Videos
|
Odisha

ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ 24 ବର୍ଷର ସରକାରକୁ ଶକ୍ତ ଚାପୁଡ଼ା

Manini Pattanayak
Browse all articles by Manini Pattanayak
·2 years ago·3 min read
ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ 24 ବର୍ଷର ସରକାରକୁ ଶକ୍ତ ଚାପୁଡ଼ା

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ 24 ବର୍ଷର ସରକାରକୁ ଲାଗିଛି ଶକ୍ତ ଚାପୁଡ଼ା। ଯେଉଁ ଜିଲ୍ଲାରୁ 28 ବର୍ଷ ଧରି ପ୍ରତିନିଧିତ୍ବ କରିଆସୁଛନ୍ତି ନବୀନ ପଟ୍ଟନାୟକ। ଯେଉଁ ଜିଲ୍ଲାରୁ ବାରମ୍ବାର ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହେଉଛନ୍ତି, ସେହି ଜିଲ୍ଲାବାସୀଙ୍କୁ ରୋଜଗାର ତ ଯୋଗାଇ ପାରିଲେନି, ଲୋକଙ୍କୁ ପିଇବା ପାଣି ମୁନ୍ଦେ ବି ଦେଇପାରିଲେନି ନବୀନ। ଏବେ ଦାଦନ ଖଟି ଆଣିଥିବା ଟଙ୍କାରେ ନିଜ ଗାଁ ଲୋକଙ୍କର ପିଇବା ପାଣି ସମସ୍ୟା ଦୂର କରିଛନ୍ତି ଜଣେ ଆଦିବାସୀ ଯୁବକ। ପଥର ମଝି ଦେଇ ଲମ୍ବି ଆସିଛି ପାଇପ୍। ମଝି ମଝିରେ ବସିଛି ପାଣି ଟାଙ୍କି। ଆଉ ସେଠାରୁ ସବା ତଳକୁ ଗାଁ ଲୋକଙ୍କ ପାଖରେ ପହଞ୍ଚୁଛି ପିଇବା ପାଣି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ସୁରଙ୍ଗି ପଞ୍ଚାୟତ ସିନ୍ଧୁପଙ୍କ ଗାଁ। ପିଇବା ପାଣି ପାଇଁ ଦଶକ ଦଶକ ଧରି ସନ୍ତୁଳି ହେଉଥିବା ନିଜ ଗାଁ ଲୋକଙ୍କ କଷ୍ଟ ଦୂର କରିଛନ୍ତି ଏହି ଗାଁର ଯୁବକ ଭୀମ ବେହେରା। କେରଳ ଯାଇ 6 ମାସ ଦାଦନ ଖଟି ଭୀମ ଯେଉଁ ଟଙ୍କା ସଞ୍ଚିଥିଲେ ସେହି ଟଙ୍କାରେ ଗାଁ ଲୋକଙ୍କ ପାଇଁ କରିଛନ୍ତି ପାନୀୟ ଜଳ ବ୍ୟବସ୍ଥା। ପାଣି ପାଇଁ ଛଟପଟ ହେଉଥିବା ଗାଁ ଲୋକେ ଏବେ 24 ଘଣ୍ଟା ପାଉଛନ୍ତି ପିଇବା ପାଣି । 

ଭୀମଙ୍କ ଏ କାମ ରାଜ୍ୟରେ 24 ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ମୁହଁରେ ଶକ୍ତ ଚାପୁଡ଼ା। ପୁଣି ଇଏ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା। ଇଏ ସେହି ଗଞ୍ଜାମ ଯେଉଁ ଜିଲ୍ଲାରୁ 28 ବର୍ଷ ଧରି ପ୍ରତିନିଧିତ୍ବ କରୁଛନ୍ତି ନବୀନ ପଟ୍ଟନାୟକ। 24 ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଲେଣି କିନ୍ତୁ ଦୁର୍ଭାଗ୍ୟର କଥା ନିଜ ଜିଲ୍ଲାବାସୀଙ୍କ ପାଇଁ ପିଇବା ପାଣି ମୁନ୍ଦେର ବି କରିପାରିନାହାନ୍ତି ବ୍ୟବସ୍ଥା। ଖାଲି ପାନୀୟ ଜଳ ନୁହେଁ ଏହି ସିନ୍ଧୁପଙ୍କ ଗାଁକୁ ନାହିଁ ସବୁଦିନିଆ ରାସ୍ତା । ବିଜୁଳି, ଶିକ୍ଷା, ସ୍ବାସ୍ଥ୍ୟ ସବୁ ମୌଳିକ ସୁବିଧାରୁ ବଞ୍ଚିତ ଏ ଗାଁ ଲୋକେ। ଇଏ ନବୀନଙ୍କ ଶାସନରେ ବିଜେଡିର ବହୁ ପ୍ରଚାରିତ ରୂପାନ୍ତରୀକରଣର ଅସଲ ଚିତ୍ର। 

କେବଳ ସିନ୍ଧୁପଙ୍କ ଗାଁ ନୁହେଁ ଖରା ଦିନରେ ସାରା ଓଡ଼ିଶାରେ ପାଣି ପାଇଁ ହାହାକାର ସ୍ଥିତି । ଏ ନେଇ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ। ଫଳରେ ନିର୍ବାଚନ ପ୍ରଚାରରେ ଯାଉଥିବା ବିଜେଡିର ବଡ଼ ବଡ଼ ନେତାଙ୍କୁ ଘେରୁଛନ୍ତି ଲୋକେ। ଦିନକ ତଳେ ରେଢ଼ାଖୋଲ ନାକଟି ଦେଉଳରେ ବିଜେଡିର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପାଣି ପ୍ରଶ୍ନ ପଚାରିଥିଲେ ନିଜ ଦଳର କର୍ମୀ। ପାଣି  ସମସ୍ୟା ଦୂର ହେଲେ ଭୋଟ ଦେବେ ବୋଲି କହୁଛନ୍ତି ଯୁବକ।  କିଛି ଦିନ ତଳେ ବିଜେଡିର ବରିଷ୍ଠ ନେତା ବଦ୍ରି ପାତ୍ରଙ୍କୁ  ପାଣି ପାଇଁ ଘେରିଥିଲେ ମହିଳା। ଆନନ୍ଦପୁର ଉପଖଣ୍ଡ କେଶଦୁରାପାଳ ଗାଁର ମହିଳାଙ୍କ ପାଣି ପ୍ରଶ୍ନରେ ଘାଇଲା ହୋଇଥିଲେ ବଦ୍ରି। ଏଠି କୁଶେଇ ନଦୀରେ ଚୁଆ କରି ପାଣି ଆଣି ପିଉଛନ୍ତି ମହିଳା ।  

ଆଉ ଇଏ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଚିତ୍ର । ଗଞ୍ଜାମ ସୋରଡ଼ାରେ ଘର ଆଗରେ ଖାଲି ହାଣ୍ଡି, ମାଠିଆ, ବାଲଟି ରଖି ନେତାଙ୍କୁ ବିରୋଧ କରୁଛନ୍ତି ଜନତା । ହଟହଟା ହୋଇଥିଲେ ପ୍ରଚାର କରିବାକୁ ଯାଇଥିବା ବିଜେଡି ବିଧାୟକ ପୂର୍ଣ୍ଣ ସ୍ବାଇଁ...ଏଥର ପୂର୍ଣ୍ଣଙ୍କ ପତ୍ନୀଙ୍କୁ ମିଳିଛି ବିଜେଡି ଟିକେଟ ।  ସାରା ରାଜ୍ୟର ସ୍ଥିତି। ଖରା ଦିନରେ ସାରା ଓଡ଼ିଶାରେ ମହିଳାଙ୍କ ମୁଣ୍ଡ ଓ କାଖରେ ଗରା-ମାଠିଆ। ବିଜେଡିର ମହିଳା ସମ୍ମାନ ନାରାର ଉଡୁଛି ଧଜ୍ଜିଆ। ଲୋକଙ୍କୁ ପାଣି ନ ମିଳିବା ପଛରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ। ଏହାକୁ ନେଇ ରାଜ୍ୟର ବିଜେଡି ସରକାରଙ୍କୁ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଶ୍ନ କରିଛନ୍ତି ବିଜେଡିର 25 ବର୍ଷ ଶାସନରେ କଣ ଏମିତି ହୋଇଛି ଓଡ଼ିଶାର ରୂପାନ୍ତରୀକରଣ ? ଓଡ଼ିଶାର ପ୍ରତି ଘରକୁ ସ୍ବଚ୍ଛ ପାନୀୟ ଜଳ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 10,207 କୋଟି ଟଙ୍କା ଦେବା ସତ୍ବେ ରାଜ୍ୟରେ କାହିଁକି ଉତ୍କଟ ପାନୀୟ ଜଳ ସ୍ଥିତି। 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର