Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କ ଜୀବନ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କ ଜୀବନ

ଅର୍ଗସ ବ୍ୟୁରୋ : ଭୋର ରକ୍ତରାଗର ରକ୍ତ ଚା’ ପିଇ କଅଁଳିଥିବା ଗୋଟିଏ ମୃତ୍ୟୁର ପାଇଁ ଲୁହ ଢାଳୁଛି ସମର ଝୋଳ । ମୃତ୍ୟୁର ପାପୁଲି ସନ୍ଧିରେ ମୁଣ୍ଡ ଗୁଞ୍ଜିଥିବା ଲୋକଙ୍କ ପାଇଁ ଆଜି କାନ୍ଦୋବୋବାଳି । ଜୀବନର ବାସିଚୁଲି ଫୁଙ୍କିଫୁଙ୍କି ଝଡ଼ ପଶି ଆସିଛି ମୃତ୍ୟୁ । ମୃତ୍ୟୁର ସ୍ପର୍ଶରେ ସତେ ଯେମିତି ସଞ୍ଚରିଯାଇଛି ସଇତାନର ସାମ୍ରାଜ୍ୟ । ଆଖିର ତୁଠରେ ଡଙ୍ଗାଟିଏ ଆସି ଲାଗିଛି । କାନ୍ଦକାନ୍ଦ ପରିବାର । ଲହୁଲୁହାଣ ମନ । ରକ୍ତରେ ଗାଧୋଇଛି ସମରଝୋଳ ଛକ ।ଗୁରୁବାର ଭୋର୍ 5ଟା। ଆସିକାରୁ ବ୍ରହ୍ମପୁର ପଟକୁ ଯାଉଥିଲା ଯାତ୍ରୀବାହି ବସ୍ । ଠିକ୍ ତା ବିପରୀତ ଦିଗରୁ ଆସିକା ପଟକୁ ଦ୍ରୁତଗତିରେ ମାଡ଼ି ଆସୁଥିବା ତେଲ ଟ୍ୟାଙ୍କର୍ । ଏକ ଟ୍ରକକୁ ଓଭରଟେକ୍ କରିବାକୁ ଯାଇ ହଠାତ୍ ଟ୍ୟାଙ୍କର୍ ଟି ବସକୁ ଧକ୍କା ଦେଇଥିଲା । ଆଉ ଆଖି ପିଛୁଳାକେ କେହି କିଛି ଭାବିବା ଆଗରୁ ଘଟିଗଲା ବଡ଼ ଅଘଟଣ । ବସଟି ମାଡ଼ି ଯାଇଥିଲା ରାସ୍ତାକଡ଼ ଦୋକାନ ଉପରକୁ । ଦୋକାନରେ ବସି ଚାହା ପିଉଥିବାବେଳେ ବସ୍ ତଳେ ଚାପି ହୋଇ ଯାଇଥିଲା 4 ନୀରିହ  ଜୀବନ । ଘଟଣାରେ 13 ଜଣ ଆହତ ହୋଇ ଏମକେସିଜିରେ ଚିକିତ୍ସାଧୀନ ଅଛନ୍ତି । 

ଅଧିକ ପଢନ୍ତୁ : ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସବୁଠୁ ହୃଦୟ ବିଦାରକ,ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ଅଛନ୍ତି ସମରଝୋଳର ଦୁଇ ସମୁଦି ପଞ୍ଚୁ ଗୌଡ଼ ଏବଂ ଅରକ୍ଷିତ ଗୌଡ଼ । ପ୍ରତିଦିନ ଭଳି ଆଜି ସକାଳୁ ବି ଚାହା ପିଇବା ପାଇଁ ଯାଇଥିଲେ । ହେଲେ କିଏ ଜାଣିଥିଲା ଏହା ତାଙ୍କର ଶେଷ ଚାହା ହେବ ବୋଲି । ଘଟଣାରେ ଦୁଃଖ ପ୍ରକାଶ ସହ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଏବଂ ଗୁରୁତର ଆହତଙ୍କୁ 1 ଲକ୍ଷ ଟଙ୍କା ଅର୍ଥ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ସେପଟେ ମେଡିକାଲରେ ଆହତଙ୍କୁ ଭେଟିଛନ୍ତି ପରିବହନ ମନ୍ତ୍ରୀ ବିଭୂତିଭୁଷଣ ଜେନା ଏବଂ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । କାହିଁକି ଏପରି ଘଟଣା ଘଟିଲା ତାର ତଦନ୍ତ କରାଯିବ ଏବଂ ବ୍ରହ୍ମପୁରରୁ ତପ୍ତପାଣି ଏବଂ ବ୍ରହ୍ମପୁରରୁ ଭଞ୍ଜନଗର ସ୍ପିଡ଼ ବ୍ରେକର୍ ଲାଗିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।ବାରମ୍ବାର ଗଞ୍ଜାମରେ ଏଭଳି ବଡ଼ ଦୁର୍ଘଟଣା ଘଟୁଥିବାବେଳେ ଆଗାମୀ ଦିନରେ ଦୁର୍ଘଟଣା ରୋକିବା ପାଇଁ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 people lost their lives in a fatal road accident | Argus News