କାର୍ତ୍ତିକରେ ହନ୍ତସନ୍ତ ହେଉଛନ୍ତି ହବିଷ୍ୟାଳୀ

Key Points
- ଶ୍ରୀମନ୍ଦିରରେ ପୁଣି ଅବ୍ୟବସ୍ଥା
- ଭିଡ ନିୟନ୍ତ୍ରଣରେ ପ୍ରଶାସନ ଫେଲ୍ !
- ବାହାରେ ଦଳାଚକଟା...ଭିତରେ ବି ସମଦଶା
ପୁରୀ: ଘଣ୍ଟା ଘଣ୍ଟା ଲାଇନରେ ଛିଡା ହେବା ପରେ ବି ଶାନ୍ତିରେ ଦର୍ଶନ କରିପାରୁନାହାନ୍ତି ଶ୍ରଦ୍ଧାଳୁ । କାର୍ତ୍ତିକରେ ହନ୍ତସନ୍ତ ହେଉଛନ୍ତି ହବିଷ୍ୟାଳୀ । ପବିତ୍ର ମାସରେ କାଳିଆର ଟିକିଏ ସାନିଧ୍ୟ ପାଇବା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ବେଶ୍ ଜମୁଛି । ବ୍ରତ ପାଳୁଛନ୍ତି ହବିଷ୍ୟାଳୀ । ହେଲେ ଶାନ୍ତିରେ ଟିକିଏ ଦର୍ଶନ କରିପାରୁନାହାନ୍ତି । ଦେଖନ୍ତୁ ଏହି ଦୃଶ୍ୟକୁ...କେମିତି ଧସ୍ତାଧସ୍ତି. ଠେଲା ପେଲା ହେଉଛନ୍ତି ଭକ୍ତ । ଆଉ ସ୍ଥିତି ଏମିତି ହେଲା ଯେ ଅନେକ ଶ୍ରଦ୍ଧାଳୁ ମେଡିକାଲରେ ଭର୍ତ୍ତି ହେଲେ ।
କାର୍ତ୍ତିକ ମାସରେ ବଡି ଭୋରରୁ ବାଲୁକା ପୂଜା କରି ଜଗାର ମଙ୍ଗଳ ଆଳତି ଦର୍ଶନ କରିବାକୁ ହବିଷ୍ୟାଳିଙ୍କ ଭିତରେ ଥିଲା ପ୍ରବଳ ଉତ୍ସାହ । ହେଲେ ଏହି ସମୟରେ ଠେଲାପେଲାରେ ହବିଷ୍ୟାଳୀଙ୍କ ସମେତ 15 ରୁ ଉର୍ଦ୍ଧ୍ୱ ଭକ୍ତ ଆହତ ହୋଇଛନ୍ତି । ଏତେ ଗୁରୁତର ଯେ ଶ୍ରଦ୍ଧାଳୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା ପ୍ରଶାସନକୁ । ମଙ୍ଗଳାଳତୀ ପରେ ସିଂହଦ୍ୱାର ବ୍ୟାରିକେଡ୍ ଖୋଲାଯିବା ସମୟରେ ହବିଷ୍ୟାଳୀମାନଙ୍କୁ ମଧ୍ୟ ଏକକାଳିନ ମନ୍ଦିରକୁ ଛଡାଯାଇଥିଲା । ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ଓ ଠେଲାପେଲା ହୋଇଥିଲା । ସୁରକ୍ଷା କର୍ମୀମାନେ ଗହଳି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ ।
ଅଧିକ ପଢନ୍ତୁ: ଶ୍ରୀମନ୍ଦିରରେ ଠେଲାପେଲା, ୧୦ରୁ ଉର୍ଦ୍ଧ୍ବ ଆହତ
ଗତକାଲିର ଏହି ଘଟଣା ପୂରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତିଆରି ଚାଲିଛି । ପ୍ରତି ଶନିବାର ପାଣ୍ଡିଆନ୍ ବି ସମୀକ୍ଷା କରୁଛନ୍ତି ପ୍ରକଳ୍ପର ଅଗ୍ରଗତି । ହେଲେ ସ୍ଥିତି କଣ ? କେମିତି ଅଛି ? କେତେ ଅଗ୍ରଗତି ହେଉଛି ? ସେ ଦୃଶ୍ୟ ଗତକାଲି ହିଁ ସ୍ପଷ୍ଟ ହୋଇଛି ।
📱 Get Argus News App
✨ଗୁରୁତ୍ଵପୂର୍ଣ୍ଣ କଥା ହେଲା ମଙ୍ଗଳଆଳତୀଠୁ ନେଇ ରାତ୍ର ପହୁଡ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିଡ ରହୁଛି । କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁ ଯାଉଥିବାବେଳେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଠିଆ ହେବାକୁ ପଡୁଛି । ସେଥିପାଇଁ 4 ଦୁଆର ଖୋଲିବା ନେଇ ଦାବି ହେଉଛି । ନା ସରକାର 4 ଦୁଆର ଖୋଲୁଛନ୍ତି ନା ଭିଡ ନିୟନ୍ତ୍ରଣ କରିପାରୁଛନ୍ତି । ତେବେ ସମୟ କହିବ ଚେଇଁ ଶୋଇଥିବା ସରକାରର ନିଦ ଭାଙ୍ଗୁଛି କେବେ ?
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢନ୍ତୁ
