୫ କଲରାପତରିଆ ଚମଡ଼ା ଜବତ: ୭ ମାଫିଆ ଗିରଫ

ଅର୍ଗସ ବ୍ୟୁରୋ: ଜଙ୍ଗଲୀ ବିଲେଇ ଚମଡା ସହ ବିପୁଳ ବଜ୍ରକାପ୍ତା କାତି ଜବତ ହୋଇଛି । ଅନ୍ତଃରାଜ୍ୟ ବନ୍ୟପ୍ରାଣୀ ଚୋରାକାରବାର କରୁଥିବା ବଡ଼ ରାକେଟ୍ର ପର୍ଦ୍ଦାଫାସ କରିଛି ଗଜପତି ଜିଲ୍ଲା ବନ୍ୟପ୍ରାଣୀ ବିଭାଗ । ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ବନ କର୍ମଚାରୀ ୭ ମାଫିଆଙ୍କୁ ଘଟଣା ସ୍ଥଳରୁ ଗିରଫ କରିଛି । ସେମାନଙ୍କଠାରୁ ୫ଟି କଲରାପତରିଆ ବାଘ ଚମଡା ସହ ଗୋଟିଏ ଫିସିଂ କ୍ୟାଟ୍ ଚମଡ଼ା ଓ ଗୋଟିଏ କଲରାପତରିଆ ଜଙ୍ଗଲୀ ବିଲେଇ ଚମଡ଼ା ଜବତ ହୋଇଛି। ଏହାସହ ମାଫିଆଙ୍କ ନିକଟରୁ ବିପୁଳ ପରିମାଣର ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଛି।
ଏହି ରାକେଟ୍ର ମୁଖ୍ୟ କାର୍ପଟଦାର ଓ ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବାପାଇଁ ବନ୍ୟପ୍ରାଣୀ ବିଭାଗ ଜୋର୍ଦାର ଉଦ୍ୟମ ଚଳାଇଛି। ଗିରଫ ମାଫିଆମାନଙ୍କୁ ଗଜପତି କୋର୍ଟକୁ ଚାଲାଣ କରାଯାଇଛି। ତେବେ ଏତେ ପରିମାଣର କଲରାପତରିଆ ଚମଡ଼ା ଏମାନେ କେଉଁଠୁ ଆଣିଲେ, କାହାକୁ ବିକିଥାନ୍ତେ ଓ କେତେ ଟଙ୍କାରେ ବିକ୍ରି ପାଇଁ ଯୋଜନା ହୋଇଥିଲା, ତାକୁ ନେଇ ଖୋଳତାଡ଼ କରୁଛି ବନ୍ୟପ୍ରାଣୀ ବିଭାଗ। ସୂଚନା ଅନୁସାରେ ଏହି କାରବାରରେ ଅନ୍ତଃରାଜ୍ୟ ରାକେଟ୍ ସଂପୃକ୍ତ। ଯାହାକି ଓଡ଼ିଶା ଓ ପଶ୍ଚିମବଙ୍ଗ ସହ ଅନ୍ୟ ରାଜ୍ୟକୁ ବ୍ୟାପିଛି। ଗିରଫ ୭ ମାଫିଆ ଗଜପତି ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ଏମାନେ ପାରିତୋଷିକ ନେଇ ମଧ୍ୟସ୍ଥି କାମ କରୁଥିଲେ।
ମଧ୍ୟସ୍ଥିଙ୍କ ଠାରୁ ଆରମ୍ଭ କରି ମୁଖ୍ୟ କାର୍ପଟଦାର ପର୍ଯ୍ୟନ୍ତ ୪ଟି ସ୍ତରରେ ଏହି ଚୋରା କାରବାର ଚାଲିଥିବା ସୂଚନା ମିଳିଛି। ଏମାନେ କେଉଁ ମୁଖ୍ୟ କାର୍ପଟଦାରଙ୍କୁ ଦେଇଥାନ୍ତେ। ତାହାର ସୂଚନା ଓ ଶିକାରୀଙ୍କ ସଂପର୍କରେ ବନ୍ୟପ୍ରାଣୀ ବିଭାଗ ପାଖରେ ତଥ୍ୟ ଅଛି। ତେବେ ଏତେ ପରିମାଣର କଲରାପତରିଆ ଚମଡ଼ା ଓ ଅନ୍ୟ ବନ୍ୟପ୍ରାଣୀ ଚମଡା ଓ ଅଙ୍ଗ ମଧ୍ୟରୁ କିଛି ରାଜ୍ୟ ଭିତରେ ଶିକାର ହୋଇଥିବା ବନ୍ୟପ୍ରାଣୀଙ୍କ ହୋଇଥିବା ବେଳେ ଆଉ କିଛି ରାଜ୍ୟ ବାହାରୁ ଆସିଛି। ଅଧିକ ସୂଚନା ଜାଣିବାପାଇଁ ଅଭିଯୁକ୍ତମାନଙ୍କୁ ବନ୍ୟପ୍ରାଣୀ ବିଭାଗର ଜଏଣ୍ଟ୍ ଟାସ୍କ ଫୋର୍ସ (ଜେଟିଏଫ୍) ରିମାଣ୍ଡରେ ଆଣିବ ବୋଲି ବନବିଭାଗ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ୪ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୫୫ରୁ ଅଧିକ କଲରାପତରିଆ ଚମଡ଼ା ପୂର୍ବରୁ କ୍ରାଇମ୍ ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସ୍ଟିଏଫ୍) ଜବତ କରିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
