ମୋଦିଙ୍କ କଲ୍ୟାଣକାରୀ ଯୋଜନା ଆଧାରରେ ଜନତାଙ୍କ ଆସ୍ଥାଭାଜନ ହେବୁ

ଅର୍ଗସ ବ୍ୟୁରୋ : ନିର୍ବାଚନ କମିସନଙ୍କ ଦ୍ୱାରା ୨୦୨୪ ନିର୍ବାଚନ ପାଇଁ କରାଯାଇଥିବା ଘୋଷଣାକୁ ସ୍ୱାଗତ କରିବା ସହ ଚଳିତ ନିର୍ବାଚନରେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଲ୍ୟାଣକାରୀ ଯୋଜନା ଓ ବିଗତ ୧୦ ବର୍ଷର ଟ୍ରାକ୍ ରେକର୍ଡ ଆଧାରରେ ଜନତାଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ପୃଥିବୀର ପ୍ରଭାବଶାଳୀ ଗଣତନ୍ତ୍ର ଭାବରେ ନିଜକୁ ପ୍ରତିଷ୍ଠିତ କରିଛି । ଗଣତନ୍ତ୍ରର ସବୁଠୁ ବଡ ପର୍ବ ହେଉଛି ନିର୍ବାଚନ । ଲୋକ ମାନଙ୍କର ଅପେକ୍ଷା ଓ ଆକାଂକ୍ଷା ତଥା ନିର୍ଭୀକ ଭାବେ ନିଜ ମତକୁ ସାବ୍ୟସ୍ତ କରିବାର ଏହା ମହାନ ଅବସର । ବିଗତ ୭୬ ବର୍ଷରେ ଆମ ଦେଶର ପ୍ରମୁଖ ଉପଲବ୍ଧିକୁ ଦେଖିଲେ ଭାରତର ସଫଳ ନିର୍ବାଚନ ପ୍ରକ୍ରିୟା ତନ୍ମଧ୍ୟରୁ ଏକ ବଡ ଉପଲବ୍ଧି । ନିର୍ବାଚନ କମିସନଙ୍କ ଦ୍ୱାରା ଓଡ଼ିଶା ସମେତ ଦେଶରେ ୨୦୨୪ ନିର୍ବାଚନ ପାଇଁ କରାଯାଇଥିବା ଘୋଷଣାକୁ ଜଣେ ଗଣତନ୍ତ୍ରର ବିଦ୍ୟାର୍ଥୀ ଭାବରେ ସ୍ୱାଗତ କରୁଛି ।
ଅଧିକ ପଢନ୍ତୁ : ଏହି ମହାଉତ୍ସବରେ ସମସ୍ତ ଦେଶବାସୀ ସାମିଲ ହେବାକୁ ଅହ୍ବାନ ଦେଲେ କେନ୍ଦ୍ରମନ୍ତ୍ରୀ
ଓଡ଼ିଶା ସମେତ ସମଗ୍ର ଦେଶର ଜନସାଧାରଣ ଓ ସମସ୍ତ ରାଜନୈତିକ ଦଳ ମାନଙ୍କୁ ଆଜିର ଅବସରରେ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସମାଜର ସବୁ ବର୍ଗର ଲୋକମାନେ ବିଶେଷ ଭାବରେ ଗରିବ, ବଞ୍ଚିତ, ମହିଳା, ଯୁବ, ଚାଷୀ, ଏସସି, ଏସଟି, ଓବିସି ସମ୍ପ୍ରଦାୟର ଲୋକମାନେ ଏହି ଗଣତନ୍ତ୍ରର ମହାନ ଉତ୍ସବରେ ନିଜକୁ ସାମିଲ କରିବେ । ସମସ୍ତ ରାଜନୈତିକ ଦଳ ନାଗରିକ ମାନଙ୍କ ପାଖକୁ ଯିବେ । ପ୍ରସଙ୍ଗ ଭିତ୍ତିକ ନିର୍ବାଚନ ଲଢାଯିବ । ଆଲୋଚନା, ସମାଲୋଚନା ସହ ନିର୍ବାଚନ ପ୍ରଚାରରେ ଅଭିନବ ଉପାୟ ଅବଲମ୍ବନ ହେବ । ଉନ୍ମାଦନାର ସହ ନିର୍ବାଚନ ଆଚରଣ ବିଧିର ସୀମା ଭିତରେ ରହି ସମସ୍ତେ ପ୍ରଚାର କରିବା । “ଫିର୍ ଏକ ବାର୍ ୪୦୦ ପାର୍, ଫିର୍ ଏକ ବାର୍ ମୋଦି ସରକାର”ର ନାରା ଦେବା ସହ ବିଜେପି ପ୍ରଧାନମନ୍ତ୍ରୀ ମୋଦୀଙ୍କ କଲ୍ୟାଣକାରୀ ଯୋଜନା ଓ ଟ୍ରାକ୍ ରେକର୍ଡ ଆଧାରରେ ନିର୍ବାଚନ ଲଢିବା ସହ ଲୋକଙ୍କ ଆଶୀର୍ବାଦ ଓ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।