Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

46 ବର୍ଷ ପ୍ରତୀକ୍ଷାର ଅନ୍ତ: ଖୋଲିଲା ଭିତର ରତ୍ନ ଭଣ୍ଡାର ଦ୍ବାର

Ritu Das
Browse all articles by Ritu Das
·2 years ago·2 min read
46 ବର୍ଷ ପ୍ରତୀକ୍ଷାର ଅନ୍ତ: ଖୋଲିଲା ଭିତର ରତ୍ନ ଭଣ୍ଡାର ଦ୍ବାର

ଅର୍ଗସ ବ୍ୟୁରୋ: ଆଜି ଶୁଭମୁହୁର୍ତ୍ତରେ ପ୍ରଥମେ ବାହାର ଭଣ୍ଡାର ଖୋଲାଯାଇଥିଲା । ସମସ୍ତ ଅଳଙ୍କାରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ କୁ ନିଆଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପରେ ଖୋଲାଯାଇଥିଲା ଭିତର ରତ୍ନ ଭଣ୍ଡାର । ନକଲି ଚାବିରେ ନ ଖୋଲିବା କାରଣରୁ ଏସଓପି ଅନୁସାରେ 3ଟି ତାଲାକୁ ଭଙ୍ଗାଯାଇଥିଲା । ଭିତର ରତ୍ନ ଭଣ୍ଡାର ଦ୍ବାର ଖୋଲିବା ପରେ ସମସ୍ତେ ପ୍ରବେଶ କରିଥିଲେ । ଭିତର ରତ୍ନ ଭଣ୍ଡାରକୁ ଯିବା ପରେ କମିଟି ଦେଖିଥିଲା ସେଠାରେ ସିନ୍ଧୁକ ଓ ଆଲମିରାରେ ଅଳଙ୍କାର ରହିଛି । ତେବେ ସିନ୍ଧୁକ ଓ ଆଲମିରାକୁ ଆଜି ଖୋଲାଯାଇନାହିଁ । ଆଉ ଗୋଟିଏ ଦିନ ଭିତର ରତ୍ନ ଭଣ୍ଡାରରେ ଥିବା ସ୍ବର୍ଣ୍ଣ ଅଳଙ୍କାରକୁ ଖୋଲାଯିବ । ଆଜି କେବଳ ଭିତର ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ କରାଯାଇଛି। 

ଗତକାଲି ଠାରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ରାତିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଏସପି ପିନାକ ମିଶ୍ର ଶ୍ରୀମନ୍ଦିର ଭିତରକୁ ଯାଇ ସୁନା ଅଳଙ୍କାର ସ୍ଥାନାନ୍ତର ପାଇଁ ସ୍ଥାନ ଚିହ୍ନଟ କରିଥିଲେ। ଆଜି ସକାଳ 10ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ ପୂର୍ବରୁ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ବାବା ଲୋକନାଥଙ୍କ ଠାରୁ ଆଜ୍ଞାମାଳ ପ୍ରଦାନ କରାଗଲା। ହର ହର ମହାଦେବ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ବଡ ଦାଣ୍ଡ।

ମା' ବିମଳାଙ୍କୁ ଗୁଆ ଟେକା ପରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ତମାମ୍ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ହାଇମାକ୍ସ ଲାଇଟ୍, 15ଜଣିଆ ଓଡ୍ରାଫ ଟିମ୍, ସାପ ଧରାଳୀ ମନ୍ଦିର ଭିତରକୁ ଯାଇଥିଲେ । ଏଥିସହ ସୁନା ଅଳଙ୍କାର ରଖିବା ପାଇଁ 6ଟି ସିନ୍ଧୁକ ଶ୍ରୀମନ୍ଦିର ଭିତରକୁ ଯାଇଥିଲା। ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ଏସବୁ ସିନ୍ଧୁକରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ରଖାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରେ ଦିନ 1.28 ମିନିଟ ସମୟରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ 11 ଜଣିଆ କମିଟି। କମିଟିର ଅଧ୍ୟକ୍ଷ ଜଷ୍ଟିସ ରଥ, କମିଟିର ସଦସ୍ୟ ସି.ବି.କେ ମହାନ୍ତି,ଗଜପତିଙ୍କ ପ୍ରତିନିଧି ପ୍ରବୀଣ ପରିଡା,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁ , ଏଏସଆଇ ଓଡିଶା ମୁଖ୍ୟ ଡି.ବି ଗଡନାୟକ, ରତ୍ନ ଭଣ୍ଡାର ସବକମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ ନାରାୟଣ ମେକାପ, ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ ଓ ତଢାଉକରଣ ସୁଧାଶୁଂ ଶେଖର ପଟ୍ଟନାୟକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । 

ନକଲି ଚାବି ନେଇ ପ୍ରବେଶ କରିଥିଲେ ନିତି ପ୍ରଶାସକ । ମନ୍ଦିରକୁ ପ୍ରବେଶ କରିବା ପରେ ମା ବିମଳା, ମା ଲକ୍ଷ୍ମୀଙ୍କ ସହ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିଥିଲେ । ପରେ ପାରମ୍ପରିକ ଧୋତି ଗାମୁଛା ପରିଧାନ କରି ଶୁଭ ମୁହୂର୍ତ୍ତ 1.28ରେ ଜଗମୋହନକୁ ପ୍ରବେଶ କରିଥିଲେ। ରାଜ୍ୟ ସରକାରଙ୍କ ଅନୁମତି ପରେ ରତ୍ନ ଅଳଙ୍କାରର ଗଣତି ମଣତି ଆରମ୍ଭ ହେବ । ତେବେ ଶ୍ରୀମନ୍ଦିର ଭିତରକୁ ଯିବା ପୂର୍ବରୁ କମିଟିର ଅଧ୍ୟକ୍ଷ ଜଷ୍ଟିସ ରଥ ସମସ୍ତଙ୍କୁ ଶ୍ରୀମନ୍ଦିର ଭିତରେ ଘଟୁଥିବା କୌଣସି କଥାକୁ ସାର୍ବଜନୀନ ନ କରିବାକୁ ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
46 years of | Argus News