ଚିଲିକାର `କାଙ୍କଣ ଶିଖରୀ'ରେ ନିଆରା ରଥଯାତ୍ରା

ଅର୍ଗସ ବ୍ୟୁରୋ: ଆଜି ହେଉଛି ପବିତ୍ର ରଥଯାତ୍ରା । ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଜଗତର ନାଥ ଜଗନ୍ନାଥଙ୍କ ଏହି ପବିତ୍ର ଘୋଷଯାତ୍ରା ଚିଲିକାର ନୀଳ ଜଳରାଶିରେ ଅନୁଷ୍ଠିତ ହୋଇଥିଲା। ସମଗ୍ର ବିଶ୍ବରେ ସବୁଠି ସ୍ଥଳ ପଥରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏଠି କିନ୍ତୁ ଚିଲିକାର ଜଳପଥରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା। ଯାହାକି ନିଆରା ରଥଯାତ୍ରା ଭାବେ ପାଳନ କରାଯାଏ ।
ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଅଧୀନ ନଈରୀ ଗ୍ରାମର ଚିଲିକା ମଧ୍ୟରେ ରହିଛି ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ "କାଙ୍କଣ ଶିଖରୀ" ଧାମ। କାଙ୍କଣ ଶିଖରୀର ମାହାତ୍ମ୍ୟ ମଧ୍ୟ ଅଧିକ। ଚିଲିକାର ମଧ୍ୟ ଭାଗରେ ରହିଛି ଗୋଟିଏ ଛୋଟ କୁଦ ( ସ୍ଥଳ ଭାଗ ) ଯାହାର ନାଁ ରହିଛି "କାଙ୍କଣ ଶିଖରୀ" । ସେହି ଠାରେ ଆଜକୁ ଦୀର୍ଘ ୧୦ ବର୍ଷ ଧରି ଏଭଳି ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି ।
ତିନୋଟି ନୌକା ( ନନ୍ଦିଘୋଷ , ତାଳଧ୍ୱଜ , ଦର୍ପଦଳନ ) କୁ ଗୋଟିଏ ରଜୁରେ ବନ୍ଧା ଯିବା ପରେ ସେଥିରେ ନିର୍ମାଣ ହୋଇଥାଏ ରଥ । ସେହି ରଥରେ ବିରାଜମାନ କରିଥାନ୍ତି ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ମା' ସୁଭଦ୍ରା । ରଥାରୂଢ ହେବା ପରେ ରଥଟଣା ହୋଇଥାଏ। କି ନିଆରା ଦୃଶ୍ୟ।
ଚିଲିକାର ନୀଳ ଜଳରାଶି ହୋଇଥାଏ ବଡ଼ଦାଣ୍ଡ ଏବଂ ଚିଲିକା ଢେଉରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଥାଏ ବିରଳ ରଥଯାତ୍ରା । ରଥ ରଜୁର ଆବଶ୍ୟକତା ନାହିଁ ବରଂ ଭାବରେ ବନ୍ଧା ନୀଳାମୟ ଠାକୁରଙ୍କ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ହୋଇଥାଏ ଏହି ରଥଯାତ୍ରା ।
"କାଙ୍କଣ ଶିଖରୀ" କୁଦକୁ ପରିକ୍ରମା କରିବା ପରେ ଠାକୁର ପୁଣି ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି । ଘଣ୍ଟ-ଘଣ୍ଟା, କାହାଳୀ , ମୃଦଙ୍ଗ , ଝାଞ୍ଜ , କୀର୍ତ୍ତନ ସାଙ୍ଗକୁ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥାଏ ଗଗନ ପବନ । ଏହି ବିରଳ ରଥଯାତ୍ରା ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ।
📱 Get Argus News App
✨ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର