ଅଘୋରୀ ବାବାଙ୍କ ସାପ ସହ ନୃତ୍ୟ, ଭାଇରାଲ୍ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ବନ୍ୟଜନ୍ତୁ ସୁରକ୍ଷା ଆଇନକୁ ବେଖାତିର । ମେଳଣରେ ନାଗ ସାପ ଶହ ଖେଳ । ମେଳଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଆସିଥିବା ଜଣେ ଅଘୋରୀ ବେଶଧାରୀ ସାପ ସହ ଖେଳ ଖେଳୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ବନ ବିଭାଗ ପାଖରେ ଏନେଇ ଖବର ନାହିଁ । ନିକଟରେ ଅନୁଷ୍ଠିତ ଛଇତନା ମେଳଣ ଭିଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ଏଠି ଡିଜେର ଧ୍ୱନିରେ ବାଜୁଛି ଶିବଙ୍କ ଭଜନ । ଫାଇବର୍ ନିର୍ମିତ ବୃଷଭ ଉପରେ ବସିଛନ୍ତି ବେଶଧାରୀ ଶିବ ପାର୍ବତୀ । ଶିବ ହାତରେ ଧରିଛନ୍ତି ଜୀବନ୍ତ ନାଗସାପ । ଏହି ନାଗକୁ କେତେବେଳେ ବେକରେ ଗୁଡାଉଛନ୍ତି ତ କେତେବେଳେ ପାଟିରେ ପୁରାଇ କାମୁଡୁଛନ୍ତି । ଏହି ଦୃଶ୍ୟ ଦେଖିବାକୁ ହଜାରହଜାର ଲୋକ ଘେରି ରହୁଛନ୍ତି । ଉତ୍ସାହିତ ହୋଇ ଶିବ ବେଶଧାରୀ ଅଘୋରୀ କେତେବେଳେ ବୃଷଭ ଉପରୁ ତଳକୁ ଓହ୍ଲାଇ ସାପ ସହ ଖେଳୁଛନ୍ତି ତ, ପୁଣି କେତେବେଳେ ଏହାକୁ ଦେଖାଇ ଲୋକଙ୍କୁ ଡରାଉଛନ୍ତି । ହେଲେ ବନବିଭାଗ ପାଖରେ ଏହି ଖବର ନଥିବାରୁ ବିଭାଗର ନିଷ୍କ୍ରିୟତା ପଦାରେ ପଡିଛି ।
📱 Get Argus News App
✨ସେପଟେ ଏଭଳି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏଭଳି ସମ୍ବେଦନଶୀଳ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ । ବନବିଭାଗ ସହ ଯୋଗାଯୋଗ କରାଯାଇ ଆଇନ୍ ଉଲଙ୍ଘନ ହୋଇଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଗତ କିଛିମାସ ତଳେ ରେଭ ପାର୍ଟିରେ ଏଭଳି ଘଟଣା ସୁନାମଧନ୍ୟ ବ୍ୟକ୍ତିଙ୍କୁ ମହଙ୍ଗା ପଡିଥିଲା । ତେବେ ବନ୍ୟଜନ୍ତୁ ସୁରକ୍ଷା ଆଇନ୍ ଅନୁଯାୟୀ ଏହି ଅଘୋରୀ ମାନଙ୍କ ଉପରେ ଓ ଏମାନଙ୍କୁ ଡକାଉଥିବା ଇଭେଣ୍ଟ ମାନଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାହ ଦେଖିବାକୁ ବାକି ରହିଲା ।