Videos
|
National

Girlfriend Drama / ଗାର୍ଲଫ୍ରେଣ୍ଡ ସହିତ ସ୍ବାମୀଙ୍କୁ ଦେଖିବା ପରେ ରାସ୍ତାରେ ହେଲା ହାଇଭୋଲଟେଜ୍ ଡ୍ରାମା

Bikash Mohanty
Browse all articles by Bikash Mohanty
·1 hour ago·3 min read
ଗାର୍ଲଫ୍ରେଣ୍ଡ ସହିତ ସ୍ବାମୀଙ୍କୁ ଦେଖିବା ପରେ ରାସ୍ତାରେ ହେଲା ହାଇଭୋଲଟେଜ୍ ଡ୍ରାମା
Girlfriend Drama

Key Points

ଗାର୍ଲଫ୍ରେଣ୍ଡ ସହିତ ସ୍ବାମୀଙ୍କୁ ଦେଖିବା ପରେ
ରାସ୍ତାରେ ହେଲା ହାଇଭୋଲଟେଜ୍ ଡ୍ରାମା
କାରର ବୋନେଟ ଉପରେ ଚଢିଗଲେ ମହିଳା
ଉତ୍ତରପ୍ରଦେଶ ମେରଠର ଘଟଣା 
ରାସ୍ତା ଉପରେ ଦ୍ରୁତ ଗତିରେ ଦୌଡ଼ୁଛି ଏକ କାର୍। ଆଉ ସେହି କାର୍‌ର ବନେଟ୍‌ରେ ଜୀବନ ବଞ୍ଚାଇବା ପାଇଁ ଝୁଲି ରହିଛନ୍ତି ଜଣେ ମହିଳା। କାର୍‌ଟି ଅଟକୁନାହିଁ, ବରଂ ମହିଳାଙ୍କୁ ବନେଟ୍‌ରେ ଧରି ରଖି ଆଗକୁ ବଢ଼ିଚାଲିଛି। ମଝିରେ ଦୁଇଥର ଡିଭାଇଡରରେ ଧକ୍କା ହୋଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଶେଷରେ କିଛି ଲୋକ ରାସ୍ତାରେ କାର୍‌ଟିକୁ ଅଟକାଇ ମହିଳାଙ୍କୁ ଉଦ୍ଧାର କରିଛନ୍ତି।

ମେରଠର ଲୋହିଆ ନଗର ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାରେ। ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରିବୁଲୁଛି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ କାର୍‌ରେ ଥିବା ଦେଖିବା ପରେ ଏହି ବିବାଦର ଆରମ୍ଭ ହୋଇଥିଲା।

ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଦେଖିଲେ ସ୍ତ୍ରୀ

ସୂଚନା ଅନୁଯାୟୀ, କାଜିପୁର ଅଞ୍ଚଳର ବାସିନ୍ଦା ସୁନିତା ୨୦୧୨ ମସିହାରେ କିଥୌର ଥାନା ଅଞ୍ଚଳର ମୟଙ୍କଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ବିବାଦ ହୋଇଥିବା କୁହାଯାଇଛି। ଏପରିକି ସୁନିତାଙ୍କ ପରିବାର ପକ୍ଷରୁ ମୟଙ୍କଙ୍କ ବିରୋଧରେ ଅଭିଯୋଗ ମଧ୍ୟ ହୋଇଥିଲା। ପରେ ଉଭୟ ପକ୍ଷଙ୍କ ମଧ୍ୟରେ ସମାଧାନ ହୋଇଥିଲା। ବର୍ତ୍ତମାନ ସୁନିତା ତାଙ୍କ ପିଲାମାନଙ୍କ ସହ ଲୋହିଆ ନଗର ଅଞ୍ଚଳରେ ରହୁଥିବା ବେଳେ, ହଠାତ୍ ତାଙ୍କ ସ୍ୱାମୀ ମୟଙ୍କଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ କାର୍‌ରେ ଥିବା ନେଇ ସୂଚନା ପାଇଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଚେଞ୍ଜିଂ ରୁମ୍‌ର ଡୋର ବନ୍ଦ ହେବା ପରେ ବି କେହି ରଖୁଥିଲା ନଜର? ୧୦୦ ମହିଳାଙ୍କୁ ନେଇ ଚାଞ୍ଚଲ୍ୟକର ଅଭିଯୋଗ

ଏହାପରେ ସୁନିତା ହାପୁର ରୋଡ୍‌ସ୍ଥିତ ଏକ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ। ସେଠାରେ ମୟଙ୍କଙ୍କୁ ଜଣେ ମହିଳାଙ୍କ ସହ କାର୍‌ରେ ଦେଖିଥିଲେ। ଏହାକୁ ନେଇ ସେ ମୟଙ୍କଙ୍କ ସହ କଥା ହେବା ସହ କାର୍‌ରେ ଥିବା ମହିଳାଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।

ହଠାତ୍ ଦୌଡ଼ିଲା କାର୍‌!

ସୁନିତାଙ୍କ ଅଭିଯୋଗ ଅନୁଯାୟୀ, ଏହି ସମୟରେ ମୟଙ୍କ ହଠାତ୍ କାର୍‌ ଚଳାଇ ସେଠାରୁ ପଳାଇବାକୁ ଚେଷ୍ଟା କରିଥିଲେ। ସୁନିତା କାର୍‌କୁ ଅଟକାଇବାକୁ ଯାଇ ବନେଟ୍‌ରେ ଲାଗି ରହିଯାଇଥିଲେ। କିନ୍ତୁ କାର୍‌ ଅଟକିନଥିଲା।

ଅଭିଯୋଗ ଅନୁଯାୟୀ, ସୁନିତା ବନେଟ୍‌ରେ ଝୁଲି ରହିଥିବା ସତ୍ତ୍ୱେ ମୟଙ୍କ କାର୍‌କୁ ଅନେକ କିଲୋମିଟର ପର୍ଯ୍ୟନ୍ତ ଚଳାଇଥିଲେ। ରାସ୍ତାରେ ଜୀବନ ବଞ୍ଚାଇବା ପାଇଁ ସୁନିତା ବନେଟ୍‌କୁ ଜୋରରେ ଧରି ରହିଥିବା ଦାବି କରିଛନ୍ତି।

କେବଳ ଏତିକି ନୁହେଁ, ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ସୁନିତା ଦାବି କରିଛନ୍ତି ଯେ, ତାଙ୍କୁ ତଳେ ପକାଇବା କିମ୍ବା ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ କାର୍‌ଟିକୁ ଦୁଇଥର ଡିଭାଇଡରରେ ଧକ୍କା ଦିଆଯାଇଥିଲା। ତଥାପି ସେ କୌଣସି ପ୍ରକାରେ ବନେଟ୍‌କୁ ଧରି ରହିଥିଲେ।

ଦେଖଣାହାରୀ ହେଲେ ରକ୍ଷାକର୍ତ୍ତା


କାର୍‌ଟି ରାସ୍ତାରେ ଦୌଡ଼ୁଥିବା ଦେଖି କିଛି ଦେଖଣାହାରୀ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଶେଷରେ ସେମାନେ କାର୍‌ଟିକୁ ଅଟକାଇ ସୁନିତାଙ୍କୁ ବନେଟ୍‌ରୁ ତଳକୁ ଆଣିଥିଲେ। ଏହି ସମୟରେ ମଧ୍ୟ ମୟଙ୍କ ତାଙ୍କୁ ମାଡ଼ ମାରିଥିବା ନେଇ ସୁନିତା ଅଭିଯୋଗ କରିଛନ୍ତି।

ଘଟଣା ପରେ ସୁନିତା ଲୋହିଆ ନଗର ଥାନାରେ ପହଞ୍ଚି ତାଙ୍କ ସ୍ୱାମୀ ମୟଙ୍କ ଏବଂ ତାଙ୍କ ସହ କାର୍‌ରେ ଥିବା ମାହି ନାମକ ମହିଳାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ।

ମୟଙ୍କ ଓ ମାହି ଗିରଫ

ମେରଠର ସିଓ କୋତୱାଲି ସଂଗ୍ରାମ ସିଂହଙ୍କ ଅନୁଯାୟୀ, ଅକ୍ଟୋବର ୩ ତାରିଖରେ ସୁନିତା ଲୋହିଆ ନଗର ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗରେ ସେ ମୟଙ୍କଙ୍କୁ ମାହିଙ୍କ ସହ ଦେଖିଥିବା ଏବଂ ଏହାପରେ ବିବାଦ ସମୟରେ କାର୍‌ ଜରିଆରେ ତାଙ୍କୁ ଚମ୍ପଟ ମାରିବାକୁ ଚେଷ୍ଟା କରାଯାଇଥିବା କହିଛନ୍ତି।

ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରିଛି। ମୟଙ୍କ ଓ ମାହିଙ୍କୁ ପୋଲିସ ଗିରଫ କରିଥିବା ବେଳେ କାର୍‌ଟିକୁ ମଧ୍ୟ ଜବତ କରାଯାଇଛି।

ଏବେ ପୋଲିସ ଘଟଣାର ଭିଡିଓ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବଂ ଅଭିଯୋଗରେ ଥିବା ଅନ୍ୟାନ୍ୟ ତଥ୍ୟକୁ ଯାଞ୍ଚ କରୁଛି। ପ୍ରକୃତରେ କାର୍‌ଟି କାହିଁକି ଅଟକିନଥିଲା, ଡିଭାଇଡରରେ ଧକ୍କା ଘଟଣା କିପରି ଘଟିଥିଲା ଏବଂ ଏହି ଘଟଣା ପଛରେ ଆଉ କୌଣସି କାରଣ ରହିଛି କି ନାହିଁ—ସେନେଇ ତଦନ୍ତ ଜାରି ରହିଛି।