ଆସିଲା `ସୁଭଦ୍ରା' ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା

Key Points
- ଆସିଲା `ସୁଭଦ୍ରା' ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା
- ଆକାଉଣ୍ଟରେ ପହଞ୍ଚିଲା 5000 ରାଶିର ସହାୟତା
- ପୂଜା ବଜାରରେ ମହିଳାଙ୍କ ମୁହଁରେ ଫୁଟିଲା ହସ
ଅର୍ଗସ ବ୍ୟୁରୋ: ଓଡ଼ିଶାର ସବୁଠୁ ଅଧିକ ମହିଳା ସାମିଲ୍ ହେଉଥିବା ଯୋଜନା `ସୁଭଦ୍ରା' । ମହିଳାଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା । ପ୍ରାୟ ୩୫ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ଖାତାକୁ ଯାଇଛି ୫ ହଜାର ଲେଖାଏଁ ଟଙ୍କା । ସୁଭଦ୍ରା କ୍ଷେତ୍ର ବାରିପଦାର ଛଉ ପଡ଼ିଆରେ ଆୟୋଜିତ ସଭାରେ ୧୭୫୦ କୋଟି ଟଙ୍କାର ସୁଭଦ୍ରା ସହାୟତା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇଟି ପର୍ଯ୍ୟାୟରେ ମୋଟ ୩ ହଜାର କୋଟି ଟଙ୍କାର ସହାୟତା ଦିଆଗଲାଣି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାର ଯାହା ପ୍ରତିଶ୍ରୁତି ଦିଏ, ତାକୁ ଅକ୍ଷରେ ଅକ୍ଷରେ ପାଳନ କରେ । ସୁଭଦ୍ରା ଯୋଜନା ଓଡ଼ିଶାର ସର୍ବବୃହତ୍ତ ଯୋଜନା । ଡବଲ ଇଞ୍ଜିନ୍ ସରକାରରେ ଡବଲ ବିକାଶ ହେବ, ଡବଲ ଫାଇଦା ମିଳିବ । ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ମହିଳା ସଶକ୍ତିକରଣ ଓ ସମୃଦ୍ଧି ପାଇଁ ଜନକଲ୍ୟାଣକାରୀ ଯୋଜନା ହେଉଛି `ସୁଭଦ୍ରା' ।
ସୁଭଦ୍ରାରେ ଏଯାବତ ୧ କୋଟି ୫୦ ହଜାର ମହିଳା ରେଜିଷ୍ଟ୍ରେସନ କଲେଣି । ଦୁଇଟି ପର୍ଯ୍ୟାୟରେ ମୋଟ ୬୦ ଲକ୍ଷ ମହିଳାଙ୍କୁ ସହାୟତା ରାଶି ମିଳିଛି । ଖୁବ୍ଶୀଘ୍ର ତୃତୀୟ ପର୍ଯ୍ୟାୟରେ ବାକି ହିତାଧିକାରୀଙ୍କୁ ଟଙ୍କା ମିଳିବ । କୌଣସି ଯୋଗ୍ୟ ହିତାଧିକାରୀଙ୍କ ଆବେଦନପତ୍ର ଖାରଜ କରାଯିବନି ।.. ଘରକୁ ଘର ଯାଇ, ବ୍ଲକ ବା ଜିଲ୍ଲା ପ୍ରଶାସନ ଜରିଆରେ ଯୋଗ୍ୟ କରିବୁ । ଯେଉଁମାନେ ନପାଇ ୨ ଥର ଆବେଦନ କରୁଛନ୍ତି, ସେସବୁ ଅନାବଶ୍ୟକ ।.ଆଉ ଆବେଦନ ନକରି କଣ ତ୍ରୁଟି ରହିଛି ତାକୁ ସଂଶୋଧନ କରନ୍ତୁ ବୋଲି ସଭା ପରେ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
2024 ମହାଲଢେଇରେ ବିଜେପି ତାର ଇସ୍ତାହାରରେ ଘୋଷଣା କରିଥିଲା, ଯଦି ରାଜ୍ୟରେ ବିଜେପି କ୍ଷମତାକୁ ଆସେ ତେବେ ମହିଳାଙ୍କୁ ସଶକ୍ତ କରିବା ପାଇଁ 50,000 ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ।ସେତେବେଳେ ଭି.କେ ପାଣ୍ଡିଆନ୍ କହିଥିଲେ, ଏପରି ହେଲେ ଓଡ଼ିଶା 25ବର୍ଷ ତଳକୁ ପଳେଇବ । ଏବେ ସୁଭଦ୍ରା ଟଙ୍କା ମହିଳାଙ୍କୁ ସ୍ଵାବଲମ୍ବୀ ହେବାର ରାହା ଦେଖାଇଛି । ରାଜ୍ୟ ସାରା ମହିଳାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ପୂର୍ବରୁ ପଶ୍ଚିମ.... ଉତ୍ତରରୁ ଦକ୍ଷିଣ ସବୁଠି ଖୁସିର ଲହରୀ । ତେବେ ୧ କୋଟିରୁ ଉର୍ଦ୍ଧ୍ଵ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିବ ବୋଲି କହିଛନ୍ତି ସରକାର ।
ଅଧିକ ପଢ଼ନ୍ତୁ ଓଡିଶା ଖବର: