ଭୁବନେଶ୍ୱରରେ ଦୁଇଦିନିଆ ଜାତୀୟ ସ୍ତରୀୟ ଉଇକିମିଡ଼ିଆ କର୍ମଶାଳା ଆୟୋଜିତ

ଭୁବନେଶ୍ୱର : ଆଜିର ଆଧୁନିକ ମୋବାଇଲ୍ ଓ ଇଣ୍ଟରନେଟ୍ ଯୁଗରେ ଉଇକିପିଡ଼ିଆ ଜରିଆରେ ଆମକୁ ଅନେକ ଜ୍ଞାନ ମିଳିପାରୁଛି । ଆମେ ଯାହା ବି ଗୁଗୁଲ୍ରୁ ଖୋଜୁଛେ କିମ୍ବା ଏବେ ବିଭିନ୍ନ ଏଆଇ ଦ୍ୱାରା ଜାଣୁଛେ, ତା'ର ଅଧିକାଂଶ ତଥ୍ୟ ଉଇକିପିଡ଼ିଆ ଭଳି ଖୋଲା ଜ୍ଞାନକୋଷରୁ ଆସିଥାଏ । ଭାରତ ବର୍ଷରେ ଉଇକିପିଡ଼ିଆ ସମୁଦାୟର ସ୍ଥିତିକୁ ସୁଦୃଢ଼ କରିବା ତଥା ଉଇକିପିଡ଼ିଆରେ ଅବଦାନ କରୁଥିବା ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଦେଇ ଆଗକୁ ବଢ଼ାଇବା ଲକ୍ଷ୍ୟ ନେଇ ୨୦୧୩ ମସିହାରୁ ବାଙ୍ଗାଲୋର ସ୍ଥିତ ସିଆଇଏସ୍-ଏଟୁକେ ଦ୍ୱାରା ଆୟୋଜନ ହୋଇ ଆସୁଥିବା ଟ୍ରେନ୍ ଦି ଟ୍ରେନର୍ (TTT)ର ୯ମ ସଂସ୍କରଣ ଗତ ୧୮ ତାରିଖରୁ ୨୦ ତାରିଖ ଯାଏଁ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ।
ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର୍ ଗ୍ରୁପ୍ର ସହାୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ବର୍ଷର ବିଭିନ୍ନ ଭାଷା ଯଥା, ଓଡ଼ିଆ, ଆହମିୟା, ପଞ୍ଜାବୀ, ସାନ୍ତାଳୀ, ତାମିଲ, ତେଲୁଗୁ, ହିନ୍ଦୀ, ବାଂଲା, ତୁଳୁ, କନ୍ନଡ଼ା, ମରାଠୀ, ମାଲାୟାଲମ ଉଇକିପିଡ଼ିଆରୁ ଏବଂ କମନ୍ସ, ଟେକ୍ ତଥା ଫୋସ୍ ଅନ୍ୟାନ୍ୟ ସଂଗଠନରୁ ୩୫ରୁ ଉର୍ଦ୍ଧ୍ୱ ପ୍ରଶିକ୍ଷଣ ପାଇଁ ଯୋଗ ଦେଇଥିଲେ ।
ଅଧିକ ପଢନ୍ତୁ : ଓଡ଼ିଆ ଉଇକିଆଳି ଡ. ସୁବାସ ଚନ୍ଦ୍ର ରାଉତଙ୍କୁ ମିଳିଲା "୨୦୨୩ କିଓର୍ ଆୱାର୍ଡ଼"
ଅକ୍ଟୋବର ୧୮ ତାରିଖ ଦ୍ୱିପ୍ରହରରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଏହି କର୍ମଶାଳାରେ ପ୍ରଥମେ ସହର ଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ କଳାଭୂମି ସଂଗ୍ରହାଳୟକୁ ସଭିଏଁ ବୁଲିବାକୁ ଯାଇଥିଲେ ଏବଂ ୧୯ ଓ ୨୦ ତାରିଖରେ ହୋଟେଲ୍ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲ୍ରେ ଆୟୋଜିତ ଶିବିରରେ ବିଭିନ୍ନ ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇଥିଲା ତଥା ଆବଶ୍ୟକୀୟ ଶିକ୍ଷଣ କର୍ମଶାଳାମାନ ଆୟୋଜନ କରାଯାଇଥିଲା । ସିଆଇସ୍-ଏଟୁକେ ତରଫରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତନବୀର ହାସନ, ଏଟୁକେ ପ୍ରୋଗ୍ରାମ ମ୍ୟାନେଜର୍ ପବନ ସନ୍ତୋଷ, ପ୍ରୋଗ୍ରାମ ଅଫିସର୍ ନିତେଶ ଗିଲ୍, ନିବାସ ରମିଶେଟ୍ଟୀ, ସୁବୋଧ କୁଲକର୍ଣ୍ଣି, ମେଦିନୀ ସୁଭୁ ଓ କ୍ରିଷ୍ଟିନା ପ୍ରମୁଖ ଯୋଗ ଦେଇଥିଲେ ।
📱 Get Argus News App
✨ସେହିଭଳି ଓଡ଼ିଆ ଉଇକିଆଳି ମୃତ୍ୟୁଞ୍ଜୟ କର, ଜ୍ଞାନରଞ୍ଜନ ସାହୁ, ଚିନ୍ମୟୀ ମିଶ୍ର, ସଂଗ୍ରାମ କେଶରୀ ସେନାପତି, ଗାୟତ୍ରୀ ତ୍ରିପାଠୀ, ଶୈଳେଶ ପଟ୍ଟନାୟକ, ଅଭିଜିତ ପାତ୍ରୋ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଆୟୋଜନ ତଥା ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଆ ଉଇକିଆଳିମାନେ ଓଡ଼ିଆ ଉଇକିପିଡ଼ିଆ ତଥା ବିଭିନ୍ନ ପ୍ରକଳ୍ପଗୁଡ଼ିକରେ କରିଥିବା କାମ ବିଷୟରେ ଆଲୋକପାତ କରିବା ସହିତ ଅନ୍ୟାନ୍ୟ ଉଇକିଆଳିମାନେ ଯଥା ଡ. ସୁବାସ ଚନ୍ଦ୍ର ରାଉତ, ସୁଭାସିସ ପାଣିଗ୍ରାହୀ, ପ୍ରୀତିରଞ୍ଜନ ତ୍ରିପାଠୀ ଆଦିଙ୍କ ଦ୍ୱାରା କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ବାବଦରେ ଆଲୋଚନା କରାଯାଇଥିଲା । ୧୯ ତାରିଖ ରାତ୍ରିଭୋଜନରେ ଭୁବନେଶ୍ୱରରେ ରହୁଥିବା ଓଡ଼ିଆ ତଥା ସାନ୍ତାଳୀ ଭାଷାର ଉଇକିଆଳିମାନେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମ ସମାପନ ପରେ ଓଡ଼ିଆ ଉଇକିପାଠାଗାରର ୧୦ ବର୍ଷ ପୂରଣ ଅବସରରେ କେକ୍ କଟାଯାଇଥିଲା ଏବଂ ନୂଆକରି ନିର୍ବାଚିତ ପରିଚ୍ଛା ସଂଗ୍ରାମ କେଶରୀ ସେନାପତିଙ୍କୁ ସଭିଏଁ ଶୁଭେଚ୍ଛା ଜଣାଇଥିଲେ ।