ପୁଣି ଧରାପଡ଼ିଲେ ଦୁର୍ନୀତିର କଳାପାହାଡ଼ ସାଜିଥିବା ଆଉ ଜଣେ କୁବେର ବାବୁ

ଭୁବନେଶ୍ୱର: OBCC ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଦୁର୍ନୀତିର କଳାପାହାଡ଼ ସାଜିଥିବା ଏ କୁବେର ବାବୁ । ତାଙ୍କର 13ଟି ଠିକଣାରେ ଚଢ଼ାଉରେ ଜବତ ହୋଇଛି ବିପୁଳ ପରିମାଣର ଟଙ୍କା, ସୁନା, ବ୍ୟାଙ୍କ ଡିପୋଜିଟ୍ ସାଙ୍ଗକୁ ସାମ୍ନାକୁ ଆସିଛି 42ଟି ପ୍ଲଟ୍। ଗତ କିଛି ଦିନ ଭିତରେ ବହୁ କୁବେର ଅଫିସରଙ୍କ ମୁଖା ଖୋଲିଲାଣି ମୋହନ ପ୍ରଶାସନ।
ଖୋଲୁଛି ବିଜେଡି ଟଙ୍କା ପାହାଡ଼ର ଗୁମର। ପିଆଦା ସାଜି କୁବେର ବାବୁମାନେ ଜନତା ଓ ରାଜକୋଷ ଲୁଟ୍ କରୁଥିଲେ, ତୃତୀୟ ମହଲାର ସର୍ଦ୍ଦାରଙ୍କ ହାତକୁ ବଢ଼ାଉଥିଲେ ଟଙ୍କା । ଏଠି ବଡ଼ ପ୍ରଶ୍ନ ଯଦି ଏମାନଙ୍କ ସମ୍ପତ୍ତି ଏତେ, ତେବେ ତୃତୀୟ ମହଲା ମାଫିଆ ସରଗନାଙ୍କ ପାଖକୁ ଯାଉଥିଲା କେତେ ?
ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ଆଉ ଜଣେ ବରିଷ୍ଠ ଇଞ୍ଜିନିୟର। OBCC ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ। ଭୁବନେଶ୍ବର, କଟକ, ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧା କୁବେର ବାବୁଙ୍କର 13 ଠିକଣାରେ ଭିଜିଲାନ୍ସ ରେଡ୍ କଲା ତ ସାମ୍ନାକୁ ଆସିଲା ଆଖି ଖୋସି ହୋଇଯିବା ଭଳି ସମ୍ପତ୍ତି । କେଜିଓ ଓଜନର ସୁନା, ରାଜ୍ୟର ବିଭିନ୍ନ ସ୍ଥାନରେ 42ଟି ପ୍ଲଟ୍, 2ଟି ଫ୍ଲାଟ୍, 88 ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ଏକାଧିକ କାର୍, ଜେସିବି, କ୍ରସର ୟୁନିଟ୍, ଏସ୍କାଭେଟର ମେସିନ୍ । କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏହି ଇଞ୍ଜିନିୟରଙ୍କ ଅଧୀନରେ ଥିଲା 4ଟି ଜିଲ୍ଲା । କଟକ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ। କଟକ ନେତାଜୀ ବସ୍ ଟର୍ମିନାଲ୍ ନିର୍ମାଣ। SCB ମେଡିକାଲ୍ ଷ୍ଟାଫ୍ କ୍ବାର୍ଟର, ହଷ୍ଟେଲ ଓ ପ୍ରଶସ୍ତିକରଣ କାମ ସବୁର ତଦାରଖ ଦାୟିତ୍ବରେ ଥିଲେ OBCC ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ । ଅଭିଯୋଗ ଏ ସବୁ କାମରେ ମୋଟା ଅଙ୍କର ଆୟ କରିଥିଲେ। 8 ମାସ ପରେ ସରିଥାଆନ୍ତା ଚାକିରି କାଳ । ଏଯାଏଁ ତାଙ୍କର 8 କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।
ଲୋୟର ସୁକତେଲ ପ୍ରକଳ୍ପର ଚିଫ୍ କନଷ୍ଟ୍ରକ୍ସନ ଇଂଜିନିୟର ସୁନୀଲ ରାଉତ, ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର, ବାଲେଶ୍ବର ଜଳସମ୍ପଦ ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରଭାସ ପ୍ରଧାନଙ୍କ ପରେ ଏବେ OBCC ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ। ଗତ 10 ଦିନ ଭିତରେ ଭିଜିଲାନସ ଜାଲରେ ପଡ଼ିଲେଣି 4 ଜଣ ବଡ଼ ଦୁର୍ନୀତିଖୋର ଅଫିସର । କାହାର 36 , କାହାର 42, କାହାର 52, ତ କାହାର 85 ପ୍ଲଟ୍ । ଏ ସବୁ କୁବେର ବାବୁଙ୍କ ସମ୍ପତ୍ତି ସୃଷ୍ଟି କରିଛି ହଇଚଇ । ଏବେ ଆଇନ ମନ୍ତ୍ରୀ କହିଛନ୍ତି ଦୁର୍ନୀତିଖୋର ଅଧିକାରୀଙ୍କ ପ୍ରତି କୌଣସି ମାୟା କି ମମତା ନାହିଁ । ଆଗକୁ ବି ଦୁର୍ନୀତି ପ୍ରତି ଆହୁରି କଠୋର ହେବେ ରାଜ୍ୟ ସରକାର । କାହାରିକୁ ବି ଛଡ଼ାଯିବ ନାହିଁ । ସବୁଠୁ ବଡ଼ ପ୍ରଶ୍ନ, ଏ ସବୁ ଦୁର୍ନୀତିଖୋର ଅଧିକାରୀଙ୍କ ପଛରେ ଥିଲା କାହାର ହାତ ? ଅଭିଯୋଗ, ଜନତା ଓ ରାଜକୋଷ ଲୁଟି ଏମାନେ ଗୋଟାଉଥିଲେ ବିଜେଡି ପାଣ୍ଠି । କୁବେର ବାବୁ ମୋହରା, ମାଫିଆ ସରଗନା ବସୁଥିଲେ କି ତୃତୀୟ ମହଲାରେ । ପିଆଦା ସାଜି ଏମାନେ ଆଦାୟ କରୁଥିଲେ, ତୃତୀୟ ମହଲାର ସର୍ଦ୍ଦାରଙ୍କ ହାତକୁ ବଢ଼ାଉଥିଲେ ଟଙ୍କା । ହାତରେ ଘସିହୋଇ ପକେଟରେ ପଶୁଥିବା ଟଙ୍କା ଯଦି ଏତିକି ତେବେ ତୃତୀୟ ମହଲାକୁ ଯାଇଥିଲା କେତେ ? ପିଆଦାଙ୍କୁ ମୋହରା କରି ରାଜ୍ୟରେ ଲୁଟର ରାଜ୍ ଚଳାଇଥିବା ନେତା ଓ ଅଫିସରଙ୍କ ପାଖରେ ପହଞ୍ଚିବ କି ତଦନ୍ତ ?
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର