Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

UP CM Yogi Adityanath / କିଏ ଏହି ମୌଲାନା ଅବଦୁଲ୍ଲା ସଲିମ୍; ଯାହାଙ୍କୁ ବିହାରରୁ ଉଠାଇନେଲା ୟୁପି STF

Subhramjit Ray
Browse all articles by Subhramjit Ray
·3 months ago·3 min read
କିଏ ଏହି ମୌଲାନା ଅବଦୁଲ୍ଲା ସଲିମ୍; ଯାହାଙ୍କୁ ବିହାରରୁ ଉଠାଇନେଲା ୟୁପି STF
UP CM Yogi Adityanath

Key Points

ବିବାଦୀୟ ମନ୍ତବ୍ୟ ଦେବା ମାମଲାରେ ୟୁପି ଏସଟିଏଫ୍ ମୌଲାନା ଅବଦୁଲ୍ଲା ସଲିମ୍ ଙ୍କୁ ବିହାରର ପୂର୍ଣ୍ଣିଆ ଜିଲ୍ଲାରୁ ଉଠାଇ ନେଇଛି।
UP STF Arrest Maulana Abdullah Saleem: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଆଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ଜଣେ ମୌଲନାଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲାରେ ୟୁପି ଏସଟିଏଫ୍ ମୌଲାନା ଅବଦୁଲ୍ଲା ସଲିମ୍ ଙ୍କୁ ବିହାରର ପୂର୍ଣ୍ଣିଆ ଜିଲ୍ଲାରୁ ଗିରଫ କରିଛି। ଗିରଫଦାରୀ ପରେ ତାଙ୍କୁ ଏବେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଗୃହ ଜିଲ୍ଲା ଗୋରଖପୁରରେ ରଖାଯାଇଛି। ଜେରା ପାଇଁ ତାଙ୍କୁ ସେଠାରେ ରଖାଯିବ ନାଁ ଲକ୍ଷ୍ନୌ ସ୍ଥାନାନ୍ତର କରାଯିବ ତାହ ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ଉତ୍ତର ପ୍ରଦେଶ ପୋଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି। ବିବାଦୀୟ ମନ୍ତବ୍ୟ ଦେବାକୁ ନେଇ ତାଙ୍କ (ମୌଲାନା) ବିରୋଧରେ ଦେଶର ବିଭିନ୍ନ ଭାଗରେ ମାମଲା ରୁଜୁ ହୋଇଥିଲା। ୟୁପି ପୋଲିସ କହିବା ଅନୁଯାୟୀ ପ୍ରଥମେ ରାଜ୍ୟର ବଳରାମପୁର ଜିଲ୍ଲାରେ ମୌଲାନାଙ୍କ ବିରୋଧରେ ଅଭିଯୋଗ ଦାଏର ହୋଇଥିଲା।

AIMIM ସହ ରହିଛି ମୌଲାନାଙ୍କ ସମ୍ପର୍କ
ସୋମବାର, ୟୁପି ଏସଟିଏଫ ମୌଲାନାଙ୍କୁ ଜେରା କରିବା ପାଇଁ ବିହାରରୁ ଗିରଫ କରିଥିଲା। ବିହାରର ଅରରିଆ ଜିଲ୍ଲାର ଜୋକିହାଟ ଅଞ୍ଚଳର ବାସିନ୍ଦା ହେଉଛନ୍ତି ମୌଲାନା ଅବଦୁଲ୍ଲା ସଲିମ୍। ତାଙ୍କର ଅସାଦୁଦ୍ଦିନ ଓୱେସୀଙ୍କ ଦଳ ଏଆଇଏମଆଇଏମ (AIMIM) ସହ ଘନିଷ୍ଠ ସମ୍ପର୍କ ରହିଥିବାର କୁହାଯାଉଛି। ରମଜାନ ବେଳେ ମୌଲାନା ଜଣଙ୍କ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମାଆଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଥିଲା।

ମୌଲାନା ଅବଦୁଲ୍ଲା ସଲିମ୍ କିଏ?
ମୌଲାନା ଅବଦୁଲ୍ଲା ସଲିମ ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗରେ ଜଣେ ପ୍ରମୁଖ ମୁସଲିମ ଧାର୍ମିକ ନେତା ଭାବରେ ଜଣାଶୁଣା। ଭାଷଣ ଦେବା ସମୟରେ ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମାଆଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ସେ ନିଜର ଏକ ବ୍ୟଙ୍ଗାତ୍ମକ ମନ୍ତବ୍ୟରେ କହିଥିଲେ ଯେ ଉତ୍ତର ପ୍ରଦେଶରେ ଯଦି କାହା ପାଖରୁ ୨୫୦ ଗ୍ରାମ ମାଂସ ମଧ୍ୟ ମିଳେ, ତାହେଲେ ପ୍ରଶାସନ ତାଙ୍କୁ ଅପରାଧି ବୋଲି ଭାବେ ଏବଂ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ। ସେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମାଆଙ୍କୁ ମଧ୍ୟ ଟାଣିଥିଲେ। ଏହା ପରେ ମୌଲାନାଙ୍କୁ ଜୋରଦାର ବିରୋଧର ସାମ୍ନା କରିବାକୁ ପଡ଼ିଥିଲା।

ଗିରଫ ପରେ ମାଗିଲେ କ୍ଷମା
ଗିରଫଦାରୀ ପରେ ମୌଲାନା ଅବଦୁଲ୍ଲା ସଲିମ ତାଙ୍କ ମନ୍ତବ୍ୟ ପାଇଁ ହାତ ଯୋଡି଼ କ୍ଷମା ମାଗିଛନ୍ତି। ଏକ ଭିଡିଓରେ ମୌଲନା ଜଣଙ୍କ ତାଙ୍କ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳିଛି।

ଯେଉଁଥିରେ ସେ କହୁଛନ୍ତି, "ମୁଁ ଅବଦୁଲ୍ଲା ସଲିମ କାସମି ମୋର ଅପରାଧ ସ୍ୱୀକାର କରୁଛି। ମୁଁ ଗତ ୨୦୧୪ ମେ ୫ ତାରିଖରେ ବିହାରର ଭାଗଲପୁରର ମିରାଞ୍ଚଳରେ ଏକ ସାମାଜିକ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ମୁଁ ସେଠାରେ ଏକ ଭାଷଣ ଦେଇଥିଲି। ସେହି ସମୟରେ ମୁଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମାଆଙ୍କ ବିଷୟରେ କିଛି ଅପଶବ୍ଦ କହିଥିଲି। ଯାହା ମୋ ମୁହଁରୁ ବାହାରିବାର ନଥିଲା। ମୁଁ ଏହି ଭୁଲ ପାଇଁ ହାତ ଯୋଡି଼ କ୍ଷମା ମାଗୁଛି। ମୁଁ ଏହି ଭୁଲ ଆଉ ଥରେ କରିବି ନାହିଁ। ମୁଁ ମୋର ସମସ୍ତ ସହକର୍ମୀଙ୍କୁ ଏହି ବାର୍ତ୍ତା ଦେବାକୁ ଚାହୁଁଛି ଆପଣ ଆପଣଙ୍କ ଭାଷଣରେ ଏପରି କିଛି କୁହନ୍ତୁ ନାହିଁ ଯାହା କୌଣସି ବ୍ୟକ୍ତି କିମ୍ବା ଧର୍ମକୁ ଆଘାତ ଦେବ। ମୁଁ ମୋର ଅପରାଧ ପାଇଁ କ୍ଷମା ପ୍ରାର୍ଥନା କରୁଛି। ମୁଁ ଆଉ ଏପରି ଭୁଲ କରିବି ନାହିଁ। ମୁଁ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କ୍ଷମା ମାଗୁଛି। ଯଦି ମୋର କଥା କିମ୍ବା କାର୍ଯ୍ୟ କୌଣସି କ୍ଷତି କରିଛି ଦୟାକରି ମୋତେ କ୍ଷମା କରନ୍ତୁ। "



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Who is Maulana Abdullah Salim? UP STF Arrests Cleric from Bihar | Argus News