|
logo
Live

Argus News - ରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠାରେ ନିୟୋଜିତ କେନ୍ଦ୍ରାପଡାର ପଥର ଶିଳ୍ପୀ

Odisha

ରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠାରେ ନିୟୋଜିତ କେନ୍ଦ୍ରାପଡାର ପଥର ଶିଳ୍ପୀ

Ritu Das
Browse all articles by Ritu Das
·2 years ago·2 min read
ରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠାରେ ନିୟୋଜିତ କେନ୍ଦ୍ରାପଡାର ପଥର ଶିଳ୍ପୀ

ଅର୍ଗସ ବ୍ୟୁରୋ: ଅଯୋଧ୍ୟାରେ ନିର୍ମିତ ରାମ ଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠାରେ ନିୟୋଜିତ ହୋଇଛନ୍ତି କେନ୍ଦ୍ରାପଡାର ପଥର ଶିଳ୍ପୀ ପରୀକ୍ଷିତ ଓଝା। ଗତ ଜୁଲାଇ ମାସରେ ସେ ମନ୍ଦିର ନିର୍ମାଣ କାର୍ଯ୍ୟରେ ଯୋଗଦେଇଥିଲେ। ପ୍ରାୟ ୬ ମାସ ପରେ ଘରକୁ ଫେରିଛନ୍ତି ପରୀକ୍ଷିତ। ଏବେ ତାଙ୍କ ପରିବାରଙ୍କ  ଖୁସି କହିଲେ ନସରେ। ଏବେ ପୁଣି ଥରେ ପରୀକ୍ଷିତଙ୍କୁ ଅଯୋଧ୍ୟାରୁ ଡକରା ଆସିଲାଣି। 

 ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ କେନ୍ଦ୍ରାପଡାର ପଥର ଶିଳ୍ପୀଙ୍କ ନିଖୁଣ କାରିଗରୀ। କେନ୍ଦ୍ରାପଡା ଡେରାବିଶ ବ୍ଲକ ଅନ୍ତର୍ଗତ ନୀଳକଣ୍ଠ ପୁର ଗାଁର ଶିଳ୍ପୀ ପରୀକ୍ଷିତ ଓଝା ରାମ ମନ୍ଦିର ନିର୍ମାଣର ଜଣେ ସହଯୋଗୀ ଶିଳ୍ପୀ। ଗତ ଜୁଲାଇ ମାସରେ ପରୀକ୍ଷିତ ଏକ କମ୍ପାନୀ ଦ୍ଵାରା ମନୋନୀତ ହୋଇ ଅଯୋଧ୍ୟା ଯାଇଥିଲେ। ସାଙ୍ଗରେ ଥିଲେ ଅନ୍ୟ ୨୨ ଜଣ ଶିଳ୍ପୀ। ତେବେ ଅଯୋଧ୍ୟା ରାମ ମନ୍ଦିର ପରିସରରେ ଥିବା ରଙ୍ଗ ମଣ୍ଡପରେ ସ୍ଥାପିତ ହୋଇଥିବା ପ୍ରସ୍ତର ମୂର୍ତ୍ତୀ ନିର୍ମାଣ ଦାୟିତ୍ଵରେ ଥିଲେ ପରୀକ୍ଷିତ। ବିଭିନ୍ନ ସିଫ୍ଟରେ ପ୍ରାୟ ସାଢେ ୩ ହଜାର ଶିଳ୍ପୀ ଓ ସହଯୋଗୀ ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ମନ୍ଦିର ପରିସରରେ ନିର୍ମାଣ ହେଉଥିବା ୬ ଗୋଟି ଅନ୍ୟ ମନ୍ଦିରର ନିର୍ମାଣରେ ମଧ୍ୟ ତାଙ୍କ ଭୂମିକା ରହିଛି। ମନ୍ଦିର ନିର୍ମାଣ କାର୍ଯ୍ୟରୁ ସାମୟିକ ବିରତି ନେଇ ଘରକୁ ଫେରିବା ପରେ ପରୀକ୍ଷିତଙ୍କ ପରିବାରରେ ଖୁସିର ଲହରି ଖେଳି ଯାଇଛି। 

ଖୁବ୍ କମ୍ ବୟସରୁ ପରୀକ୍ଷିତ ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ତାଙ୍କୁ ଯେତେବେଳ ମାତ୍ର ୧୪ ବର୍ଷ ସେ ଭୁବନେଶ୍ବର ଯାଇ ଛୋଟଛୋଟ କାମରେ ହାତ ଦେଲେ।  ମହାବାତ୍ୟା ପରେ କାମ ନପାଇ ସେ ରାଜ୍ୟ ବାହାରକୁ ଯାଇ ବିଭିନ୍ନ ମନ୍ଦିର ନିର୍ମାଣ କାମରେ ଯୋଗଦେଇଥିଲେ। ପରେପରେ ତାଙ୍କ ହାତକୁ ଆଉ ଫୁରସତ୍ ମିଳିନି। ପରୀକ୍ଷିତଙ୍କ ବଡ ଭାଇ ଅରକ୍ଷିତ ମଧ୍ୟ ଜଣେ କାଠ କାରିଗର। ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ ପରୀକ୍ଷିତଙ୍କ ଯୋଗଦାନ ପାଇଁ ତାଙ୍କ ପରିବାର ଲୋକେ ବେଶ୍ ଖୁସି। ସୁଯୋଗ ପାଇଲେ ନିଜ ପରିବାର ଲୋକଙ୍କୁ ସାଙ୍ଗରେ ନେଇ ଅଯୋଧ୍ୟା ଭବ୍ୟ ରାମ ମନ୍ଦିର ଦର୍ଶନ କରାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ପରୀକ୍ଷିତ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
ରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠାରେ ନିୟୋଜିତ କେନ୍ଦ୍ରାପଡାର ପଥର ଶିଳ୍ପୀ | Argus News