୟୁ ସ୍ୱାକ୍ଷରିତ କରିସାରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସ୍କୁଲ ଚୟନ ସମ୍ପୂର୍ଣ୍ଣ ହୋଇସାରିଛି 
•    ଦ୍ୱିତୀୟ ପର୍ଯ୍ୟାୟରେ ପିଏମ ଶ୍ରୀ ସ୍କୁଲ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଥିବା ବେଳେ ଓଡ଼ିଶା ଏପର୍ଯ୍ୟନ୍ତ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ କରିନାହିଁ 
•    ପିଏମ ଶ୍ରୀ ସ୍କୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ରହିଛି, ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ସମଗ୍ର ଦେଶରେ ୧୪ ହଜାର ୫୦୦ ରୁ ଅଧିକ ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠା ଲକ୍ଷ୍ୟ ରହିଛି 
•    ଏହି ସ୍କୁଲରେ ସ୍କୁଲରେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଟେକ୍ନୋଲୋଜି ଆଧାରିତ ହେବ, ଆଇସିଟି, ଡ଼ିଜିଟାଲ ଲ୍ୟାବ, ଡିଜିଟାଲ ଲାଇବ୍ରେରୀ, ଡିଜିଟାଲ ଲର୍ଣ୍ଣିଂ ଟୁଲ୍ସ ବ୍ୟବସ୍ଥା ରହିବ 
•    ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସ ରୁମ ଏବଂ କ୍ରୀଡ଼ା ସହ ଅନ୍ୟାନ୍ୟ ଦିଗ ଉପରେ ଗୁରୁତ୍ୱ ଦିଆଯିବ 
•    ମୋଦି ସରକାରଙ୍କ ଦ୍ୱାରା ଦେଶବ୍ୟାପୀ ସ୍କୁଲ ଗୁଡ଼ିକୁ ଗୁଣାତ୍ମକ ଭାବେ ମଜଭୂତ କରିବା ପାଇଁ ଦିଆଯାଇଥିବା ପ୍ରତିଶ୍ରୁତିକୁ ବାସ୍ତବ ରୂପ ଦେବ
•    ପିଏମ ଶ୍ରୀ ସ୍କୁଲ ଗୁଣାତ୍ମକ ଶିକ୍ଷା ସହ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ କରିବା ସହ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଲାଭ ଦେବ  
•    ଛାତ୍ରଛାତ୍ରୀଙ୍କ ଯତ୍ନ ନିଆଯିବା ସହ ସେମାନଙ୍କ ପାଠପଢା ପାଇଁ ଉତ୍ତମ ଭିତ୍ତିଭୂମି ଏବଂ ଅଭିଜ୍ଞତା ଆଧାରିତ ଶିକ୍ଷା ପ୍ରଦାନ କରାଯିବ  

ନୂଆଦିଲ୍ଲୀ/ଭୁବନେଶ୍ୱର:  ଓଡ଼ିଶାରେ ପିଏମ୍ ଶ୍ରୀ ଯୋଜନା ଲାଗୁ କରିବା ପାଇଁ ଦୁଇ ଦୁଇ ଥର ପତ୍ର ଲେଖାଯିବା ପରେ ମଧ୍ୟ ଓଡ଼ିଶା ସରକାର ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ (ଡିଓଏସଇଏଲ) ସହ ବୁଝାମଣା ପତ୍ର ସ୍ୱାକ୍ଷରିତ (ଏମୟଓୁ) କରିନାହାନ୍ତି । ଏହି ମର୍ମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୃତୀୟ  ଥର ପାଇଁ ପତ୍ର ଲେଖି ରାଜ୍ୟରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା ତଥା ଏମଓୟୁ ସ୍ୱାକ୍ଷରିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି ।  

କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ସମଗ୍ର ଦେଶରେ ୧୪ ହଜାର ୫୦୦ ରୁ ଅଧିକ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ (ପିଏମ ଶ୍ରୀ ସ୍କୁଲ) ପ୍ରତିଷ୍ଠାର ଲକ୍ଷ୍ୟ ନେଇ ୨୦୨୨ ସେପ୍ଟେମ୍ବର ୭ରେ  ପିଏମ ଶ୍ରୀ ଯୋଜନାର ଶୁଭାରମ୍ଭ ହୋଇଥିଲା । ଏହି ସ୍କୁଲ ଗୁଡିକ ଜାତୀୟ ଶିକ୍ଷା ନୀତିର ପୂର୍ଣ୍ଣ ଭାବନାକୁ ନେଇ କାର୍ଯ୍ୟ କରିବ ତଥା ସମସ୍ତ ମୌଳିକ ଉପାଦାନକୁ ପ୍ରଦର୍ଶିତ କରିବ । ଏହା, ସବୁ ବିଦ୍ୟାଳୟ ପାଇଁ ଏକ ଉଦାହରଣ ଭାବରେ କାର୍ଯ୍ୟ କରିବ । ପିଏମଶ୍ରୀ ସ୍କୁଲ ଗୁଡିକ ଉତ୍ସାହଭରା ପରିବେଶରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ କରିବ ।  

ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସହ ଏମୟଓୁ ସ୍ୱାକ୍ଷର କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନୁରୋଧ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାୟ ଅଧିକାଂଶ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଏହି ଏମଓୟୁ ସ୍ୱାକ୍ଷରିତ କରିସାରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସ୍କୁଲ ଚୟନ ସମ୍ପୂର୍ଣ୍ଣ ହୋଇସାରିଛି । ପିଏମ ଶ୍ରୀ ସ୍କୁଲ ଯୋଜନାର କ୍ରିୟାନ୍ୱୟନ ପାଇଁ ପ୍ରଥମ କିସ୍ତି ମଧ୍ୟ ଜାରି ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ପିଏମ ଶ୍ରୀ ସ୍କୁଲ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଥିବା ବେଳେ ଓଡ଼ିଶା ଏପର୍ଯ୍ୟନ୍ତ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ କରିନାହିଁ । ଏଥିପାଇଁ ପୂର୍ବରୁ ଗତ ଅକ୍ଟୋବର  ୯ ଏବଂ ମାର୍ଚ୍ଚ ୧୩ରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରାଯିବା ସତ୍ତ୍ୱେ ଏମଓୟୁ ସ୍ୱାକ୍ଷରିତ ହୋଇନାହିଁ ।  

ତେଣୁ ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି ସ୍କୁଲ ଗୁଡିକ କେବଳ ଜ୍ଞାନର ବିକାଶ ଉପରେ ଗୁରୁତ୍ୱ ଦେବ ନାହିଁ ବରଂ ଏକବିଂଶ ଶତାବ୍ଦୀର ପ୍ରମୁଖ ଦକ୍ଷତା ସହିତ ସାମଗ୍ରିକ ବ୍ୟକ୍ତି ସୃଷ୍ଟି କରିବା ଦିଗରେ ସହାୟକ ହେବ । ପିଏମ ଶ୍ରୀ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କ ଯତ୍ନ ନିଆଯିବା ସହ ସେମାନଙ୍କ ପାଠପଢା ପାଇଁ ଉତ୍ତମ ଭିତ୍ତିଭୂମି ଏବଂ ଉପଯୁକ୍ତ ସମ୍ବଳ ସହିତ ଅନେକ ଅଭିଜ୍ଞତା ଆଧାରିତ ଶିକ୍ଷା ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଉଲ୍ଲେଖଯୋଗ୍ୟ, ପିଏମ ଶ୍ରୀ ସ୍କୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ରହିଛି । ଜାତୀୟ ଶିକ୍ଷା ନୀତିର କଳ୍ପନାକୁ କାର୍ଯ୍ୟକାରୀ କରିବା ଦିଗରେ ପିଏମ ଶ୍ରୀ ସ୍କୁଲ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଭାରତକୁ ଜ୍ଞାନଭିତ୍ତିକ ସମାଜରେ ପରିଣତ କରିବ । ଏହି ସ୍କୁଲ ଅତ୍ୟାଧୁନିକ ଓ ସାମଗ୍ରିକ ପଦ୍ଧତିରେ ଶିକ୍ଷାଦାନ ପ୍ରଦାନ କରିବ । ନବସୃଜନ ଆଧାରିତ, ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସ ରୁମ ଏବଂ କ୍ରୀଡ଼ା ସହ ଅନ୍ୟାନ୍ୟ ଦିଗକୁ ଗୁରୁତ୍ୱ ଦିଆଯିବ । ଜାତୀୟ ଶିକ୍ଷା ନୀତିର ପ୍ରୟୋଗଶାଳା ଭାବରେ ଏହି ସ୍କୁଲ ନିଜର ଅଦ୍ୱିତୀୟ ଅଭିଜ୍ଞତା, ସାମଗ୍ରିକ, ଆଲୋଚନାତ୍ମକ ପଦ୍ଧତି ଏବଂ ଶିକ୍ଷଣ କେନ୍ଦ୍ରୀତ ପଦ୍ଧତି ମାଧ୍ୟମରେ ଏକବିଂଶ ଶତାବ୍ଦୀର କୌଶଳ, ମାନବବାଦୀ ଦୃଷ୍ଟିକୋଣ, ବ୍ୟକ୍ତିତ୍ୱ ଗଠନ କରିବାରେ ସହାୟକ ହେବ । 

ପିଏମ ଶ୍ରୀ ସ୍କୁଲ ଶିକ୍ଷା ଗ୍ରହଣକୁ ଅଧିକ ଆନନ୍ଦମୟ କରିବା ସହ ସେହି ଅଞ୍ଚଳର ଶିକ୍ଷା ଗ୍ରହଣର ପରିବେଶକୁ ସୁଧାରିବାରେ ନେତୃତ୍ୱ ନେବ । ମୋଦି ସରକାରଙ୍କ ଦ୍ୱାରା ଦେଶବ୍ୟାପୀ ସ୍କୁଲ ଗୁଡ଼ିକୁ ଗୁଣାତ୍ମକ ଭାବେ ମଜଭୂତ କରିବା ପାଇଁ କରାଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବ । ଏହି ପଦକ୍ଷେପ ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଲାଭ ଦେବ ।  ସ୍କୁଲରେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଟେକ୍ନୋଲୋଜି ଆଧାରିତ ହେବ । ଆଇସିଟି, ଡ଼ିଜିଟାଲ ଲ୍ୟାବ, ଡିଜିଟାଲ ଲାଇବ୍ରେରୀ, ଡିଜିଟାଲ ଲର୍ଣ୍ଣିଂ ଟୁଲ୍ସ ବ୍ୟବସ୍ଥା ରହିବ । ବାଲବାଟିକାରେ ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷା ରହିବ । ମାତୃଭାଷାକୁ ପ୍ରାଧାନ୍ୟ ଦେବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା ଦୂରତାକୁ ହ୍ରାସ କରିବ । ସମଗ୍ର ଭାରତବର୍ଷରେ ବିକଶିତ ଓ ନବୀକରଣ ହେବାକୁ ଥିବା ପିଏମ ଶ୍ରୀ ସ୍କୁଲ ଦେଶର ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭାବରେ ବିବେଚିତ ହେବ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus Whatsapp Channel Mobile Top
Sponsored
Union Minister has written to the Chief Minister for the third time for PM Shri School in Odisha | Argus News