ଗାଡ଼ି ମଡ଼ାଇ ପୋଲିସ କନଷ୍ଟେବଲଙ୍କୁ ନିର୍ମମ ହତ୍ୟା

ଅର୍ଗସ ବ୍ୟରୋ: ନାଇଟ ଡ୍ୟୁଟିରେ ଥାଇ ଚୋରି ଡକାୟତି ମାମଲାର ତଦନ୍ତ କରୁଥାନ୍ତି ନାଙ୍ଗଲୋଇ ଥାନାର କନଷ୍ଟେବଲ ସନ୍ଦୀପ। ଅଞ୍ଚଳରେ ଚୋରି ଡକାୟତି ବଢ଼ିବା କାରଣରୁ ତାଙ୍କୁ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଥାଏ। ସାଧା ପୋଷାକରେ ଅପରାଧୀଙ୍କ ଖାନତଲାସି ଜାରି ରଖିଥାନ୍ତି ସନ୍ଦୀପ। ଏହି ସମୟରେ ରାସ୍ତାରେ କାର୍ ତାଙ୍କ ନିକଟତର ହୁଏ। କାରରେ ବସିଥିବା ଦୁଇ ଯୁବକ କାର୍ ଭିତରେ ହିଁ ମଦ୍ୟପାନ କରୁଥିବା ଦେଖିବାକୁ ପାଆନ୍ତି ସନ୍ଦୀପ। ଏହାକୁ ନେଇ ତାଙ୍କ ମନରେ ସନ୍ଦେହ ଉପୁଜିବାରୁ କାରଚାଳକଙ୍କୁ ସେ ଗାଡ଼ି ଅଟକାଇବାକୁ ଇସାରା କରନ୍ତି। ହେଲେ କାର୍ ଚାଳକ ଗାଡ଼ି ଅଟକାନ୍ତି ନାହିଁ। ଯାହା ଫଳରେ କାରର ସମ୍ମୁଖ ଭାଗକୁ ଯାଇ ଗାଡିକୁ ଧୀର କରିବାକୁ ପୁଣି ଅପିଲ୍ କରନ୍ତି ସନ୍ଦୀପ। ହେଲେ ଏଥର ଗାଡ଼ି ନଅଟକାଇ ସିଧା କନଷ୍ଟେବଲ୍ ସନ୍ଦୀପଙ୍କ ଉପରେ କାର୍ ଚଢ଼ାଇକୁ ଉଦ୍ୟମ କରନ୍ତି ଦୁର୍ବୃତ୍ତ। ଗାଡି ସହ ସନ୍ଦୀପଙ୍କୁ ପାଖାପାଖି 10 ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନିଅନ୍ତି ଦୁର୍ବୃତ୍ତ। ପରେ ସେହି କାରକୁ ନେଇ ଆଉ ଏକ କାର୍ ସହ ଧକ୍କା କରିଦିଅନ୍ତି। ଯେଉଁଥିରେ ଗୁରୁତର ଆହତ ହୁଅନ୍ତି ସନ୍ଦୀପ। ବର୍ବର କାଣ୍ଡ ଘଟାଇ ଘଟଣାସ୍ଥଳରୁ ମାରନ୍ତି ଚମ୍ପଟ୍ ମାରନ୍ତି ଦୁର୍ବୃତ୍ତ। ଯାହାର ସିସିଟିଭି ଭିଜୁଆଲ୍ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ପରେ ଗୁରୁତର ସନ୍ଦୀପଙ୍କୁ ମେଡିକାଲରେ ଭର୍ତ୍ତିକରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଏହି ଘଟଣାରେ ପୋଲିସ୍ ଭାରତୀୟ ନ୍ୟାୟ ସଂହିତାର ଧାରା 103 ଅନୁଯାଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ବର୍ବର ହତ୍ୟାକାଣ୍ଡରେ ବ୍ୟବହୃତ କାରକୁ ମଧ୍ୟ ଜବତ କରିଛି ପୋଲିସ। ଯେଉଁଥିରେ କାର୍ ଭିତରେ ମଦ ବୋତଲ ସହ ଦୁଇଟି ଗ୍ଲାସ୍ ଏବଂ କିଛି ଖାଦ୍ୟ ସାମଗ୍ରୀ ଥୁଆଯାଇଥିବାର ଦେଖିବାକୁ ମିଳିଛି । ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଖାନତଲାସି ଜାରି ରହିଛି। ଦୁଇ ଅଭିଯୁକ୍ତ ମଦ ମାଫିଆ ହୋଇଥିବା ନେଇ ଦିଲ୍ଲୀ ପୋଲିସ ହାତରେ ସୁରାଗ୍ ଲାଗିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ତେବେ ଏନେଇ ପୋଲିସର ସ୍ପଷ୍ଟୀକରଣ ସାମ୍ନାକୁ ଆସିନାହିଁ। ସେପଟେ ମୃତ କନଷ୍ଟେବଲଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଅପରାଧୀଙ୍କୁ ଶୀଘ୍ର ଧରିବା ସହ କଠୋର ଦଣ୍ଡ ଦେବା ନେଇ ଏକ୍ପ ପୋଷ୍ଟରେ ସୂଚନା ଦେଇଛି ଦିଲ୍ଲୀ ପୋଲିସ।
2023 ନୂଆ ବର୍ଷ ଦିନ ଅର୍ଥାତ୍ ଜାନୁଆରୀ 1 ତାରିଖ ଦିନ ଦିଲ୍ଲୀର ଅଞ୍ଚଳି ସିଂ ହିଟ୍ ଆଣ୍ଡ ରନ୍ ମାମଲା ଦେଶବାସୀଙ୍କୁ ସ୍ତବ୍ଧ କରିଥିଲା। ମହିଳାଙ୍କୁ 12 କିଲୋମିଟରରୁ ବି ଅଧିକ ଦୂର ପର୍ଯ୍ୟନ୍ତ କାରରେ ଘୋଷାଡ଼ି ନେଇଥିଲା ଜହ୍ଲାଦ କାର୍ ଚାଳକ। ଏହା ପରେ ଏଭଳି ଅନେକ ରୋଡ୍ ରେଜ୍ ଘଟଣାମାନ ମଧ୍ୟ ଦିଲ୍ଲୀରୁ ସାମ୍ନାକୁ ଆସିଥିବା ବେଳେ ଏବେ ଖୋଦ୍ ପୋଲିସ ହିଁ ଏହି ଭୟଙ୍କର ଅପରାଧର ଶିକାର ପାଲଟିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର...