୭ କିଲୋମିଟର ଭାରରେ ବୁହାହେଲେ ରୋଗୀ

ନବରଙ୍ଗପୁର: ବର୍ଷା ହେଉଥିଲା ତୁହାକୁ ତୁହା । ଏଣେ ଜ୍ଵରରେ କମ୍ପୁଥିଲା ଶରୀର । ଡାକ୍ତରଖାନା ନେବା ଲାଗି ବାଟ ପାଇନଥିଲେ ପରିବାର ଲୋକେ । ଶେଷରେ ଭାର କରି ଜଙ୍ଗଲିଆ କାଦୁଅ ପଚପଚ ରାସ୍ତାରେ ୭ କିଲୋମିଟର ବୋହିଲେ । ପ୍ରଥମେ ମୈଦଲପୁର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରୋଗୀ ଜଣଙ୍କ ହେଲେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ କର୍ଲାକୋଟ ଗାଁର ଅଭି ନାୟକ। କର୍ଲାକୋଟରୁ ମୈଦଲପୁର ଆଣିବା ରାସ୍ତାରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି ପରିବାର ଲୋକେ । ଘଟଣା ଅନୁଯାୟୀ, ସୀମାନ୍ତ କର୍ଲାକୋଟ ଗାଁର ଅଭି ଦୀର୍ଘ ୫ ଦିନ ହେଲା ଜ୍ଵରରେ ପୀଡ଼ିତ ଥିଲେ । ରବିବାର ଅବସ୍ଥା ଅଧିକ ବିଗିଡ଼ି ଯାଇଥିଲା। କର୍ଲାକୋଟରୁ ଜୟପାଟଣା ବ୍ଲକ୍ ସଦର ମହକୁମାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୂରତା ପ୍ରାୟ ୫୦ କିମି ।
ଏତେ ବାଟ ନେବା ପରିବର୍ତ୍ତେ କର୍ଲାକୋଟରୁ –ନବରଙ୍ଗପୁର ଜିଲ୍ଲା ମୈଦଲପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ । ଆଣିବା ଲାଗି ଚିନ୍ତା କରିଥିଲେ ପରିବାର ଲୋକେ।କାରଣ ଏଠାକୁ ଦୂରତା ଥିଲା ମାତ୍ର ୧୯ କିଲୋମିଟର। କର୍ଲାକୋଟରୁ ମୈଦଲପୁରର ଗୁଡ଼ପାଣିପଦର ପର୍ଯ୍ୟନ୍ତ ୭ କିମି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ଜଙ୍ଗଲ ଭିତରେ କାଦୁଅ ରାସ୍ତା । ପାରି ହେବା ଲାଗି କୌଣସି ଗାଡ଼ିମୋଟରର ବ୍ୟବସ୍ଥା ନଥିଲା । ବାଧ୍ୟ ହୋଇ ପରିବାର ଲୋକେ ଏକ ଭାରରେ ଅଭିଙ୍କୁ ଶୁଆଇ ଦେଇଥିଲେ। କର୍ଲାକୋଟରୁ ବୋହି ବୋହି ଗୁଡ଼ପାଣିପଦର ଗାଁ ପର୍ଯ୍ୟନ୍ତ ଆଣି ଥିଲେ। ଯାହାର ଦୂରତା ଥିଲା ୭ କିଲୋମିଟର ।
ପରେ ଗୁଡ଼ପାଣିପଦରରୁ ଗାଦବାକାତରା ଗାଁ ପର୍ଯ୍ୟନ୍ତ ଅଟୋ ରେ ଆଣିଥିଲେ ଯାହାର ଦୂରତା ଥିଲା ୪ କିଲୋମିଟର । ତାହା ବି କାଦୁଅରେ ଭରି ରହିଥିଲା। ତଥାପି ଏକ ଅଟୋ ସାହାଯ୍ୟରେ ବଡ଼କଷ୍ଟରେ ସେଠାକୁ ନେଇଥିଲେ। ବାଟରେକାଦୁଅରେ ଫସିଯାଇଥିଲା ଅଟୋ ସାଙ୍ଗରେ ଥିବା ଲୋକେ ଠେଲି ଠେଲି ଏହାକୁ ବାହାର କରିଥିଲେ। ତା’ପରେ ସେଠାରୁ ଗାଡ଼ି ସହାୟତାରେ ମୈଦଲପୁର ଡାକ୍ତରଖାନା ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ବି ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁଇ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ରାସ୍ତା ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି । ଉଭୟ ଜିଲ୍ଲାର ପ୍ରଶାସନ ପକ୍କା ରାସ୍ତା ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି | ଯଦ୍ୱାରା ସୀମାରେ ରହୁଥିବା ଲୋକେ ଜରୁରୀ ସମୟରେ ନାକେଦମ ହେଉଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର