Videos
|
Odisha

ଭରା ନଈରେ ଦେଶୀ ଡଙ୍ଗା, ଜୀବିକା ଆଗରେ ଜୀବନ ତୁଚ୍ଛ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଭରା ନଈରେ ଦେଶୀ ଡଙ୍ଗା, ଜୀବିକା ଆଗରେ ଜୀବନ ତୁଚ୍ଛ

ଅର୍ଗସ ବ୍ୟୁରୋ:  ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ରାସ୍ତାଟିଏ ଦେଖି ପାରିଲେନି ଗଜିଆଗୁଡାବାସୀ । ଯୋଗାଯୋଗ ପାଇଁ ମାଟି ରାସ୍ତା ସାହା ଭରସା ହୋଇଥିବା ବେଳେ , ବର୍ଷା ହେଲେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ ଗାଁ। ଖରାଦିନେ ଯେନେତେନେ ନଦୀ ପାର ହେଉଥିବା ବେଳେ ବର୍ଷା ଦିନେ ଭରା ନଈକୁ ଦେଶୀ ଡଙ୍ଗା ଭରସା ।  ବର୍ଷ ବର୍ଷ ଧରି ହୋଇ ପାରୁନି ପୋଲ ନିର୍ମାଣ, କି ଗାଁକୁ ସଂଯୋଗ ହୋଇ ପାରୁନି ରାସ୍ତା। ଜୀବନକୁ ବାଜି ଲଗାଇ ଯାତାୟତ କରୁଛନ୍ତି ଅଞ୍ଚଳବାସୀ।

ଜୀବିକା ଆଗରେ ଜୀବନ ତୁଚ୍ଛ । ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗି ଜିଲ୍ଲା, ଖଇରପୁଟ ବ୍ଲକ, ଗୋବିନ୍ଦପାଲ୍ଲୀ ପଞ୍ଚାୟତର ଗଜିଆଗୁଡାରେ । ଗଜିଆଗୁଡାରେ କାହିଁକେଉଁ କାଳରୁ ଆଦିବାସୀ ସଂପ୍ରଦାୟର ଲୋକେ ବସବାସ କରି ଆସୁଛନ୍ତି । ଜୀବନ ଜୀବିକା କହିଲେ ଚାଷ କି ମୁଲ କରି ଗୁଜୁରାଣ ମେଣ୍ଟାନ୍ତି । ଗାଁକୁ ଯିବାକୁ ହେଲେ ଗଜିଆଗୁଡା ନଦୀ ପାର ହୋଇ ଯିବାକୁ ପଡେ। ମାତ୍ର ଦୁଃଖର ବିସୟ ଏହି ନଦୀ ଉପରେ ଆଜି ଯାଏଁ ବ୍ରିଜ ଟିଏ ହୋଇ ପାରିଲା ନାହିଁ।

ନଦୀ ପାର ପାଇଁ ଏଠି ଦେଶୀ ଡଙ୍ଗା ଛଡା ଅନ୍ୟ କିଛି ବିକଳ୍ପ ନାହିଁ ।  ଏହି ଡଙ୍ଗା ଅବସ୍ଥା ମଧ୍ୟ ନକହିଲେ ଭଲ। ମରାମତି ଅଭାବରୁ ଡଙ୍ଗାର ଅନେକ ସ୍ଥାନରେ ଫାଟ ସୃଷ୍ଟି ହେଲାଣି। ମାତ୍ର ପ୍ରଶାସନ ତରଫରୁ ଆଉ ଡଙ୍ଗା ଯୋଗାଇ ଦିଆଯାଇ ନଥିବାରୁ ଏହି ଫଟା ଡଙ୍ଗାରେ ହିଁ ଆତଯାତ କରୁଛନ୍ତି ଅଞ୍ଚଳବାସୀ। ନିଜର ଜୀବନକୁ ବାଜି ଲଗେଇ ନୀତି ଦିନ ନିଜର ଜୀବିକା ପାଇଁ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହୁଅନ୍ତି ।  ଖରା ଦିନରେ କଷ୍ଟେ ମଷ୍ଟେ ଆତଯାତ ହେଉଥିବା ବେଳେ ବର୍ଷା ଦିନ ଆସିଲେ କଥା ସରିଲା । ନଦୀବଢି ପାଇଁ ବିଛିନ୍ନ ହୋଇଯାନ୍ତି ଗାଁ ଲୋକେ । ଏହି ସ୍ଥାନରେ ପୋଲର ଆବସ୍ୟକତା ଦେଖି ଆଠ ବର୍ଷ ତଳେ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ଦୁଃଖର ବିସୟ ମାତ୍ର କିଛି କାମ କରି ଦେଇ ଠିକାଦାର ଛୁ। ସେଦିନଠାରୁ ଆଜି ଯାଏଁ ହୋଇ ପାରୁନି ପୋଲ କାମ।

ଗଜିଆଗୁଡାରେ ବିଜୁ ସେତୁ ଯୋଜନା ଫେଲ୍। ପୋଲ ପାଇଁ ଅର୍ଥ ମଞ୍ଜୁର ହେଲା ମାତ୍ର ଆଠ ବର୍ଷ ହେବ ସରୁନି ନିର୍ମାଣ କାମ। ଏପଟେ ବିନା ପୋଲ ଏବଂ ରାସ୍ତାରେ ଅଭିଷପ୍ତ ଜୀବନ ବଞ୍ଚୁଛନ୍ତି ଗଜିଆଗୁଡାବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: