ବିଜେପିର ଅଭିଯୋଗ ପରେ ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ନିର୍ଦ୍ଦେଶ

ଅର୍ଗସ ବ୍ୟୁରୋ: ସୁଜାତା କାର୍ତ୍ତିକେୟନଙ୍କୁ ଇସିଆଇ ଛାଟ । ବିଜେପିର ଅଭିଯୋଗ ପରେ ସୁଜାତାଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ଖବର। ମିଶନ ଶକ୍ତି କମିଶନର ତଥା ସଚିବ ସୁଜାତା କାର୍ତ୍ତିକେୟନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଅଣିଛି ବିଜେପି। ବିଜେଡିର ରାଜନୈତିକ ଫାଇଦା ପାଇଁ SVEEP କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ପ୍ରଭାବିତ କରୁଥିବା ନେଇ ହୋଇଛି ଅଭିଯୋଗ। ଏନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି। ଅଭିଯୋଗ ଅନୁଯାୟୀ ବିଜେଡି ନେତା ତଥା ଅବସରପ୍ରାପ୍ତ ଆଇଏଏସ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନ ଯିଏକି ମିଶନ ଶକ୍ତି କମିଶନର ତଥା ସଚିବ ଭାବେ ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଛନ୍ତି।
ସେ ବିଜେଡିକୁ ରାଜନୈତିକ ଫାଇଦା ପହଞ୍ଚାଇବାକୁ ସରକାରୀ କଳର ଦୁରୁପଯୋଗ କରୁଛନ୍ତି। ନିଜ ସ୍ବାମୀଙ୍କ ଦ୍ବାରା ପ୍ରଭାବିତ ହୋଇ ସୁଜାତା ପେଶଦାର ମନୋଭାବକୁ ଜଳାଞ୍ଜଳି ଦେଇ ବିଜେଡିର ଏଜେଣ୍ଟ ଭାବେ କାମ କରୁଥିବା ଅଭିଯୋଗ କରିଛି ବିଜେପି। ଯେହେତୁ ତାଙ୍କ ସ୍ବାମୀ ପାଣ୍ଡିଆନ ବିଜେଡିର ଜଣେ ଆଗ ଧାଡ଼ିର ନେତା ତେଣୁ ନିଜକୁ ସର୍ବସାଧାରଣ କାର୍ଯ୍ୟକ୍ରମରୁ ସୁଜାତା ଦୂରେଇ ରଖିବା ଆବଶ୍ୟକ ଥିଲା କିନ୍ତୁ ଏହା ପରିବର୍ତ୍ତେ ସେ ବିଜେଡିର ଜଣେ ଆଗ ଧାଡ଼ିର କର୍ମୀ ଭାବେ ନିର୍ବାଚନରେ ଅଂଶଗ୍ରହଣ କରୁଛନ୍ତି ଯାହା ପୂର୍ବରୁ କେବେ ଶୁଣିବାକୁ ମିଳିନଥିବା ବିଜେପି ଅଭିଯୋଗ କରିଛି।
ଏହାଛଡ଼ା ମିଶନଶକ୍ତି ବିଭାଗ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସରକାରୀ ସହାୟତା ବନ୍ଦ କରିଦିଆଯିବାର ଭୟ ଦେଖାଇ ବିଜେଡି ସପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ବାଧ୍ୟ କରୁଛି। ଭୋଟରଙ୍କୁ ସଚେତନ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଚାଲିଥିବା ସିଷ୍ଟୋମାଟିକ୍ ଭୋଟର୍ସ ଏଜୁକେଶନ ଆଣ୍ଡ ଇଲେକ୍ଟୋରାଲ ପାର୍ଟିସପେସନ୍ SVEEP କାର୍ଯ୍ୟକ୍ରମର ଦୁରୁପଯୋଗ କରି ବିଜେପି ସପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରାଯାଉଛି।
📱 Get Argus News App
✨ତେଣୁ ଭାରତୀୟ ନିର୍ବାଚନ କମିଶନ ତାଙ୍କ ନିରପେକ୍ଷତା ପ୍ରତିଷ୍ଠା ବଜାୟ ରଖିବା ପାଇଁ ନିର୍ବାଚନ ଶେଷ ହେବା ଯାଏ ସୁଜାତା କାର୍ତ୍ତିକେୟନଙ୍କୁ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର ଓ ସଚିବ ପଦରୁ ଅବ୍ୟାହତି ଦେବାକୁ ଦାବି କରିଥିଲା ବିଜେପି। କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଓ ସାଂସଦ ସୁଧାଂଶୁ ତ୍ରିବେଦୀ ଏବଂ ଓମ୍ ପାଠକଙ୍କୁ ନେଇ ବିଜେପିର ପ୍ରତିନିଧି ଦଳ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ଏହି ଦାବି କରିଥିଲେ। ବିଜେପିର ଦାବି ଆଧାରରେ ସୁଜାତାଙ୍କୁ ମିଶନ ଶକ୍ତି ବିଭାଗରୁ ବଦଳି ପାଇଁ ଇସିଆଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର