Air Pollution / ରାଜଧାନୀରେ ଦିନକୁ ଦିନ ଖସୁଛି ବାୟୁର ମାନ

Key Points
ଦିଲ୍ଲୀ ପରେ ଏବେ ରାଜଧାନୀ ଭୁବନେଶ୍ଵର ପାଇଁ ଚିନ୍ତା । ଦିନକୁ ଦିନ ରାଜଧାନୀରେ ଖସୁଛି ବାୟୁର ମାନ । ଶୁକ୍ରବାର ସକାଳେ କଳିଙ୍ଗ ହସ୍ପିଟାଲ ଛକରେ ଏୟାର କ୍ଵାଲିଟି ଇନଡେକ୍ସ ୩୭୭ ଥିବାବେଳେ ରମାଦେବୀ ବିଶ୍ଵ ବିଦ୍ୟାଳୟ ଛକରେ AQI ୩୬୦ ରହିଛି, ମାଷ୍ଟର କ୍ୟାଣ୍ଟିନ, ଲିଙ୍ଗରାଜ ମନ୍ଦିର, ୟୁନିଟ୍ ୮ ଅଂଚଳରେ AQI ୩୫୦ ଟପିବା ପରେ ପରିବେଶବିତମାନେ ଉଦବେଗ ପ୍ରକାଶ କରିଛନ୍ତି ।
ସୂଚନାନୁଯାୟୀ ଭାରତର ୧୦ଟି ସର୍ବାଧିକ ବାୟୁ ପ୍ରଦୂଷିତ ସହର ତାଲିକାରେ ଓଡ଼ିଶାର ୭ଟି ସହର ସ୍ଥାନ ପାଇଛି । ବାୟୁ ପ୍ରଦୂଷଣରେ ବାଲେଶ୍ୱର ଦେଶର ପ୍ରଥମ ସ୍ଥାନରେ ଥିବାବେଳେ ତାଳଚେର ଦ୍ୱିତୀୟ ଓ ବାରିପଦା ୬ ନମ୍ବରରେ ଅଛି । ତାଳଚେରରେ ଏକ୍ୟୁଆଇ ୩୨୦ ରେକର୍ଡ ହୋଇଥିବା ବେଳେ ପଶ୍ଚିମବଙ୍ଗର ହଳଦିଆରେ ୩୧୬, ପଞ୍ଜାବର ରୂପନଗରରେ ୩୧୧, ବିଶାଖାପାଟନମରେ ୩୦୩ ଏବଂ ବାରିପଦାରେ ଏକ୍ୟୁଆଇ ୩୦୧ ରହିଛି ।
ଡିସେମ୍ବର ମାସରେ ବାଲେଶ୍ଵରର ବାୟୁର ମାନ ବିଗିଡ଼ିବାରେ ଲାଗିଛି । ଗତ ୯ ତାରିଖରେ ପୂରା ଦେଶରେ ସବୁଠାରୁ ଖରାପ ବାୟୁ ତାଲିକାର ଶୀର୍ଷରେ ବାଲେଶ୍ଵର ରହିଥିଲା । ସେହିଦିନ ବାଲେଶ୍ଵର ଦିଲ୍ଲୀକୁ ମଧ୍ୟ ପଛରେ ପକାଇ ଦେଇଥିଲା। ଏବେ ପୁଣିଥରେ ବାଲେଶ୍ଵରର ବାୟୁ ଗୁଣବତ୍ତା AQI ୩୦୦ ପାର୍ କରି ରେଡ୍ ଜୋନ୍ରେ ରହିଛି ।
ସବୁଠାରୁ ଅଧିକ ଧୂଳିକଣା ସନ୍ଧ୍ୟା ୬ଟାରୁ ରାତି ୨ଟା ମଧ୍ୟରେ ଦେଖିବାକୁ ମିଳୁଛି। ଆଜି ଏକ୍ୟୁଆଇ ୩୩୮ ରହିଛି। ଯାହା ‘ଅତ୍ୟନ୍ତ ଖରାପ’ ବର୍ଗରେ ଆସୁଛି । ଏହା ତଳକୁ ତାଳଚେରର ଏକ୍ୟୁଆଇ ୩୨୦ ରହିବା ସହ ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରିଥିଲା। ଦେଶର ଶୀର୍ଷ ଦୁଇଟି ପ୍ରଦୂଷିତ ସହର ଓଡ଼ିଶାରେ ରହିଥିବା ବେଳେ ତୃତୀୟ ସ୍ଥାନରେ ପଶ୍ଚିମବଙ୍ଗର ହଳଦିଆ (୩୧୬), ଚତୁର୍ଥରେ ପଞ୍ଜାବର ରୂପନଗର (୩୧୧), ପଞ୍ଚମରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା (୩୦୩) ଓ ଷଷ୍ଠରେ ଓଡ଼ିଶାର ବାରିପଦାରେ ଏକ୍ୟୁଆଇ ୩୦୧ ରହିଥିଲା ।
ଏଥିସହ ପଢ଼ନ୍ତୁ: ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ଵସ୍ତି: ଉପଭୋକ୍ତାଙ୍କ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର
ଓଡ଼ିଶାର ଆହୁରି ୪ଟି ସହରର ବାୟୁ ପ୍ରଦୂଷଣ ଖରାପ ସ୍ତରରେ ରହିଥିବା ରେକର୍ଡ ହୋଇଛି। ଅନୁଗୁଳରେ ଏକ୍ୟୁଆଇ ୨୭୬, କଟକରେ ୨୬୨, ବ୍ୟାସନଗରରେ ୨୬୦, ଭୁବନେଶ୍ବରରେ ୨୪ ଘଣ୍ଟାର ହାରାହାରି ଏକ୍ୟୁଆଇ ୨୩୯ ରହିଥିଲା। ଏହି ସମୟରେ ଦିଲ୍ଲୀରେ ହାରାହାରି ଏକ୍ୟୁଆଇ ୨୩୪ ରହିଥିଲା। ତେଣୁ ଦିଲ୍ଲୀ ତୁଳନାରେ ଓଡ଼ିଶାର ଅଧିକାଂଶ ସହରର ବାୟୁ ପ୍ରଦୂଷଣ ଅଧିକ ଖରାପ ରହିଥିବା କୁହାଯାଉଛି ।
ଶୀତ ଦିନ ସମୟରେ ସାଧାରଣତଃ ବାୟୁ ପ୍ରଦୂଷଣ ବଢ଼ିଥାଏ । କୁହୁଡ଼ି ଆଉ ଏକ କାରଣ ମଧ୍ୟ । ବିଭିନ୍ନ ସ୍ଥାନରେ ରାସ୍ତା ମରାମତି, ଖୋଳାତଡ଼ା ଚାଲିଥିବା ସମୟରେ ଅତ୍ୟଧିକ ଯାନବାହନ ଚଳାଚଳ ଯୋଗୁଁ ମଧ୍ୟ ବାୟୁର ମାନ ପ୍ରଦୂଷିତ ହୋଇଥାଏ । ପୁଣି କିଛିଦିନ ଭିତରେ ପ୍ରଦୂଷଣ ସ୍ତର କମିଥାଏ । ତଥାପି ପ୍ରଦୂଷଣକୁ ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories