ପାଣ୍ଡିଆନଙ୍କ ନାଁ ହଟିବା ପରେ ଚର୍ଚ୍ଚାରେ CMOର ଆଉ ଜଣେ ଅଧିକାରୀ

ଭୁବନେଶ୍ୱର: ରାଜନୈତିକ ଦାୟିତ୍ବରେ ସରକାରୀ କର୍ମଚାରୀ । ବିଜେପି ଅଭିଯୋଗରେ ପାଣ୍ଡିଆନଙ୍କ ନାଁ ହଟିବା ପରେ ଚର୍ଚ୍ଚାରେ CMOର ଆଉ ଜଣେ ଅଧିକାରୀ । ନବୀନଙ୍କ ବଦଳରେ ବିଜେଡି ନେତାଙ୍କ ଇସ୍ତଫା ପତ୍ର ନେଉଛନ୍ତି ରବୀନ୍ଦ୍ର ସେଠୀ । କର୍ମୀ ନୁହେଁ ସରକାରୀ କର୍ମଚାରୀଙ୍କ ଉପରେ ଭରସା କରୁଛି ବିଜୁ ଜନତା ଦଳ । ସରକାରୀ କର୍ମଚାରୀ ଶାସକ ଦଳ ପାଇଁ କାମ କରିବା ଆଚରଣ ବିଧିର ଉଲ୍ଲଂଘନ, ହେବ କି କାର୍ଯ୍ୟାନୁଷ୍ଠାନ ?, ଉଠିଲା ପ୍ରଶ୍ନ । ପ୍ରଭାସ ସିଂ । ବିଜୁ ଜନତା ଦଳର ପୂର୍ବତନ ସାଂସଦ। କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଲେ। ଇସ୍ତଫା ପତ୍ର ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହିଁଲେ, କିନ୍ତୁ ନବୀନଙ୍କ ଦେଖା ମିଳିଲାନି । ଅନ୍ୟପଟେ ତାଙ୍କଠାରୁ ଇସ୍ତଫା ପତ୍ର ଗ୍ରହଣ କଲେ ସେଠୀ ବାବୁ । ପ୍ରଭାସ ସିଂ ଉଲ୍ଲେଖ କରିଥିବା ଏ ସେଠୀ ବାବୁ ହେଉଛନ୍ତି, ରବୀନ୍ଦ୍ର ସେଠୀ, OAS ଅଫିସର, ଜଣେ ସରକାରୀ କର୍ମଚାରୀ । ପୂର୍ବରୁ ଥିଲେ ବିଧାନସଭା ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଏବଂ ଗତ ନଭେମ୍ବର 10 ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ବା CMOରେ ଅଛନ୍ତି କାର୍ଯ୍ୟରତ । ଜଣେ ସରକାରୀ ଅଧିକାରୀ କେମିତି ଓ କାହିଁକି ବିଜେଡି ନେତାଙ୍କଠାରୁ ଇସ୍ତଫା ପତ୍ର ଗ୍ରହଣ କଲେ ତାକୁ ନେଇ ସୃଷ୍ଟି ହୋଇଛି ବିବାଦ।
ପ୍ରଭାସ ସିଂଙ୍କଠାରୁ CMOର ଅଧିକାରୀ ରବୀନ୍ଦ୍ର ସେଠୀ ଇସ୍ତଫା ଗ୍ରହଣ କରିବା ଗୋଟିଏ ପଟେ ତ ଆଚରଣ ବିଧିର ଉଲ୍ଲଂଘନ ଅନ୍ୟପଟେ ବିଜୁ ଜନତା ଦଳର ପରିଚାଳନା ନେଇ ପୁଣି ସୃଷ୍ଟି କରିଛି ବଡ଼ ପ୍ରଶ୍ନ। କଣ ନେତା କି କର୍ମୀ ନୁହେଁ ବରଂ ସମ୍ପୂର୍ଣ୍ଣ ରୂପେ ସରକାରୀ କର୍ମଚାରୀଙ୍କ ଉପରେ ଭରସା କରୁଛି ବିଜୁ ଜନତା ଦଳ ? ନିକଟରେ ପ୍ରଶାସନିକ ସେବାରୁ ରାଜନୀତି ମଇଦାନକୁ ଲମ୍ଫ ଦେଇଥିବା ଭି. କେ ପାଣ୍ଡିଆନ ତ ବିଜେଡିରେ ଅଫିସର ରାଜର ସବୁଠାରୁ ବଡ଼ ଉଦାହରଣ । ଚାକିରି ଛାଡ଼ିବା ପୂର୍ବରୁ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବାବେଳେ ପ୍ରଚ୍ଛନ୍ନ ଭାବେ ବିଜୁ ଜନତା ଦଳ ପାଇଁ କାମ କରୁଥିବା ବାରମ୍ବାର ହୋଇଥିଲା ଅଭିଯୋଗ। ସରକାରୀ ଅଧିକାରୀ କରୁଛନ୍ତି ବିଜେଡି ପାଇଁ ନିର୍ବାଚନ ପରିଚାଳନା !
ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ତଥା ଆଇପିଏସ୍ ଅଧିକାରୀ ଡି.ଏସ. କୁଟ୍ଟେଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । କେବଳ ପାଣ୍ଡିଆନ, କୁଟ୍ଟେ କିମ୍ବା ରବୀନ୍ଦ୍ର ସେଠୀ ନୁହଁନ୍ତି । ଗତ କିଛି ଦିନ ଭିତରେ ଭାରତୀୟ ନିର୍ବାଚନ ଆୟୋଗ ଓଡ଼ିଶାର 5 ଜଣ ଆଇପିଏସ ଅଫିସର ଏବଂ 2 ଜଣ ଆଇଏଏସ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସେମାନଙ୍କ ବିରୋଧରେ ସରକାରୀ ପଦରେ ଥାଇ ଶାସକ ଦଳ ପାଇଁ କାମ କରୁଥିବା ଅଭିଯୋଗ ହୋଇଥିଲା । ପୁଣି ଏହି ତାଲିକାରେ ଥିବା ଅଫିସରଙ୍କ ମଧ୍ୟରୁ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂଙ୍କୁ ମୁଖ୍ୟମନ୍ତ୍ରୀଙ୍କ ହେଡକ୍ବାର୍ଟରକୁ ବଦଳି କରାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି।
ଅଧିକ ପଢନ୍ତୁ ଓଡିଶା ଖବର
