ପ୍ରଧାନମନ୍ତ୍ରୀଙ୍କ ଉପାଦେୟ ମାର୍ଗଦର୍ଶନ ଶିକ୍ଷା ସମାଜକୁ ସମୃଦ୍ଧ କରିଛି - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ସୋମବାର ଅନୁଷ୍ଠିତ ‘ପରୀକ୍ଷା ପେ ଚର୍ଚ୍ଚା’(ପିପିସି) - ୨୦୨୪ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହ ସାକ୍ଷାତ୍ ଆଲୋଚନା କରିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୌଣସି ଚାପରୁ ମୁକ୍ତି ପାଇବାକୁ ହେଲେ ନିଜକୁ ସାମର୍ଥ୍ୟବାନ କରିବା ଜରୁରୀ । ଆମ ପିଲାମାନଙ୍କ ମଧ୍ୟରେ ସ୍ଥିରତା ସୃଷ୍ଟି କରିବା ଏବଂ ସେମାନଙ୍କୁ ଚାପର ମୁକାବିଲା କରିବାରେ ସାହାଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ । ଛାତ୍ରଛାତ୍ରୀଙ୍କ ଚ୍ୟାଲେଞ୍ଜକୁ ଅଭିଭାବକ ଓ ଶିକ୍ଷକମାନେ ମିଳିତ ଭାବେ ସମାଧାନ କରିବା ଦରକାର ।
ଏହି ଅବସରରେ କଟକ ବାଙ୍କୀ ଅଞ୍ଚଳର ଛାତ୍ରୀ ରାଜଲକ୍ଷ୍ମୀ ଆଚାର୍ଯ୍ୟ ପରୀକ୍ଷା ଚାପକୁ ଦୂର କରି କିପରି ପରୀକ୍ଷା ହଲରେ ଶାନ୍ତ ରହିବେ ସେ ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ପ୍ରଧାନମନ୍ତ୍ରୀ ରାଜଲକ୍ଷ୍ମୀଙ୍କ ପ୍ରଶ୍ନର ଉତ୍ତରରେ ପରୀକ୍ଷା ବେଳେ ଚାପମୁକ୍ତ ହେବା ନେଇ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ଏକ କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ପରୀକ୍ଷା ଯୋଦ୍ଧାଙ୍କୁ ମାର୍ଗଦର୍ଶନ, ପ୍ରେରଣା ଏବଂ ସମର୍ଥନ ଦେଇଥିବାରୁ ଶିକ୍ଷା ପରିବାର ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ପରୀକ୍ଷା ପେ ଚର୍ଚ୍ଚା ଏକ ଐତିହାସିକ ଉତ୍ସବ, ଯାହା ଏକ ଜନଆନ୍ଦୋଳନର ରୂପ ନେଇସାରିଛି । ପ୍ରଧାନମନ୍ତ୍ରୀ ସମୟ ବାହାର କରି ଜଣେ ରାଷ୍ଟ୍ରୀୟ ଗୁରୁ ଭାବରେ ଜାତୀୟ ଶିକ୍ଷା ନୀତିର ସଫଳ କ୍ରିୟାନ୍ୱୟନ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ବଡ ଚ୍ୟାଲେଞ୍ଜ ତଥା ପରୀକ୍ଷା ଚାପରୁ ମୁକ୍ତି ପାଇବା ନେଇ ନେଇ ମୂଲ୍ୟବାନ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବା ଅନୁସାରେ ଛାତ୍ରଛାତ୍ରୀମାନେ ଆତ୍ମବିଶ୍ୱାସର ସହ ପରୀକ୍ଷା ଦେବା ଉଚିତ୍ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷାକୁ ହରାଇବା ଭଳି ପ୍ରେରଣା ଉଜାଗର ହେଉ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷାକୁ ବିଜୟ କରିବାର ଲକ୍ଷ୍ୟ ରହିବା ଉଚିତ୍ । ତେବେ ଯାଇ ପ୍ରଧାନମନ୍ତ୍ରୀ ମୋଦି ଦେଖିଥିବା ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ ।
📱 Get Argus News App
✨ଅଧିକ ପଢନ୍ତୁ : 'ପରୀକ୍ଷା ପେ ଚର୍ଚ୍ଚା.: କିପରି ପିଲାମାନେ ଚାପ ମୁକ୍ତ ହେବେ ସେନେଇ ଟିପ୍ସ ଦେଲେ ମୋଦି
ପରୀକ୍ଷା ପେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ‘ପରୀକ୍ଷା ପେ ଚର୍ଚ୍ଚା’ ହେଉଛି ଏକ ଶିକ୍ଷା ପର୍ବ । ଆଜିର କାର୍ଯ୍ୟକ୍ରମ ଏଭଳି ସମୟରେ ଆୟୋଜନ ହେଇଛି ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ମୋଦି ଆମ ସମସ୍ତଙ୍କ ହାତରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଦାୟିତ୍ୱ ଭାର ଯୁବପିଢିଙ୍କ ହାତରେ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ନେତୃତ୍ୱ ସହ ସେମାନଙ୍କ ମିଳିତ କାନ୍ଧରେ ହିଁ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ । ଆଜି ପ୍ରଧାନମନ୍ତ୍ରୀଙ୍କ ଉପାଦେୟ ମାର୍ଗଦର୍ଶନ ଆମ ସମସ୍ତଙ୍କୁ ସମୃଦ୍ଧ କରିଛି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ଚାପମୁକ୍ତ କରିବା ସହ ଅଧିକ ଆତ୍ମବିଶ୍ୱାସୀ କରାଇବ । ମାନସିକ ସ୍ଥିର ହୋଇ ପରୀକ୍ଷା ଦେବା ସହ ଜୀବନରେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିବା ଏବଂ ବିକଶିତ ଭାରତର ଲକ୍ଷ୍ୟ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିବାରେ ସାହାଯ୍ୟ କରିବ । ଏହା ସହ ଛାତ୍ରଛାତ୍ରୀଙ୍କ ଆହ୍ୱାନର ମୁକାବିଲା ପାଇଁ ଅଭିଭାବକ ଓ ଶିକ୍ଷକମାନଙ୍କୁ ନୂଆ ଦୃଷ୍ଟିକୋଣ ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦି ଆମ ପରୀକ୍ଷା ଯୋଦ୍ଧା ମାନଙ୍କ ପାଇଁ ସମର୍ଥନ ଓ ପ୍ରେରଣାର ସବୁଠାରୁ ଶକ୍ତିଶାଳୀ ସ୍ତମ୍ଭ ହୋଇଛନ୍ତି । ପରୀକ୍ଷା ପେ ଚର୍ଚ୍ଚା ସକାରାତ୍ମକତାର ଉପଦେଶ, ମାର୍ଗଦର୍ଶନ ଆମ ଛାତ୍ରଛାତ୍ରୀମାନଙ୍କୁ ଶୈକ୍ଷିକ ଉତ୍କର୍ଷତା ଏବଂ ସାମଗ୍ରିକ କଲ୍ୟାଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିବ ଏବଂ ପ୍ରତ୍ୟେକ ପିଲାଙ୍କ ସମ୍ପୂର୍ଣ୍ଣ ସାମର୍ଥ୍ୟକୁ ଉପଲବ୍ଧି କରିବା ପାଇଁ ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ପ୍ରେରିତ କରିବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି । ସେହିପରି ଏହି କାର୍ଯ୍ୟକ୍ରମରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ, ପରୀକ୍ଷା ଯୋଦ୍ଧା, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ ଗୁଡିକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।