ଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ 24 ବର୍ଷର ସ୍ଥିର ସରକାର

Key Points
- ଉପକୂଳରୁ ଉପାନ୍ତ, ଉତ୍କଟ ଜଳକଷ୍ଟ
- ରାଜ୍ୟରେ ପାଣି ସମସ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବେଗ
- ଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ 24 ବର୍ଷର ସ୍ଥିର ସରକାର
- ରାୟଗଡ଼ାରୁ ଭବାନୀପାଟଣା, ମୋରଡ଼ାରୁ ଟିଟଲାଗଡ଼ ସବୁଠି ହାହାକାର
ଅର୍ଗସ ବ୍ୟୁରୋ: ବସନ୍ତରେ ପାଣି ପାଇଁ ହାହାକାର, ଗ୍ରୀଷ୍ମ ଆସିବା ଆଗରୁ ଗାଁରୁ ସହର, ଉପାନ୍ତରୁ ଉପକୁଳ ସବୁଠି ସ୍ଥିତି ଜଟିଳ । ରାଜ୍ୟରେ 24 ବର୍ଷର ସ୍ଥିର ସରକାରଙ୍କ ଅପାରଗତାର ଫଳ ଭୋଗୁଛନ୍ତି ଜନତା । ଶୁଦ୍ଧ ପାଣି ବୁନ୍ଦାଏ ପାଇବାକୁ କୂଅ, ନଳକୂପ ଆଗରେ ଲମ୍ବୁଛି ମହିଳାଙ୍କ ଲମ୍ବା ଲାଇନ । ପଦାରେ ପଡ଼ିଛି ସରକାରଙ୍କ ବସୁଧା, ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ମିଛ ପ୍ରଚାର । ଖରା ଆରମ୍ଭରୁ ବଢୁଛି ଜଳ କଷ୍ଟ, କେଉଁଠି ଚୁଆ ପାଣି ଭରସା ତ ଆଉ କେଉଁଠି ଦୂଷିତ ପୋଖରୀ ପାଣିରେ ମେଣ୍ଟୁଛି ଲୋକଙ୍କ ଶୋଷ । ଲୋକଙ୍କ ଅସନ୍ତୋଷ ନେଉଛି ପ୍ରତିବାଦର ରୂପ । ରାୟଗଡ଼ାରୁ ଭବାନୀପାଟଣା, ମୋରଡ଼ାରୁ ଟିଟଲାଗଡ଼ ସବୁଠି ପାଣି ପାଇଁ ଲୋକେ ଡହଳବିକଳ ହେଉଥିବାବେଳେ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାୟଗଡ଼ା ଜିଲ୍ଲା ଗୁମା ପଞ୍ଚାୟତର କଲୋନୀ ସାହି ବାସିନ୍ଦାଙ୍କ ଦୁଃଖ । ଗାଁରେ ଥିବା ଏକମାତ୍ର ନଳକୂପରୁ ବାହାରୁଥିବା ଦୁର୍ଗନ୍ଧ ଯୁକ୍ତ ଗୋଳିଆ ପାଣି ବାହାରୁଥିବାରୁ ଲୋକେ ବାଧ୍ୟ ହୋଇ ପିଉଛନ୍ତି ଚୁଆ ପାଣି । ଦୂଷିତ ଜଳ ବ୍ୟବହାର କାରଣରୁ ବହୁ ଗ୍ରାମବାସୀ ବିଭିନ୍ନ ରୋଗରେ ପୀଡ଼ିତ ହେଉଥିବା ଦେଖିବାକୁ ମିଳୁଛି । ପ୍ରତିବାଦରେ ଗ୍ରାମବାସୀ କିଛିଦିନ ପୂର୍ବରୁ ରାଜରାସ୍ତା ଅବରୋଧ କରିଥିଲେ ବି କୌଣସି ସୁଫଳ ମିଳିନାହି।
ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଓ ବସୁଧା ଯୋଜନାର ପ୍ରଚାର ପୋଲ ଖୋଲିଛନ୍ତି ଟିଟିଲାଗଡ଼ବାସୀ । ମୁଣ୍ଡଫଟା ଖରାରେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ପାନୀୟ ଜଳ ବ୍ୟବସ୍ଥା ଦାବି କରିଛନ୍ତି ଲୋକେ । ସ୍ଥାନୀୟ ପ୍ରଶାସନ ଟ୍ୟାପ ଯୋଗେ ପାଣି ଯୋଗାଇ ଦେଉଥିବା ଘୋଷଣା କରୁଥିବାବେଳେ ବାସ୍ତବତା ସମ୍ପୂର୍ଣ୍ଣ ଓଲଟା । ବାଲେଶ୍ବର, ଭବାନିପାଟଣା, ଭଞ୍ଜନଗରରେ ମଧ୍ୟ ସମାନ ସ୍ଥିତି । ଖରାରେ ହାତରେ ମୁଣ୍ଡରେ ଗରା ଓ ମାଠିଆ ଧରି ମହିଳା, ବୃଦ୍ଧା ଲମ୍ବା ଲାଇନ ଲଗାଇଛନ୍ତି । ଅନେକ ଗାଁରେ ବସୁଧା ଯୋଜନାରେ ଜଳଯୋଗାଣର ଫଳକ ଲାଗିଥିଲେ ବି ଜଳ ଯୋଗାଣ ବ୍ୟବସ୍ଥା ନାହିଁ ।
📱 Get Argus News App
✨ଅର୍ଗସ କ୍ୟାମେରାରେ ଧରାପଡ଼ିଛି ଶୁଦ୍ଧ ପିଇବା ପାଣି ଯୋଗାଣର ସତ। ରାଜ୍ୟରେ 24 ବର୍ଷ ସ୍ଥିର ସରକାରରେ ବିକାଶର ଦୁର୍ଭାଗ୍ୟଜନକ ଚିତ୍ର, ମିଛ ପ୍ରତିଶ୍ରୁତି ଓ ପ୍ରଚାରର ଖୋଲିଛି ପୋଲ୍ । ଦୂଷିତ ପାଣି ପିଇ ହୀରାକୁଦ ଓ ସମ୍ବଲପୁରରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଲୋକଙ୍କ ଜୀବନ ଯାଉଥିଲେ ସତ ସ୍ବୀକାର କରୁନାହାନ୍ତି ସରକାର । ବରଂ ବଦନାମ ହେବା ପରେ ସତ ଲୁଚାଇବାକୁ କରୁଛନ୍ତି ପ୍ରୟାସ ।
ଆହୁରି ପଢନ୍ତୁ ଓଡିଶା ଖବର...