Videos
|
Odisha

ଖବରକାଗଜ ବିକି ପାଠ ପଢୁଛନ୍ତି କଲେଜ ଛାତ୍ରୀ

Ritu Das
Browse all articles by Ritu Das
·2 years ago·2 min read
ଖବରକାଗଜ ବିକି ପାଠ ପଢୁଛନ୍ତି କଲେଜ ଛାତ୍ରୀ

ଅର୍ଗସ ବ୍ୟୁରୋ: ମୁଁ ଅବଳା  କି ଦୁର୍ବଳା ନୁହେଁ। ମୁଁ ସବଳା। ମୁଁ ଜାୟା, ଜନନୀ, ଭଗିନୀ। ମୁଁ ହିଁ ସୃଷ୍ଟି କର୍ତ୍ତା ମୁଁ ସବୁ କିଛି କରିପାରେ। ଦୃଢ଼ ସଂକଳ୍ପ ଓ ଅଦମ୍ୟ ଇଛାଶକ୍ତି ରଖି ଜୀବନର ଲକ୍ଷ୍ୟ ହାସଲ କରିବାପାଇଁ ଜଣେ କଲେଜ ଛାତ୍ରୀ କିଭଳି ଦୁଆର ଦୁଆର ବୁଲି ଖବରକାଗଜ ବିକୁଛନ୍ତି। 

ଏଭଳି ଏକ ହୃଦୟସ୍ପର୍ଶୀ ସଂଘର୍ଷର ପ୍ରତିଛବି ନୀଳଗିରି ସହରରେ ଦେଖିବାକୁ ମିଳିଛି। ନା ଅଛି ହାଡ଼ଭଙ୍ଗା ଶୀତକୁ ଖାତିର ନା ଅଛି ସଙ୍କୋଚ। ଅଧିକରୁ ଅଧିକ ପରିଶ୍ରମ କରିକି ଲକ୍ଷ୍ୟ ରଖିଛନ୍ତି ଜଣେ ଭଲ ଶିକ୍ଷକ ହେବେ। ବାପାଙ୍କ ବୋଝରୁ ମୁକ୍ତ ହେବେ। ଇଏ ହେଉଛନ୍ତି ବାପା ମାଙ୍କ ଆଶାବାଡି ତଥା ନୀଳଗିରି ସହରର ଅମରେନ୍ଦ୍ର ବିଶ୍ୱାଳ ଓ ଗାୟତ୍ରୀ ବିଶ୍ୱାଳଙ୍କ ବଡ଼ ଝିଅ ବର୍ଷାରାଣୀ ବିଶ୍ୱାଳ। ନୀଳଗିରି ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର କଳା ଛାତ୍ରୀ। ବାପା ଅମରେନ୍ଦ୍ର ବିଶ୍ୱାଳ ଜଣେ ଫଳ ଦୋକାନୀ।  ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ନିଜର କଲେଜ ଓ କମ୍ପ୍ୟୁଟର ପଢ଼ା ଖର୍ଚ୍ଚ ଉଠେଇବା ପାଇଁ ନୀଳଗିରି ସହରରେ ପ୍ରତିଦିନ ସକାଳେ ଦୁଆର ଦୁଆର ବୁଲି ଖବରକାଗଜ ବିକୁଛନ୍ତି। ଖବରକାଗଜ ବିକି ସାରି କମ୍ପ୍ୟୁଟର କ୍ଲାସ ପରେ କଲେଜ ଯାଆନ୍ତି। ଲକ୍ଷ୍ୟ ରଖିଛନ୍ତି ଭଲ ପାଠ ପଢି ଜଣେ ଭଲ ଶିକ୍ଷକ ହେବେ। ହେଲେ ପ୍ରତିବନ୍ଧକ ସାଜିଛି ଅର୍ଥ। 

ପୁଅ ଅପେକ୍ଷା ଝିଅକୁ ନେଇ ବହୁତ ଗର୍ବ କରିଛନ୍ତି ମା' ଗାୟତ୍ରୀ ବିଶ୍ୱାଳ। ସେ ମୋ ପାଇଁ କନ୍ୟାରତ୍ନ। ମୁଁ ମୋ ଝିଅକୁ ନେଇ ସବୁବେଳେ ଗର୍ବ କରେ। କାରଣ ଆଜିକା ଦୁନିଆରେ ପୁଅମାନଙ୍କ ଠାରୁ ଝିଅମାନେ ଅଧିକ ମା' ବାପାଙ୍କ କଥା ବୁଝୁଛନ୍ତି। ମୋ ଝିଅକୁ ଯଦି ପ୍ରଶାସନ ପକ୍ଷରୁ ସାହାଯ୍ୟ ଓ ସହାୟତା ମିଳନ୍ତା ମୋ ଝିଅ ଅଧିକା ପାଠ ପଢି ଚାକିରି କରନ୍ତା ବୋଲି କହିଛନ୍ତି ମା'। 

ଦେଖନ୍ତୁ କିଭଳି ହାଡଭଙ୍ଗା ଶୀତରେ ସାଇକେଲଟେ ଧରି ଖବରକାଗଜ ବିକୁଛି ମୋ ଝିଅ। ଜୀବନରେ କିଛି କରିକି ଦେଖାଇବାର ଯେଉଁ ସ୍ପୃହା ଅଛି ତା'ପାଖେ ତାହା ନୀଳଗିରି ବଡ଼ ଦାଣ୍ଡରେ ଦେଖିବାକୁ ମିଳିଛି। ବହୁତ କଷ୍ଟ କରୁଛି। ମୋ ଝିଅ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ କରିଛି। ଆଉ ସେ ଜଣେ ମେଧାବୀ ଛାତ୍ରୀ। ତାକୁ ସାହଯ୍ୟ ମିଳିଲେ ସେ ନିଶ୍ଚିତ ଆଗକୁ ବଢ଼ିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

A college student | Argus News