ଭୁବନେଶ୍ୱରରେ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ, ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ । ତା ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବରକୁ ସ୍ବଚ୍ଛ, ସୁନ୍ଦର ଓ ଆକର୍ଷଣୀୟ କରି ସଜାଇବା ସହ ସହରବାସୀଙ୍କ ସହଭାଗୀତାରେ ପ୍ରସ୍ତୁତି କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରବାସୀ ଭାରତୀୟ ଦିବସର ପ୍ରଥମ ଦିନ ଜାନୁଆରୀ ୮ ତାରିଖରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟ ଶଙ୍କର, ଦ୍ବିତୀୟ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶେଷ ଦିନ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ଓଡିଶାର ଭିଜନକୁ ମଧ୍ୟ ପ୍ରଦର୍ଶନ କରାଯିବ। ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହେଉଛି।
ବିଶ୍ବ ଦରବାରରେ ଓଡିଶାକୁ ପ୍ରତିଷ୍ଠିତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପ୍ରଧାନମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମ ଉପରେ ଅତ୍ୟନ୍ତ ଗୁରୁତ୍ବାରୋପ କରୁଛନ୍ତି। ତେଣୁ ଏହାକୁ ତ୍ରୁଟିଶୂନ୍ୟ ଭାବେ ଆୟୋଜିତ କରି ସମଗ୍ର ବିଶ୍ବ ଦରବାରରେ ଓଡିଶାର ଭାବମୂର୍ତ୍ତୀକୁ ଉଜ୍ଜଳ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏହି ସମୟରେ ଭୁବନେଶ୍ବରରେ ପ୍ରାୟ ୧୦ଟି ମହୋତ୍ସବ ଆୟୋଜିତ ହେବ। ଜାନୁଆରୀ ୭ରୁ ୧୧ ପର୍ଯ୍ୟନ୍ତ ରାଜାରାଣୀ ମ୍ୟୁଜିକ ଫେଷ୍ଟିଭାଲ, ମୁକ୍ତେଶ୍ବର ଡ୍ୟାନ୍ସ ଫେଷ୍ଟିଭାଲ, ଇଣ୍ଟରନ୍ୟାସନାଲ ଓଡିଶୀ ଡ୍ୟାନ୍ସ ଫେଷ୍ଟିଭାଲ, ଆଦିବାସୀ ନୃତ୍ୟ ଓ ଲୋକକଳା ଫେଷ୍ଟିଭାଲ ସହ ଫ୍ଲାୱାର ସୋ ଆୟୋଜିତ ହେବ । ଜାନୁଆରୀ ୫ରୁ ୧୫ ପର୍ଯ୍ୟନ୍ତ ଆଦିବାସୀ ମେଳା, ଜାନୁଆରୀ ୬ରୁ ୧୨ ପର୍ଯ୍ୟନ୍ତ ଚିଲିକା ବାର୍ଡ ଫେଷ୍ଟିଭାଲ ହେବ । ଜାନୁଆରୀ ୮ରୁ ୧୦ ପର୍ଯୃନ୍ତ ଫୁଡ୍ ଫେଷ୍ଟ ଓ ନାଇଟ୍ ଫ୍ଲି ମାର୍କେଟ ଆୟୋଜିତ ହେବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: