Tamilnadu Stampede / ବିଜୟଙ୍କ ରାଲିରେ କାହିଁକି ହେଲା ଦଳଚକଟା, କାରଣ କହିଲେ ପୋଲିସ୍ ଡିଜି

Key Points
ତାମିଲନାଡ଼ୁରେ ବିଜୟଙ୍କ ରାଲିର ବଡ଼ ଧରଣର ଦଳାଚକଟା । କାହିଁକି ହେଲା ଏହି ଦଳାଚକଟା । କାରଣ କହିଦେଲେ ପୋଲିସ୍ ଡିଜି ।
ତାମିଲନାଡୁର କରୁରରେ ଅଭିନେତା ବିଜୟଙ୍କ ରାଲିରେ ହୋଇଛି ବଡ଼ ଧରଣର ଅଘଟଣ । କରୁରରେ TVKରେ ରାଲି ଚାଲିଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା । ଏହି ଦଳାଚକଟାରେ ୩୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ୯୫ରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ତେବେ ଏହି ଘଟଣା ପରେ ଡିଜିପି (ଇନଚାର୍ଜ) ଜି. ଭେଙ୍କଟରମଣ କହିଛନ୍ତି ଯେ ରାଲି ଆୟୋଜକମାନେ ପ୍ରାୟ ୧୦,୦୦୦ ଲୋକଙ୍କ ଭିଡ଼ ପାଇଁ ଅନୁମତି ମାଗିଥିଲେ । କିନ୍ତୁ ୧୦ ହଜାର ପରିବର୍ତ୍ତେ ୨୭ ହଜାର ଲୋକେ ଏକାଠି ହୋଇଥିଲେ । ପୂର୍ବ ଟିଭିକେ ରାଲିରେ ତୁଳନାତ୍ମକ ଭାବରେ କମ୍ ଭିଡ଼ ଦେଖିବାକୁ ମିଳିଥିଲା । କିନ୍ତୁ ଏଥର ବହୁ ସଂଖ୍ୟକ ଲୋକ ଆସିଥିଲେ। ରାଲି ପାଇଁ ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଅନୁମତି ଦିଆଯାଇଥିଲା, କିନ୍ତୁ ଲୋକମାନେ ସକାଳ ୧୧ଟାରୁ ଏକାଠି ହେବା ଆରମ୍ଭ କରିଥିଲେ।
ବିଜୟଙ୍କ ବିଳମ୍ବରେ ପହଞ୍ଚିବା ଯୋଗୁଁ ଦଳାଚକଟା ହୋଇଥିଲା
ଟିଭିକେ ଦଳ ଘୋଷଣା କରିଥିଲା ଯେ ବିଜୟ ମଧ୍ୟାହ୍ନ ୧୨ଟା ସୁଦ୍ଧା ରାଲି ସ୍ଥାନରେ ପହଞ୍ଚିବେ । କିନ୍ତୁ ସେ ସନ୍ଧ୍ୟା ୭ଟା୪୦ରେ ପହଞ୍ଚିଥିଲେ । ଡିଜିପି କହିଛନ୍ତି ଯେ ସେତେବେଳକୁ ଲୋକମାନେ ପ୍ରଚଣ୍ଡ ଖରାରେ କିଛି ଘଣ୍ଟା ଅପେକ୍ଷା କରି ରହିଥିଲା । ଏମିତିକି ରାଲିକୁ ଆସିଥିବା ଲୋକମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଏବଂ ପାଣି ମଧ୍ୟ ମିଳିନଥିଲା ।
ଦୁର୍ଘଟଣା ସମୟରେ, ବିଶାଳ ଭିଡ଼ରେ ଥିବା ଲୋକମାନେ ଅଚେତ ହୋଇ ପଡ଼ିବାକୁ ଲାଗିଲେ । ଅନେକ ମହିଳା ଏବଂ ଶିଶୁ ଆହତ ହୋଇଥିଲେ । ଆଉ ଏବେ ଦଳାଚକଟାର ଅନେକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଲୋକମାନେ ନିଜ ଜୀବନ ପାଇଁ ଦୌଡ଼ୁଥିବା ଏବଂ କୁଡ଼ିଆ ଭିତରକୁ ପ୍ରବେଶ କରୁଥିବା ଦେଖାଯାଇଛି । କିଛି ଭିଡିଓରେ ମହିଳା ଏବଂ ପିଲାମାନେ ଅସହ୍ୟ ଭାବରେ କାନ୍ଦୁଥିବା ଦେଖାଯାଇଛି । ଶେଷରେ ବିଜୟ ତାଙ୍କ ଭାଷଣ ବନ୍ଦ କରି ଆହତ ସମର୍ଥକମାନଙ୍କୁ ପାଣି ବୋତଲ ଦେଇଥିଲେ ଏବଂ ପୋଲିସକୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ ।
📱 Get Argus News App
✨
ଡିଜିପି ଭେଙ୍କଟରମଣ କହିଛନ୍ତି ଯେ ରାଲିରେ ପ୍ରାୟ ୫୦୦ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ । ବିଜୟ ପୋଲିସର କାର୍ଯ୍ୟକୁ ପ୍ରଶଂସା କରିଥିଲେ କିନ୍ତୁ ଭିଡ଼ ପରିଚାଳନାର ଦାୟିତ୍ୱ ନେବାକୁ ଦଳୀୟ କର୍ମୀମାନଙ୍କୁ ଚେତାବନୀ ଦେଇଥିଲେ । ତେବେ ଏହି ଘଟଣା ପରେ ଚେନ୍ନାଇରେ ଥିବା ବିଜୟଙ୍କ ଘରର ସୁରକ୍ଷା ବୃଦ୍ଧି କରାଯାଇଛି ।
ଅଧିକ ପଢ଼ନ୍ତୁ: ୫ ଦିନରେ ଉଡ଼ିଗଲା ୧୬ ଲକ୍ଷ କୋଟି, ଏହି ସବୁ କାରଣ ପାଇଁ ସେୟାର ବଜାରରେ ହାହାକାର
ସେପଟେ ଏହି ଅଘଟଣ ପରେ ରାଜ୍ୟ ସରକାର ଦୁର୍ଘଟଣାର ତଦନ୍ତ ପାଇଁ ଏକ ସଦସ୍ୟ ବିଶିଷ୍ଟ କମିଶନ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମୃତକଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଘୋଷଣା କରିଛନ୍ତି । ସେହିପରି ରିଲିଫ୍ ଏବଂ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ପାଇଁ ମନ୍ତ୍ରୀ ମା. ସୁବ୍ରମଣ୍ୟମଙ୍କୁ ନିଯୁକ୍ତ କରିଛନ୍ତି।
ଅନ୍ୟପଟେ ଏହି ଦଳାଚକଟା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ବିଜୟ । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ବିଜୟ ଲେଖିଛନ୍ତି ଯେ, "ମୋ ହୃଦୟ ଭାଙ୍ଗି ଯାଇଛି, ମୁଁ ଏକ ଅସହ୍ୟ, ଅବର୍ଣ୍ଣନୀୟ ଯନ୍ତ୍ରଣା ଏବଂ ଦୁଃଖରେ ଅଛି ଯାହାକୁ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ । କରୁରରେ ପ୍ରାଣ ହରାଇଥିବା ମୋର ପ୍ରିୟ ଭାଇ ଏବଂ ଭଉଣୀମାନଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି ।" ହସ୍ପିଟାଲରେ ଚିକିତ୍ସାଧୀନ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ସମସ୍ତ ଆହତ ଯଥାଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।