Videos
|
Odisha

ଖଣି କ୍ଷେତ୍ରରେ ରୟାଲ୍‌ଟି ଏଡ଼ାଇବାକୁ ଖଣି ଲିଜ୍‌ଧାରୀମାନଙ୍କ କାରସାଦିକୁ ଧରିଛି ସିଏଜି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଖଣି କ୍ଷେତ୍ରରେ ରୟାଲ୍‌ଟି ଏଡ଼ାଇବାକୁ ଖଣି ଲିଜ୍‌ଧାରୀମାନଙ୍କ କାରସାଦିକୁ ଧରିଛି ସିଏଜି

ଅର୍ଗସ ବ୍ୟୁରୋ:  ୧୪ ହଜାର ୪୫୭ କୋଟି ଟଙ୍କାର ଖଣି ଦୁର୍ନୀତି ଧରିଲେ ସିଏଜି । ଖଣି କ୍ଷେତ୍ରରେ ରୟାଲ୍‌ଟି ଓ ପ୍ରିମିୟମ୍ ଏଡ଼ାଇବାକୁ ଖଣି ଲିଜ୍‌ଧାରୀମାନେ ଯେଉଁ ସବୁ କାରସାଦି କରିଛନ୍ତି, ତାହାକୁ ଧରିଛନ୍ତି   ସିଏଜି । ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଉପସ୍ଥାପନ କରିଥିବା ଖଣି ରାଜସ୍ବ ସମ୍ପର୍କିତ ଅଡିଟ୍ ରିପୋର୍ଟରେ ଏ ସଂକ୍ରାନ୍ତରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଉଚ୍ଚ ମାନର ଖଣିଜ ପଦାର୍ଥକୁ ନିମ୍ନ ମାନ ଓ ଲୁହାପଥର ଗୁଣ୍ଡକୁ ସ୍କ୍ରିନ୍ ଫାଇନ୍ ଦର୍ଶାଇ କୋଟି କୋଟି ଟଙ୍କା ହରିଲୁଟ୍ କରାଯାଇଛି। କେବଳ ସେତିକି ନୁହେଁ, ବିଭିନ୍ନ ଉପାୟରେ ରୟାଲ୍‌ଟି ଓ ପ୍ରିମିୟମ୍ ଏଡ଼ାଇବାକୁ ଖଣି ଲିଜ୍‌ଧାରୀମାନେ ଉଦ୍ୟମ କରିଛନ୍ତି। ଏସବୁ କାରଣରୁ ରାଜ୍ୟ ସରକାର ୧୪ ହଜାର ୪୫୭ କୋଟି ଟଙ୍କାର ଖଣି ରାଜସ୍ବ ପାଇବାରୁ ବଞ୍ଚିତ ହୋଇଛନ୍ତି।

ଉଚ୍ଚମାନର ଖଣିଜ ପଦାର୍ଥକୁ ନିମ୍ନମାନର ଦର୍ଶାଯାଇଥିବାରୁ ୪ ହଜାର ୧୬୨.୭୭ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ବେଳେ ଲୁହାପଥର ଗୁଣ୍ଡକୁ ସ୍କ୍ରିନ୍ ଫାଇନ୍ ଦର୍ଶାଯାଇଥିବାରୁ ୧୦ ହଜାର ୨୯୪.୨୪ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ସିଏଜି କହିଛନ୍ତି। କେବଳ ସେତିକି ନୁହେଁ, କମ୍ ରୟାଲ୍‌ଟି ଦେବା ପାଇଁ ଲିଜ୍‌ଧାରୀମାନେ ବାଣିଜ୍ୟ କର ଓ ଖଣି ମଣ୍ଡଳକୁ ବିକ୍ରିର ଭୁଲ୍‌ ତଥ୍ୟ ଦେଉଛନ୍ତି। ସେଥିପାଇଁ ୯୦୫.୬୬ କୋଟି ଟଙ୍କାର ରୟାଲ୍‌ଟି ଆଦାୟ ହୋଇପାରିନାହିଁ। ଜିଲ୍ଲା ଖଣିଜ ପାଣ୍ଠି ପାଇଁ ଆଦାୟ ହେବାର ଥିବା ୨୭୧.୭୦ କୋଟି ଟଙ୍କା ଓ ଜାତୀୟ ଖଣିଜ ଅନୁସନ୍ଧାନ ଟ୍ରଷ୍ଟର ୧୮.୧୧ କୋଟି ଟଙ୍କା ଆଦାୟ ହୋଇପାରିନଥିଲା। ରାଜ୍ୟର କୌଣସି ସହରରେ ମାଷ୍ଟର ପ୍ଲାନ ହୋଇନାହିଁ। ପୁରୀର କୌଣସି ହୋଟେଲ କମର୍ସିଆଲ କାଟାଗୋରିରେ ନାହିଁ। ସମସ୍ତ କିସମ ଚାଷ ଜମି ରହିଛି।

ଏହା ଦ୍ବାରା ସରକାରଙ୍କ ରାଜସ୍ବ ନଷ୍ଟ ହେଉଛି ବୋଲି ସିଏଜି ରିପୋର୍ଟରେ ପ୍ରକାଶ ପାଇଛି । ସେପଟେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି। ଯୋଜନାର ପ୍ରକୃତ ଅର୍ଥ ଥିଲା ମୁଖ୍ୟ ରାସ୍ତା ସହ ସଂଯୋଗ। କେଉଁଠି ସଡ଼କ ନିର୍ମାଣ ହେବ ଏହାକୁ ଜେଇଇମାନେ ନିଜେ ସ୍ଥିର କରିଥିଲେ। ଏନେଇ କୌଣସି ସର୍ଭେ ହୋଇନାହିଁ। ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ମୁଖ୍ୟ ରାସ୍ତା ସହ ସଂଯୋଗ କରିବାର ଲକ୍ଷ୍ୟ ଥିଲା। ଅଧିକାଂଶ ରାସ୍ତା ବ୍ୟବହାରରେ ଆସୁନାହିଁ ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଖରାପ ଯୋଜନା ପାଇଁ ଉଭୟ ଭୁବନେଶ୍ବର ଏବଂ ରାଉରକେଲା ସ୍ମାର୍ଟ ସିଟିରେ ଯୋଜନାର ମାତ୍ର ୩୬ ଏବଂ ୩୭ ପ୍ରତିଶତ କାର୍ଯ୍ୟକାରୀ ହୋଇଥିବା ସିଏଜି ରିପୋର୍ଟ ଦର୍ଶାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: