Videos
|
National

Pia Dandiya / ୧୩ ବର୍ଷ ବୟସରୁ ରାଜନୀତି ସ୍ୱପ୍ନ; ଆମେରିକା ପାର୍ଲାମେଣ୍ଟରେ ପହଞ୍ଚିଲେ ମୂଳ ଭାରତୀୟ ପିଆ ଦାଣ୍ଡିଆ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
୧୩ ବର୍ଷ ବୟସରୁ ରାଜନୀତି ସ୍ୱପ୍ନ; ଆମେରିକା ପାର୍ଲାମେଣ୍ଟରେ ପହଞ୍ଚିଲେ ମୂଳ ଭାରତୀୟ ପିଆ ଦାଣ୍ଡିଆ
Pia Dandiya Biography

Key Points

ଆମେରିକାରେ ନିର୍ବାଚନ ଜିତିଲେ ମୂଳ ଭାରତୀୟ ପିଆ ଦାଣ୍ଡିଆ
ଟ୍ରମ୍ପଙ୍କ ଦଳ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀଙ୍କୁ ହରାଇଲେ
ପିଆଙ୍କ ସଫଳତାର କାହାଣୀ କହିଲେ ତାଙ୍କ ସମ୍ପର୍କୀୟ ଭାଇ
ନୂଆଦିଲ୍ଲୀ: ଛୋଟବେଳୁ ରାଜନୀତିରେ ଆସିବାର ସ୍ୱପ୍ନ ଦେଖୁଥିଲେ । ମାତ୍ର ୧୩ ବର୍ଷ ବୟସରେ ବାପାଙ୍କୁ କହିଥିଲେ, ସେ ଡାକ୍ତର ନୁହେଁ, ଜଣେ ରାଜନେତା ହେବାକୁ ଚାହାନ୍ତି । ଏପରିକି ଦିନେ ଆମେରିକାର ରାଷ୍ଟ୍ରପତି ହେବାର ସ୍ୱପ୍ନ ମଧ୍ୟ ଦେଖିଥିଲେ । ଆଜି ସେହି ସ୍ୱପ୍ନର ଗୋଟିଏ ବଡ଼ ପାହାଚ ଅତିକ୍ରମ କରିଛନ୍ତି ଭାରତୀୟ ବଂଶୋଦ୍ଭବ ପିଆ ଦାଣ୍ଡିଆ । ଆମେରିକା ମିଡଟର୍ମ ଇଲେକ୍ସନରେ ପିଆ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀଙ୍କୁ ହରାଇ ଦ୍ଵିତୀୟ ଭାରତୀୟ-ଆମେରିକୀୟ ମହିଳା ଭାବରେ ଆମେରିକା ପାର୍ଲାମେଣ୍ଟ (ୟୁଏସ କଂଗ୍ରେସ)ରେ ପହଞ୍ଚିଛନ୍ତି ।

ଆମେରିକାର ଫ୍ଲୋରିଡାରୁ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ନଭେମ୍ବର ୩ ତାରିଖରେ ଆମେରିକାରେ ମିଡଟର୍ମ ଇଲେକ୍ସନ ହୋଇଥିଲା । ଏଥିରେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ଦଳ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ କେସି ଅସକରଙ୍କୁ ହରାଇ ୫୧ ପ୍ରତିଶତ ଭୋଟ୍ ପାଇ ଆମେରିକା ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଛନ୍ତି ପିଆ । ଫ୍ଲୋରିଡାର ୨୨ତମ କଂଗ୍ରେସନାଲ୍ ଜିଲ୍ଲାରୁ ସେ ବିଜୟୀ ହୋଇଛନ୍ତି ।

  • ପରିବାରରେ ଖୁସିର ମାହୋଲ
ପିଆଙ୍କ ସଫଳତାକୁ ନେଇ ତାଙ୍କ ପରିବାରରେ ଖୁସିର ମାହୋଲ। ତାଙ୍କ ସମ୍ପର୍କୀୟ ଭାଇ ଧ୍ରୁବ ଦାଣ୍ଡିଆ ଗଣମାଧ୍ୟମକୁ କହିଛନ୍ତି, "ଏହା ସମଗ୍ର ପରିବାର ପାଇଁ ଗର୍ବର ମୁହୂର୍ତ୍ତ । ସେ ଦାଣ୍ଡିଆ ପରିବାରର ନାମକୁ ବିଶ୍ୱ ସ୍ତରରେ ପହଞ୍ଚାଇଛନ୍ତି । ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।" ପିଆଙ୍କ ବାପା ରୋହିତ ଦାଣ୍ଡିଆ ଓ ଜେଜେବାପା ଉଭୟ ଡାକ୍ତର ଥିଲେ । ତେବେ ପରିବାରର ଡାକ୍ତରୀ ପରମ୍ପରାକୁ ଛାଡ଼ି ରାଜନୀତିକୁ ନିଜର ଲକ୍ଷ୍ୟ କରିଥିଲେ ପିଆ । ତାଙ୍କ ବାପା ମଧ୍ୟ ଏହି ନିଷ୍ପତ୍ତିରେ ସମର୍ଥନ ଜଣାଇଥିଲେ।

  • ରାଜସ୍ଥାନର ମୂଳ ବାସିନ୍ଦା
ପିଆଙ୍କ ମାତାପିତା ୧୯୮୦ ଦଶକରେ ରାଜସ୍ଥାନର ଜୟପୁରରୁ ଆମେରିକାକୁ ଯାଇଥିଲେ । ଆମେରିକାର ପାମ୍ ବିଚ୍ କାଉଣ୍ଟିରେ ଜନ୍ମ ନେଇଥିବା ପିଆ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଥିଲେ । ପାଠପଢ଼ା ପରେ ଭାରତକୁ ଆସି କିଛି ମାସ ଧରି ବସ୍ତି ଅଞ୍ଚଳର ପିଲାମାନଙ୍କୁ ଶିକ୍ଷାଦାନ କରିଥିଲେ । ପରେ ମାତ୍ର ୨୮ ବର୍ଷ ବୟସରେ ନ୍ୟୁୟର୍କର ହାର୍ଲେମ୍‌ରେ ଆଫ୍ରିକୀୟ-ଆମେରିକୀୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍କୁଲ୍ ପ୍ରତିଷ୍ଠା କରିଥିଲେ ।

  • ସକାରାତ୍ମକ ରାଜନୀତିକୁ ଗୁରୁତ୍ଵ
ସ୍କୁଲ୍‌ର ଅଧିକାଂଶ ଛାତ୍ରଛାତ୍ରୀ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଥିଲେ । ସେମାନଙ୍କୁ ଶିକ୍ଷାଦାନ କରିବା ସହ ସ୍କୁଲ୍‌ର ଚିତ୍ର ବଦଳାଇବାରେ ସଫଳ ହୋଇଥିଲେ ପିଆ । ଶିକ୍ଷା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବାର ତାଙ୍କ ଲକ୍ଷ୍ୟ ଧୀରେ ଧୀରେ ରାଜନୀତି ଆଡ଼କୁ ଅଗ୍ରସର ହୋଇଥିଲା । ପିଆଙ୍କ ସକାରାତ୍ମକ ମନୋଭାବକୁ ମଧ୍ୟ ପ୍ରଶଂସା କରିଛନ୍ତି ଧ୍ରୁବ । ତାଙ୍କ କହିବା ଅନୁଯାୟୀ, ନିର୍ବାଚନ ପ୍ରଚାର ସମୟରେ ବିରୋଧୀଙ୍କ ଅଭିଯୋଗର ଜବାବ ସେ ସବୁବେଳେ ଗଠନମୂଳକ ଭାବେ ଦେଉଥିଲେ । ନକାରାତ୍ମକ ରାଜନୀତିରୁ ଦୂରେଇ ରହି ସକାରାତ୍ମକ ରାଜନୀତି ଓ ଜନସେବାକୁ ସେ ଗୁରୁତ୍ୱ ଦେଉଥିଲେ ।

ପଢନ୍ତୁ ଏହି ଖବର: ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ଟ୍ରମ୍ପଙ୍କୁ ଝଟକା, ଭାରତ ପାଇଁ କମିଲା ଟ୍ରେଡ୍ ଡିଲ୍‌ର ଚାପ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆମେରିକାରେ ବଢ଼ୁଥିବା ମୁଦ୍ରାସ୍ଫୀତି ତାଙ୍କର ମୁଖ୍ୟ ପ୍ରାଥମିକତା ରହିବ ବୋଲି ଧ୍ରୁବ କହିଛନ୍ତି। ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ମୁଦ୍ରାସ୍ଫୀତି ବଢ଼ିଥିବା ନେଇ ସେ ଉଲ୍ଲେଖ କରିଛନ୍ତି । ଶିକ୍ଷାଦାନରୁ ରାଜନୀତି, ଆଉ ଏବେ ଆମେରିକାର ସଂସଦ ପର୍ଯ୍ୟନ୍ତ ପିଆ ଦାଣ୍ଡିଆଙ୍କ ଯାତ୍ରା ଭାରତୀୟ ବଂଶୋଦ୍ଭବଙ୍କ ପାଇଁ ଏକ ପ୍ରେରଣାଦାୟକ କାହାଣୀ ହୋଇଛି ।