ନୂଆ ସରକାର ହେବା ପରେ ଟେକ୍ସଟାଇଲ୍ ମିଲ ସମ୍ଭାବନା ବଢିଲା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ପ୍ରଚୁର କପାଚାଷ ହେଉଛି। ଉତ୍ପାଦନ ହେଉଛି ଉନ୍ନତ ମାନର କପା । କପାଚାଷରେ ଅଧିକ ଆୟ ହେଉଥିବାରୁ କପାଚାଷ ପ୍ରତି ବଲାଙ୍ଗିର ଜିଲ୍ଲାର ଚାଷୀମାନେ ଆଗ୍ରହୀ । ପାହାଡିଆ ଢିପ ଜମିରେ କମ୍ ଜଳରେ ଏହି ଅର୍ଥକାରୀ କପାଚାଷ ହୋଇପାରୁଛି। ଜିଲ୍ଲାରେ ଚଳିତ ବର୍ଷ ଏକଲକ୍ଷ ହେକ୍ଟରରେ କପାଚାଷ ହୋଇଛି। କପାଚାଷରେ ହେକ୍ଟର ପ୍ରତି ୩୦ ହଜାର ଖର୍ଚ୍ଚ ହେଉଛି। କପାର ଏମଏସପି ୭୦୨୦ ଟଙ୍କାରେ ବିକ୍ରିକଲେ ୫୦% ଲାଭ ହେଉଛି। ବଲାଙ୍ଗିର ଜିଲ୍ଲାରେ ୧୭ଟି ଗିନିଂ ମିଲ ରହିଥିଲେ ମଧ୍ୟ କିନ୍ତୁ କପାମଞ୍ଜିରୁ ତେଳ ବାହାର କରିବାକୁ କୌଣସି କାରଖାନା ନାହିଁ। ସବୁ ସମ୍ଭାବନା ସତ୍ତ୍ବେ ୨୪ ବର୍ଷ ଭିତରେ ଗୋଟିଏ ବି ଟେକ୍ସଟାଇଲ ମିଲ ପ୍ରତିଷ୍ଠା ହୋଇପାରି ନାହିଁ ।
ରୋଜଗାର ଆଶାରେ ଦାଦନ ଯିବାକୁ ବିଜେଡି ସରକାର ବାଧ୍ୟ କରୁଥିଲେ ବୋଲି କପାଚାଷୀ ଅଭିଯୋଗ କରିଛନ୍ତି । ସେପଟେ ସୋନପୁର ରେ ଥିବା ସୂତାକଳ ବନ୍ଦ ପଡିଛି। ୨୪ ବର୍ଷର ବିଜେଡି ସରକାର ପତନ ପରେ କେବିକେ ଅଞ୍ଚଳରେ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା ପାଇଁ ଆଶା ସଂଚାର ହୋଇଛି। ନିର୍ବାଚନବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହ ପଶ୍ଚିମ ଓଡିଶାାରେ ତିନିଟି ଟେକ୍ସଟାଇଲ ମିଲ୍ ପ୍ରତିଷ୍ଠା ପାଇଁ ଦେଇଥିଲେ ପ୍ରତିଶ୍ରୁତି। ପାଟଣାଗଡରୁ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି. ସିଂହଦେଓ ପ୍ରତିନିଧିତ୍ବ କରୁଥିବାରୁ ଖୁବଶୀଘ୍ର ହୋଇପାରେ ଟେକ୍ସଟାଇଲ ମିଲ୍ । କେବିକେ ଅଞ୍ଚଳରେ ଟେକ୍ସଟାଇଲ ମିଲ ପ୍ରତିଷ୍ଠା ହେଲେ ଲାଭବାନ ହେବେ କପା ଚାଷୀ। ରୋଜଗାର ବଢିବା ସହ ସହ ନିଯୁକ୍ତି ହେବେ ବେକାର ଯୁବକ ଯୁବତୀ। ପଛୁଆଥିବା ପଶ୍ଚିମଓଡିଶା ରାଜ୍ୟ ଅର୍ଥନୀତିରେ ବଡ ଯୋଗଦାନ ରହିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର