ଫସଲ ନଷ୍ଟ ପରେ ଋଣ ଭାର ଚିନ୍ତାରେ ବିଷ ପିଇଲେ ଚାଷୀ
ଅର୍ଗସ ବ୍ୟୁରୋ: ବଲାଙ୍ଗିରରେ ପୁଣି ଚାଷୀ ଆତ୍ମହତ୍ୟା । ଅଦିନିଆ ବର୍ଷାରେ ଫସଲ ନଷ୍ଟ ପରେ ଋଣ ଭାର ଚିନ୍ତାରେ ବିଷ ପିଇଲେ ଟିଟିଲାଗଡ଼ ବିନେକେଳା ଗାଁର ଚାଷୀ ଚମରୁ ବାଗ । ଚାଷୀ ମରୁଛନ୍ତି , ଫସଲ କ୍ଷୟକ୍ଷତିର ଭରଣା ନେଇ ରାଜ୍ୟ ସରକାର କିନ୍ତୁ ନୀରବ । କୃଷି ବୀମା କାର୍ଯ୍ୟକାରୀ କରିବାରେ ସରକାରୀ ଅବହେଳାରୁ ହନ୍ତସନ୍ତ ହେବାକୁ ପଡୁଛି ଓଡ଼ିଶାର ଚାଷୀଙ୍କୁ । ଦେଖିବା ଏହି ରିପୋର୍ଟ ।
ଉଜୁଡ଼ି ଗଲା ସଂସାର। ପେଟ ପାଇଁ ଦୁଇ ପୁଅ ଗୁଜୁରାଟରେ ଦାଦନ ଖଟୁଛନ୍ତି। ଆଉ ଏପଟେ ସ୍ବାମୀଙ୍କ ଅକାଳ ମୃତ୍ୟୁ। ବୁକୁ ଫଟାଇ କାନ୍ଦୁଛନ୍ତି ସ୍ତ୍ରୀ। ବଲାଙ୍ଗୀର ଟିଟିଲାଗଡ଼ ଥାନା ବିନେକେଳା ଗାଁର ଚାଷୀ ଚମରୁ ବାଗ ଶନିବାର ବିଷ ପିଇ ଆତ୍ମହତ୍ୟା କରିବା ପରେ ଗାଁରେ ଶୋକାକୁଳ ପରିବେଶ ।
ଅଧା ଏକର ଜମିରେ କୋବି ଓ ପ୍ରାୟ ଦେଢ଼ ଏକର ଜମିରେ ଧାନ ଚାଷ କରିଥିଲେ ଚମରୁ। ଏଥିପାଇଁ ଟଙ୍କା ହାତ ଉଧାରି ଆଣିଥିଲେ। ଫସଲ ତ ଭଲ ହୋଇ ନ ଥିଲା। ଅନ୍ୟପଟେ ଦାଉ ସାଧିଲା ଅଦିନିଆ ବର୍ଷା। ଫସଲ ନଷ୍ଟ ହେଲା, ଆଉ ଋଣ ଚିନ୍ତାରେ ଚମରୁ ବିଷ ପିଇଥିବା କହିଛନ୍ତି ସମ୍ପର୍କୀୟ ଓ ଗାଁ ଲୋକେ।
ଚମରୁଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ନିଜର ଘରବାଡ଼ି ଜମି ବି ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଘର ବି କରିଛନ୍ତି ଅନ୍ୟ ଲୋକର ଜାଗାରେ। ଦୁଇ ପୁଅ ଗୁଜରାଟରେ ଦାଦନ ଖଟୁଛନ୍ତି। ଆଉ ଏଭଳି ଅବସ୍ଥାରେ ଫସଲ ନଷ୍ଟ ହେବାରୁ ଧୈର୍ଯ୍ୟ ହାରିଲେ ଚମରୁ। ରାଜ୍ୟରେ ପ୍ରତିବର୍ଷ ଋଣ ଭାର ଯୋଗୁଁ ଆତ୍ମହତ୍ୟା କରୁଛନ୍ତି ବହୁ ଚାଷୀ। କିନ୍ତୁ ରାଜ୍ୟ ସରକାର ଚୁପ୍। ଫସଲ ନଷ୍ଟ ବାବଦକୁ ଠିକ୍ ସମୟରେ ପ୍ରକୃତ କ୍ଷତିପୂରଣ ପାଇପାରୁନାହାନ୍ତି ଚାଷୀ। ଏହାର କାରଣ ହେଲା କୃଷି ବୀମା କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ଅବହେଳା। ଠିକ୍ ସମୟରେ କ୍ଷୟକ୍ଷତି ଆକଳନ କରାଯାଉନଥିବାବେଳେ ପ୍ରକୃତ ଚାଷୀଙ୍କୁ ମିଳୁନି କ୍ଷତିପୂରଣ। ରାଜ୍ୟ ସରକାରଙ୍କ ଅପାରଗତା ଓ ପାତର ଅନ୍ତର ନୀତି ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଓଡ଼ିଶାର ଚାଷୀ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର