ସ୍ବଳ୍ପ ବୃଷ୍ଟିପାତ ଯୋଗୁ ବିଳମ୍ବ ହେଉଛି ଚାଷ କାମ

ଭୁବନେଶ୍ୱର: ଆଷାଢ଼ ଯାଇ ଶ୍ରାବଣ ପଶିଲାଣି, ହେଲେ ଆକାଶରୁ ମେଘ ଉଭାନ। ବର୍ଷା ଅଭାବରୁ ବିଳମ୍ବ ହେଉଛି ଚାଷକାମ। ଏଥିପାଇଁ ଉପକୂଳରୁ ଉପାନ୍ତ ସବୁଠି ଚାଷୀଙ୍କୁ ଘାରିଲାଣି ବର୍ଷା ଚିନ୍ତା। ରାଜ୍ୟରେ ଏବେ ଯାଏ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଆଷାଢ଼ ଯାଇ ଶ୍ରାବଣ ପଶିଲାଣି । ହେଲେ ଆକାଶରୁ ମେଘ ଉଭାନ । କିଛି ଦିନ ପୂର୍ବରୁ ହୋଇଥିବା ବର୍ଷା ଚାଷ କାମ ପାଇଁ ନିଅଣ୍ଟ ପଡୁଛି । ତେଣୁ ଚାଷ କାମ କେମିତି ଆରମ୍ଭ କରିବେ ତାକୁ ନେଇ ଚିନ୍ତାରେ ଚାଷୀ କୂଳ । ଉପକୂଳରୁ ଉପାନ୍ତ ସବୁଠି ଘାରିଛି ବର୍ଷା ଚିନ୍ତା । ନୂଆପଡ଼ା ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ବିଳମ୍ବରେ ଧାନ ବୁଣା ଆରମ୍ଭ କରିଛି ଚାଷୀ । ଜିଲ୍ଲାରେ ଜୁନ ମାସରେ 177.02 ମିମି ବର୍ଷା ହେବା କଥା, ହେଲେ ମାତ୍ର 128.36 ମିମି ବର୍ଷା ହୋଇଛି । ସେହିପରି ଜୁଲାଇ ମାସରେ ଏବେଯାଏ 120.06 ମିମି ବର୍ଷା ରେକର୍ଡ ହୋଇଛି । ସ୍ବାଭାବିକ ଠାରୁ କମ୍ ବର୍ଷା ଯୋଗୁ ଚାଷ କାମ ବିଳମ୍ବରେ ଆରମ୍ଭ କରୁଛି ଚାଷୀ । ଭଦ୍ରକ ଜିଲ୍ଲାରେ ବି ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ କୂଳ ।
ବର୍ଷା ଅଭାବରୁ ଜମି ପଡ଼ିଆ ପଡ଼ିବା ସହ ଗୋରୁ, ଗାଈ ଚରୁଛନ୍ତି । ନିଅଣ୍ଟିଆ ବର୍ଷା ଯୋଗୁ ଚାଷ ଜମିରେ କେହି କେହି ହଳ କରିଛନ୍ତି ଆଉ କିଏ ତଳି ପକାଇ ବସିଛି । ଉପରୁ ବର୍ଷା ନାହିଁ କି ତଳେ ଲିଫ୍ଟରେ ପାଣି ଆସୁନାହିଁ । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ବି ସମାନ ସ୍ଥିତି । ଦିନ ଥିଲା ଏଠି ରଜ ସଂକ୍ରାନ୍ତି ପରେ ପରେ ଜମିରେ ତଳି ପକା ସରୁଥିଲା । ରଥଯାତ୍ରା ପୂର୍ବରୁ ରୁଆ ବିହୁଡା ସରୁଥିଲା । ହେଲେ ଏଥର ରଜ ଯାଇ ବାହୁଡା ଯାତ୍ରା ସରିବାକୁ ବସିଲାଣି । ତଳି ପକାଇବାକୁ ଚାଷୀ ନାକେଦମ । ମେ, ଜୁନ ଓ ଜୁଲାଇ ମାସରେ ନିଅଣ୍ଟିଆ ବର୍ଷା ଏବେ ଚାଷୀଙ୍କ ପାଇଁ ବଡ଼ ସମସ୍ୟା ସାଜିଛି । ରାଜ୍ୟରେ ଏବେଯାଏ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ନିଅଣ୍ଟିଆ ବର୍ଷାକୁ ନେଇ ବାଲେଶ୍ବରରେ ସ୍ଥିତି ଉତ୍କଟ ଥିବା ବେଳେ, ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଯଦି ସିରିଜ ଲଘୁଚାପ ସକ୍ରିୟ ହେଉଛି ତେବେ ରାଜ୍ୟରେ ସ୍ବାଭାବିକ ଠାରୁ ଭଲ ବର୍ଷା ହେବା ସହ ନିଅଣ୍ଟିଆ ବର୍ଷା ଭରଣା ହେବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା । ଯଦି ଆଗକୁ ସିରିଜ ଲଘୁଚାପ ସକ୍ରିୟ ହୁଏ, ତାହାହେଲେ ନିଅଣ୍ଟିଆ ବର୍ଷା ଭରଣା ହେବ । ଆଉ ଚାଷ କାମ ପାଇଁ ଅନୁକୂଳ ସ୍ଥିତି ଆସିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର