ବିଜେପି ସରକାରର ପ୍ରଥମ କ୍ୟାବିନେଟରେ 4 ବଡ଼ ନିଷ୍ପତ୍ତି

ଅର୍ଗସ ବ୍ୟୁରୋ: ଶପଥ ନେଉନେଇ ଆକ୍ସନରେ ଓଡ଼ିଶାର ପ୍ରଥମ ବିଜେପି ସରକାର। ପ୍ରଥମ କ୍ୟାବିନେଟରେ 4 ବଡ଼ ନିଷ୍ପତିରେ ଲାଗିଲା ମୋହର।
କ୍ୟାବିନେଟରେ ମୋହର ଲାଗିବାର 12 ଘଣ୍ଟା ନବିତୁଣୁ ପୂରଣ ହୋଇଛି ପ୍ରଥମ ନିଷ୍ପତି। ଖୋଦ୍ ମୁଖ୍ୟମନ୍ତ୍ରୀ ଓ ପୂରା ମନ୍ତ୍ରୀ ପରିଷଦର ଉପସ୍ଥିତିରେ ମଙ୍ଗଳ ଆଳତୀ ପରେ ପରେ ଖୋଲିଛି ଶ୍ରୀମନ୍ଦିର ଚାରି ଦ୍ବାର। ଏଥିସହ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ରଖିଛି ବିଜେପି ସରକାର।
ଶ୍ରୀମନ୍ଦିର ଉନ୍ନତି କରଣ , ସଂରକ୍ଷଣ, ତୀର୍ଥଯାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ଗଠନ ହେବ 500 କୋଟିର କର୍ପସ ଫଣ୍ଡ। ପ୍ରଥମ କ୍ୟାବିନେଟରେ ଏହି ବଡ଼ ନିଷ୍ପତିରେ ମୋହର ଲଗାଇଛନ୍ତି ବିଜେପି ସରକାର। କ୍ୟାବିନେଟ୍ ବୈଠକ ପରେ ଏନେଇ ସୂଚନା ଦେଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝି।
2024 ନିର୍ବାଚନୀ ସଂକଳ୍ପ ପତ୍ରରେ ଓଡ଼ିଶାରେ ସରକାରକୁ ଆସିଲେ ଚାଷୀଙ୍କଠାରୁ ଧାନ କ୍ବିଣ୍ଟାଲ ପିଛା 31ଶହ ଟଙ୍କାରେ ଧାନ କଣିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି। ପ୍ରଥମ କ୍ୟାବିନେଟରେ ସେ ଉପରେ ନିଆଯାଇଛି ବଡ଼ ନିଷ୍ପତ୍ତି। ଏହାକୁ କାର୍ଯ୍ୟକାରୀ କରିବାକୁ ସମୃଦ୍ଧ କୃଷକ ନୀତି ଲାଗୁ କରାଯିବା ଉପରେ ମୋହର ଲଗାଇଛି କ୍ୟାବିନେଟ୍।
ସେହିପରି ବିଜେପିର ସଂକଳ୍ପ ପତ୍ରରେ ଆଉ ଏକ ବଡ଼ ପ୍ରତିଶ୍ରୁତି ଥିଲା ସୁଭଦ୍ରା ଯୋଜନା। ଏନେଇ ମଧ୍ୟ ପ୍ରଥମ କ୍ୟାବିନେଟରେ ଲାଗିଛି ମୋହର 100 ଦିନ ଭିତରେ ଏହାର ମାର୍ଗଦର୍ଶିକା ପ୍ରସ୍ତୁତ କରି ରୂପରେଖ ବନାଇବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେପି ସରକାର। ସୁଭଦ୍ରା ଯୋଜନା ଅନ୍ତର୍ଗତ ମହିଳାମାନଙ୍କୁ 50 ହଜାର ଟଙ୍କାର ନଗଦ ଭାଉଚର ଦିଆଯିବର ରହିଛି ବ୍ୟବସ୍ଥା।
ରାଜ୍ୟ ବିଜେପି ସରକାରର ପ୍ରଥମ କ୍ୟାବିନେଟରେ ନିଆଯାଇଥିବା ଏହି 4 ନିଷ୍ପତ୍ତିକୁ ସ୍ବାଗତ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଯେଉଁ ଭରସାରେ ଓଡ଼ିଶାବାସୀ 25 ବର୍ଷର ବିଜେଡି ଶାସନକୁ ହଟାଇ ବିଜେପି ହାତରେ ଶାସନଭାର ଦେଇଛନ୍ତି ପ୍ରଥମ କ୍ୟାବିନେଟରେ ସେହି ଭରସା ରଖିବାକୁ ଭରପୂର ପ୍ରୟାସ କରିଛି ବିଜେପି ସରକାର। ଆଉ ନିଜ ପ୍ରତିଶ୍ରୁତି ପାଳନ ନେଇ ଦେଖାଇଛି ପ୍ରତିବଦ୍ଧତା।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର