ବିଶ୍ବକପ ସେମି ଫାଇନାଲ ; ଆଜି ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ

ଅର୍ଗସ ବ୍ୟୁରୋ : ଆଜି ବିଶ୍ଵକପ୍ ୨୦୨୩ର ପ୍ରଥମ ସେମି ଫାଇନାଲ ମ୍ୟାଚ୍। ଏହି ହାଇ ଭୋଲଟେଜ୍ ମ୍ୟାଚ୍ ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ। ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ଭାରତ ଗ୍ରୁପ ପର୍ଯ୍ୟାୟରେ ୯ଟିରୁ ୯ଟି ମ୍ୟାଚ୍ ଜିତି ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହିଛି। ଦଳର ଏମିତି ପ୍ରଦର୍ଶନ ୨୦୦୩ ଓ ୨୦୦୭ରେ ଅଷ୍ଟ୍ରେଲିଆ ଯେମିତି ଅପରାଜୟ ରହି ବିଶ୍ଵକପ୍ ଜିତିଥିଲା, ଠିକ୍ ସେହି ସଫଳତା ଦୋହରାଇ ପାରେ ଭାରତ। ହେଲେ ଆଇସିସି ଟୁର୍ଣ୍ଣାମେଣ୍ଟର ନଟଆଉଟ୍ ସ୍ଥିତି ଭାରତୀୟ ଦଳ ସପକ୍ଷରେ ନାହିଁ। ବିଶେଷ କରି ନ୍ୟୁଜିଲାଣ୍ଡ ସପକ୍ଷରେ ଦଳର ରେକର୍ଡ ନୈରାଶ୍ୟଜନକ ରହିଛି। ଭାରତ ଓ ନ୍ୟୁଜିଲାଣ୍ଡ ଆଇସିସି ଟୁର୍ଣ୍ଣାମେଣ୍ଟରେ ୧୩ ଥର ମୁହାଁମୁହିଁ ହୋଇଛନ୍ତି। ହେଲେ ଭାରତୀୟ ଦଳ ମାତ୍ର ୪ ଥର ଜିତିବାରେ ସଫଳ ହୋଇଛି। ହେଲେ କିଛି ସପ୍ତାହ ପୂର୍ବେ ଚଳିତ ବିଶ୍ଵକପର ଲିଗ୍ ପର୍ଯ୍ୟାୟରେ ଭାରତ ନ୍ୟୁଜିଲାଣ୍ଡକୁ ହରାଇଥିଲା। ତେଣୁ ଦଳର ମନୋବଳ ବେଶ ଉର୍ଦ୍ଧ୍ଵରେ ରହିଛି। ଉଲ୍ଲେଖନୀୟ ୨୦୧୯ ବିଶ୍ଵକପ୍ର ସେମି ଫାଇନାଲ୍ରେ ନ୍ୟୁଜିଲାଣ୍ଡ ଭାରତକୁ ହରାଇଥିଲା। ଏବେ ଦେଖିବା ବାକି ରହିଲା ଆଜିର ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ ହରାଇ ନିଜର ସ୍ଥିତି ସୁଧାରିବାରେ ସଫଳ ହେଉଛି କି ନାହିଁ। ୨୦୧୯ରେ ମଧ୍ୟ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା। ହେଲେ ସେମିରେ ଅପ୍ରତ୍ୟାଶିତ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ନ୍ୟୁଜିଲାଣ୍ଡ ନିକଟରୁ ୧୮ ରନରେ ହାରିଥିଲା।
ଅଧିକ ପଢନ୍ତୁ: ନେଦରଲ୍ୟାଣ୍ଡ୍ସକୁ ୧୬୦ ରନ୍ରେ ପରାସ୍ତ କଲା ଭାରତ
ଭାରତ ପାଇଁ ସକରାତ୍ମକ ଦିଗ ହେଉଛି ଦଳର ପ୍ରତ୍ୟେକ ଖେଳାଳି ଫର୍ମରେ ଅଛନ୍ତି। ସେ ବ୍ୟାଟିଂ ହେଉ କି ବୋଲିଂ ସମସ୍ତ ୧୧ ଖେଳାଳି ଦଳ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ଅଧିନାୟକ ରୋହିତ ଶର୍ମା ଓ ତାରକା ବ୍ୟାଟର ବିରାଟ କୋହଲି ଦମଦାର ଫର୍ମରେ ଅଛନ୍ତି। କୋହଲି ୯ଟି ମ୍ୟାଚ୍ରେ ୫୯୪ ରନ କରି ସର୍ବାଧିକ ରନ ହାସଲକାରୀ ବ୍ୟାଟର ହୋଇଛନ୍ତି। ଅନ୍ୟପଟେ ରୋହିତ ଶର୍ମା ୫୦୪ ରନ କରିଛନ୍ତି। ବୋଲିଂରେ ଦଳର ପ୍ରତ୍ୟେକ ବୋଲର ନିଜ ଦମରେ ମ୍ୟାଚ୍ ଜିତାଉଛନ୍ତି। ଲିଗ୍ ପର୍ଯ୍ୟାୟରେ ବୁମରା ୧୭ ଓ୍ଵିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ଓ ରବୀନ୍ଦ୍ର ଜାଡ଼େଜା ପ୍ରତ୍ୟେକ ୧୬ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
📱 Get Argus News App
✨କ୍ରୀଡ଼ା ଖବର ଆହୁରି ପଢନ୍ତୁ
