Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା ଶନିବାର ମହାପ୍ରଭୁଙ୍କ ଦୁର୍ଲଭ ଚିତ୍ତାକର୍ଷକ ପଦ୍ମବେଶ

Ritu Das
Browse all articles by Ritu Das
·2 years ago·3 min read
ଆସନ୍ତା ଶନିବାର ମହାପ୍ରଭୁଙ୍କ ଦୁର୍ଲଭ ଚିତ୍ତାକର୍ଷକ ପଦ୍ମବେଶ

ଅର୍ଗସ ବ୍ୟୁରୋ: ଆସନ୍ତା ଶନିବାର ମହାପ୍ରଭୁଙ୍କ ଦୁର୍ଲଭ ଚିତ୍ତାକର୍ଷକ ପଦ୍ମବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ଅର୍ଥାତ ଆପାଦ ମସ୍ତକ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ।  ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ସେହି ପରମ୍ପରା ଅନୁଯାୟୀ ଶନିବାର ଦିନ ବଡସିଂହାର ନୀତିରେ ମହାପ୍ରଭୁ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ ହେବେ। ଦୁର୍ଲଭ ପଦ୍ମବେଶ ପାଇଁ ଏବେ ବେଶ କାରିଗରଙ୍କ ହାତକୁ ଫୁରସତ୍ ନ ଥିବା ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭକ୍ତ ଓ ଭଗବାନଙ୍କ ସମ୍ପର୍କର ନିଦର୍ଶନ ସ୍ୱରୁପ ଏହି ପଦ୍ମବେଶ ଅନୁଷ୍ଠିତ ହେଉଥିବା ବେଳେ ସୋଲ, ଜରି, କନା, କଇଥ ଅଠାରେ ପ୍ରସ୍ତୁତ ପଦ୍ମବେଶକୁ ବଡଛତା ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ।  କୀରୀଟ,ଚୂଳ, ହୃଦପଦକ, କରପଲ୍ଲବ,ଶ୍ରୀମୁଖ ପଦ୍ମରେ ବିଭୂଷିତ ହୋଇ ଝଲସିଥାନ୍ତି  ମହାପ୍ରଭୁ। ତେବେ ପଣ୍ଡୁ ପୂର୍ଣ୍ଣିମା ଠାରୁ ବେଶ ଅନୁକୂଳ ଆରମ୍ଭ ହୋଇଥିବା ବେଳେ ଅତ୍ୟନ୍ତ ନିଷ୍ଠାର ସହ ମହାପ୍ରଭୁଙ୍କ ସେବାକରି ନିଜକୁ ଧନ୍ୟ ମନେ କରିଛନ୍ତି ବେଶ କାରିଗର ମାନେ। 

ତେବେ ଦୁର୍ଲଭ ପଦ୍ମବେଶର ମଧ୍ୟ ଅନେକ ତତ୍ତ୍ବ ରହିଥିବା କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ। ଭକ୍ତ ମନୋହର ଦାଶର ମନବାଞ୍ଛା ପୂରଣ କରିବା ପାଇଁ ମହାପ୍ରଭୁ ମଉଳା ପଦ୍ମଫୁଲରେ ଏହି ବେଶ ଧାରଣ କରିଥାନ୍ତି। କିମ୍ବଦନ୍ତୀ ଅନୁଯାୟୀ, ଉତ୍କଳଠାରୁ ଶହଶହ ମାଇଲ ଦୂରରେ ଥିଲେ ଜଣେ ହିନ୍ଦୀ ଭାଷୀ ସାଧୁ । ତାଙ୍କର ନାମ ଥିଲା ମନୋହର ଦାସ । ଏକଦା ମହାତ୍ମା ମନୋହର ଦାସ ଜଗନ୍ନାଥଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ତାଙ୍କର ପ୍ରବଳ ଆକାଂକ୍ଷା ଥିଲା ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଦର୍ଶନ । ଦୀର୍ଘଦିନ ପାଦରେ ଚାଲିଚାଲି ଅନେକ ଜଙ୍ଗଲ, ପାହାଡ଼, ନଈ, ରାସ୍ତା ଅତିକ୍ରମ କରି ଶାରୀରିକ ପୀଡ଼ା ସତ୍ତ୍ୱେ ସେ ଅବିଚଳିତ ଭାବେ ଆଗେଇ ଚାଲିଥାନ୍ତି । ପଥ ମଧ୍ୟରେ ରାତ୍ରି ହୋଇଗଲେ କୌଣସି ମନ୍ଦିର, ମଠ, ଆଶ୍ରମ କିମ୍ବା ବୃକ୍ଷ ତଳେ ବିଶ୍ରାମ ନିଅନ୍ତି। ସାଧୁଙ୍କୁ ଥରେ ଭୀଷଣ ଶୋଷ ହେଲା । ପାଖରେ କୌଣସି ଗ୍ରାମ କିମ୍ବା ଜଳାଶୟ ନ ଥିଲା । କିଛି ପଥ ଅତିକ୍ରମ କରିବା ପରେ ହଠାତ ତାଙ୍କର ଦୃଷ୍ଟି ଗୋଚର ହେଲା ଗୋଟିଏ ପୁଷ୍କରିଣୀ ମଧ୍ୟରେ ଅନେକ ପଦ୍ମ ଫୁଲ ଫୁଟିଛି। 

ସେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଶୀତଦିନରେ ପଦ୍ମ ଫୁଲ ଫୁଟିବା ସମ୍ଭବ ନୁହେଁ । ସେ ମନେମନେ ଜଗନ୍ନାଥଙ୍କୁ ସୁମରଣା କରି ପାଣି ପିଇ ପ୍ରଭୁଙ୍କ ନିମନ୍ତେ ପୁଷ୍କରିଣୀରେ ଫୁଟିଥିବା ପଦ୍ମ ଫୁଲକୁ ତୋଳି ନିକଟରେ ଥିବା ଏକ ମଇଳା ଗାମୁଛାରେ ନେଇଥିଲେ । ମାଘ ମାସ ଅମାବାସ୍ୟା ଦିନ ସେ ଶ୍ରୀମନ୍ଦିରରେ ପହଞ୍ଚି ପଦ୍ମଫୁଲ ଗୁଡ଼ିକ ଶ୍ରୀଜୀଉଙ୍କ ଚରଣାବିନ୍ଦରେ ଲାଗି କରିବା ପାଇଁ ଅନୁରୋଧ କଲେ । ମଇଳା ଗାମୁଛାରେ ଥିବା ଶୁଷ୍କ ପଦ୍ମ ଫୁଲକୁ ଦେଖି ସେବାୟତ ଏହା ଠାକୁରଙ୍କୁ ଲାଗି ହୋଇପାରିବ ନାହିଁ କହି ତିରସ୍କାର କଲେ। ଘଟଣାରେ ଭକ୍ତ ମନୋହର ଦୁଃଖ ଓ ଅପମାନରେ ମ୍ରିୟମାଣ ହୋଇ ତଳେ ପଡ଼ିଥିବା ଫୁଲ ସବୁ ଗୋଟାଇ ଶ୍ରୀମନ୍ଦିରରୁ ପଳାଇ ଆସି ବଡ଼ଛତା ମଠ ନିକଟରେ ଜଗନ୍ନାଥଙ୍କୁ ସ୍ମରଣ କରି ମୂର୍ଚ୍ଛିତ ହୋଇପଡ଼ିଲେ । ସେହି ଦିନ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନାଦେଶରେ ଗଜପତି ମହାରାଜାଙ୍କୁ କହିଲେ, ମନୋହର ଆଣିଥିବା ପଦ୍ମ ପୁଷ୍ପରେ ହିଁ ଆଜି ମୋର ବଡ଼ସିଂହାର ବେଶ ହେବ । ପଦ୍ମ ଚାଉଳରେ ଖିରି ଭୋଗକରି ସେହି ସାଧୁଙ୍କୁ ସେବନ କରାଇ ତାଙ୍କର ଜୀବନ ରକ୍ଷା କର। ତେଣୁ ସେହିଦିନଠାରୁ ମନୋହର ଦାସଙ୍କ ସ୍ମୃତିରେ ପଦ୍ମବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହାପ୍ରଭୁ ଭକ୍ତର ଠାକୁର। ତେଣୁ ଭକ୍ତର ମନୋଭାବ କିପରି ଠାକୁର ବୁଝିପାରନ୍ତି ସେହି ଗାଥାକୁ ପାଥେୟ କରି ଶହଶହ ବର୍ଷ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଆସନ୍ତା ଶନିବାର ଏହି ଦୁର୍ଲଭ ବେଶକୁ ଦର୍ଶନ କରିବାର ସୁଯୋଗ ପାଇବେ ଅଗଣିତ ଭକ୍ତ।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Sponsored
A rare impressive | Argus News