Videos
|
National

UP BJP 209 Candidates List Fake / ୟୁପି ବିଜେପିର ୨୦୯ ପ୍ରାର୍ଥୀ ତାଲିକା ମିଛ! ଯୋଗୀ ଓ ପଙ୍କଜ ଚୌଧୁରୀଙ୍କ ସ୍ପଷ୍ଟୀକରଣ

Subhramjit Ray
Browse all articles by Subhramjit Ray
·30 mins ago·2 min read
ୟୁପି ବିଜେପିର ୨୦୯ ପ୍ରାର୍ଥୀ ତାଲିକା ମିଛ! ଯୋଗୀ ଓ ପଙ୍କଜ ଚୌଧୁରୀଙ୍କ ସ୍ପଷ୍ଟୀକରଣ
BJP Denies 209 Candidate List Rumours (Photo Source: Social Media/AI)

Key Points

୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୨୦୯ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ଖବରକୁ ଖଣ୍ଡନ କରିଛି ବିଜେପି। ଯୋଗୀ ଆଦିତ୍ୟନାଥ ଓ ପଙ୍କଜ ଚୌଧୁରୀଙ୍କ ମିଳିତ ବିବୃତ୍ତିରେ ଏହାକୁ ମିଥ୍ୟା ଓ ଭିତ୍ତିହୀନ ଗୁଜବ କୁହାଯାଇଛି। ଦଳ ସ୍ପଷ୍ଟ କରିଛି ଯେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ।

ଲକ୍ଷ୍ନୌ/ଉତ୍ତର ପ୍ରଦେଶ (16/11): ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଥିବା ନେଇ ହେଉଥିବା ଦାବି ଉପରେ ଜବାବ ରଖିଛି ଉତ୍ତର ପ୍ରଦେଶ ବିଜେପି। ଏହି ନିର୍ବାଚନ ପାଇଁ ୨୦୯ ଜଣ ସମ୍ଭାବ୍ୟ ଦଳୀୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି କେନ୍ଦ୍ରୀୟ ନେତୃତ୍ୱଙ୍କୁ ପଠାଯିବାକୁ ପ୍ରତ୍ୟାଖ୍ୟାନ କରିଛି। ଦଳୀୟ ପ୍ରାର୍ଥୀ ତାଲିକା ସମ୍ପର୍କରେ ହେଉଥିବା ଦାବି ଭ୍ରମାତ୍ମକ, ଭିତ୍ତିହୀନ ଏବଂ କପୋଳକଳ୍ପିତ ବୋଲି ଦଳ ସ୍ପଷ୍ଟ କରିଛି। ଦଳୀୟ ପ୍ରାର୍ଥୀଙ୍କ କୌଣସି ତାଲିକା ପ୍ରସ୍ତୁତ କରାଯାଇ ନାହିଁ କିମ୍ବା ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇନଥିବା ଦଳ ପକ୍ଷରୁ ସ୍ପଷ୍ଟ ଭାବରେ କୁହାଯାଇଛି।
 
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟ ବିଜେପି ସଭାପତି ପଙ୍କଜ ଚୌଧୁରୀଙ୍କ ଦ୍ୱାରା ଜାରି ଏକ ମିଳିତ ବିବୃତ୍ତିରେ ଦଳୀୟ କର୍ମକର୍ତ୍ତା, ସମର୍ଥକ, ସଙ୍ଗଠକ ଏବଂ ଜନସାଧାରଣଙ୍କୁ ବିଭିନ୍ନ ସୋସିଆଲ ମିଡି଼ଆ ମାଧ୍ୟମରେ ପ୍ରସାରିତ ହେଉଥିବା ଏପରି ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଅନୁରୋଧ କରାଯାଇଛି। ଏନେଇ ଦଳ ପକ୍ଷରୁ ଜାରି ହୋଇଥିବା ସ୍ପଷ୍ଟୀକରଣରେ କୁହାଯାଇଛି ଯେ ବିଗତ କିଛି ଦିନ ଧରି ୨୦୨୭ ବିଧାନସଭା ନିର୍ବାଚନ ପାଇଁ ୨୦୯ ଜଣ ପ୍ରାର୍ଥୀଙ୍କ ଏକ କଥିତ ତାଲିକା ପ୍ରସ୍ତୁତ କରି କେନ୍ଦ୍ରୀୟ ନେତୃତ୍ୱଙ୍କୁ ପଠାଯିବା ସମ୍ପର୍କରେ ଖବର ଲଗାତାର ପ୍ରସାରିତ ହେଉଛି। ଯାହା ସମ୍ପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ, କଳ୍ପନାମୂଳକ ଏବଂ କପୋଳକଳ୍ପିତ। ବିଜେପି ଏହି ନକଲି ଏବଂ ମିଥ୍ୟା ଖବରକୁ ସ୍ପଷ୍ଟ ଭାବରେ ଖଣ୍ଡନ କରୁଛି।

ଦଳ ପକ୍ଷରୁ ଆହୁରି କୁହାଯାଇଛି ରାଜ୍ୟ ବିଜେପି ନେତୃତ୍ୱ ଦ୍ୱାରା ଏପରି କୌଣସି ଦଳୀୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇ ନାହିଁ କିମ୍ବା କେନ୍ଦ୍ରୀୟ ନେତୃବୃନ୍ଦଙ୍କ ପାଖକୁ ପଠାଯାଇ ନାହିଁ। ଏପରି ଭ୍ରାମକ ପ୍ରଚାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଏବଂ ଅବିଶ୍ୱାସ ସୃଷ୍ଟି କରିବା ଲକ୍ଷ୍ୟରେ ଏହି ମନଗଢ଼ା ଗୁଜବ ପ୍ରସାର କରୁଛନ୍ତି। ଅନ୍ୟପଟେ ରାଜ୍ୟରେ ଆସନ୍ତା ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ସହ ଜଡ଼ିତ ପ୍ରସ୍ତୁତି ପାଇଁ ସୋମବାର ଏବଂ ମଙ୍ଗଳବାର (ନଭେମ୍ବର ୧୬-୧୭) ଦୁଇ ଦିନିଆ ରଣନୈତିକ ବୈଠକ ମଥୁରା ସ୍ଥିତ ପାର୍ଖମ ଗ୍ରାମରେ ରହିଥିବା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଗାଈ ଗବେଷଣା କେନ୍ଦ୍ରରେ କରିବ।

ଆଗାମୀ ୨୦୨୭ ବିଧାନସଭା ନିର୍ବାଚନ ପାଇଁ ୨୦୯ ଜଣ ପ୍ରାର୍ଥୀଙ୍କ ଏକ କଥିତ ତାଲିକା ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଥିଲା। ହେଲେ ଏବେ ଦଳର ରାଜ୍ୟ ନେତୃତ୍ୱଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯିବା ପରେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: