Village Traditions / ଏହି ଗାଁରେ ସପ୍ତାହେ ଆଗରୁ ପାଳନ ହୁଏ ଦୀପାବଳି, ଜାଣନ୍ତୁ ଏହା ପଛରେ ଥିବା ଅଜବ ପରମ୍ପରା

Key Points
ସିରଦାର ଦେବଙ୍କ ଆଦେଶ, ୭ ଦିନ ଆଗରୁ ପାଳନ ହୁଏ ପର୍ବ
ଛତିଶଗଡ଼ର ଅନନ୍ୟ ପରମ୍ପରା, ଆଗୁଆ ପାଳନ ହୁଏ ଦୀପାବଳି
ଏହି ଗାଁରେ କାହିଁକି ୭ ଦିନ ଆଗରୁ ଦୀପାବଳି?
ସାରା ଦେଶ ଏବେ ଧନତେରସ ଓ ଦୀପାବଳି ପର୍ବ ପାଳନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ । ଧନତେରସ ଓ ଦୀପାବଳିକୁ ନେଇ ସବୁଠି ଉତ୍ସାହର ମାହୋଲ ରହିଛି । କିନ୍ତୁ ଛତିଶଗଡ଼ରେ ଏପରି ଏକ ଗାଁ ରହିଛି, ଯେଉଁଠାରେ ଦୀପାବଳି ନିର୍ଦ୍ଧାରିତ ତାରିଖର ସାତ ଦିନ ପୂର୍ବରୁ ପାଳନ କରାଯାଇଛି ।
ଏହି ଅନନ୍ୟ ପରମ୍ପରା ଦେଖିବାକୁ ମିଳିଛି ଛତିଶଗଡ଼ର ଧମତରୀ ଜିଲ୍ଲାର ସେମରା-ସି ଗାଁରେ । ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୨୨ କିଲୋମିଟର ଦୂରରେ ଥିବା ଏହି ଗାଁରେ ନଭେମ୍ବର ୩ ତାରିଖରେ ହିଁ ଦୀପାବଳି ପାଳନ କରାଯାଇଛି । ଏହି ଦିନ ଗାଁର ପ୍ରତ୍ୟେକ ଘରେ ଦୀପ ଜଳାଯିବା ସହ ମା' ଲକ୍ଷ୍ମୀ ଓ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଆତସବାଜି କରି ଉତ୍ସବ ପାଳନ କରିଥିଲେ ଗ୍ରାମବାସୀ ।
କାହିଁକି ସପ୍ତାହେ ଆଗରୁ ପାଳନ ହୁଏ ସବୁ ପର୍ବ ?
ସେମରା-ସି ଗାଁର ଏହି ପରମ୍ପରା ପଛରେ ଏକ ରୋଚକ ଧାର୍ମିକ ମାନ୍ୟତା ରହିଛି। କୁହାଯାଏ, ଶତାବ୍ଦୀ ପୂର୍ବରୁ ଏହି ଗାଁ ଘଞ୍ଚ ଜଙ୍ଗଲରେ ଘେରି ରହିଥିଲା । ଗାଁରେ ଜଙ୍ଗଲୀ ଜନ୍ତୁଙ୍କ ଭୟ ଲାଗି ରହୁଥିଲା । ସେହି ସମୟରେ 'ସିରଦାର' ନାମକ ଜଣେ ବ୍ୟକ୍ତି ଗ୍ରାମବାସୀଙ୍କୁ ଜଙ୍ଗଲୀ ଜନ୍ତୁଙ୍କଠାରୁ ରକ୍ଷା କରିବାକୁ ଯାଇ ନିଜ ଜୀବନ ବଳିଦାନ ଦେଇଥିଲେ ।
ଗ୍ରାମବାସୀଙ୍କ ବିଶ୍ୱାସ ଅନୁଯାୟୀ, ପରବର୍ତ୍ତୀ ସମୟରେ ଗାଁର ପୂଜାରୀଙ୍କୁ ସ୍ୱପ୍ନରେ ସିରଦାର ଦେବ ଦର୍ଶନ ଦେଇଥିଲେ । ଗାଁର ମଙ୍ଗଳ ଓ ସମୃଦ୍ଧି ପାଇଁ ସମସ୍ତ ପ୍ରମୁଖ ପର୍ବ ନିର୍ଦ୍ଧାରିତ ତାରିଖର ସାତ ଦିନ ପୂର୍ବରୁ ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ବିଶ୍ୱାସ କରାଯାଏ । ଏହି ମାନ୍ୟତା ଅନୁସାରେ ସେବେଠାରୁ ଗାଁରେ ଦୀପାବଳି ସହ ହୋଲି, ହରେଲି ଓ ପୋଲା ଭଳି ପ୍ରମୁଖ ପର୍ବ ମଧ୍ୟ ସାତ ଦିନ ଆଗରୁ ପାଳନ କରାଯାଉଛି ।
ଏଥି ସହ ପଢନ୍ତୁ: ଦୀପାବଳିରେ ଅନଲାଇନ୍ ସପିଂ କରୁଥିଲେ ସାବଧାନ ! ଗୋଟିଏ କ୍ଲିକ୍ରେ ଆକାଉଣ୍ଟ ଖାଲି
୧୫ରୁ ୨୦ଟି ଗାଁ ପାଇଁ ବଡ଼ ଉତ୍ସବ ପାଲଟିଛି ସେମରା-ସିର ଦୀପାବଳି
ସେମରା-ସି ଗାଁର ଦୀପାବଳି ଏବେ କେବଳ ଗୋଟିଏ ଗାଁର ପର୍ବ ହୋଇ ରହିନାହିଁ । ଏହା ଆଖପାଖର ୧୫ରୁ ୨୦ଟି ଗାଁର ଲୋକଙ୍କ ପାଇଁ ଏକ ବଡ଼ ଉତ୍ସବରେ ପରିଣତ ହୋଇଛି । ରାଜନନ୍ଦଗାଓଁ ସମେତ ଦୂରଦୂରାନ୍ତରୁ ଲୋକେ ଏହି ଦିନ ଦୀପାବଳି ପାଳନ କରିବାକୁ ଗାଁରେ ପହଞ୍ଚିଥାନ୍ତି । କେତେକ ସମୟରେ ଏଠାକୁ ଆସୁଥିବା ଅତିଥିଙ୍କ ସଂଖ୍ୟା ଗାଁର ମୋଟ ଜନସଂଖ୍ୟାଠାରୁ ମଧ୍ୟ ଅଧିକ ହୋଇଥାଏ । ଏହି ଅନନ୍ୟ ପରମ୍ପରା ଓ ଧାର୍ମିକ ବିଶ୍ୱାସ ଯୋଗୁଁ ସେମରା-ସି ଗାଁର ଦୀପାବଳି ଆଜି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।
📱 Get Argus News App
✨