Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଜେପି ସରକାରରେ ଓଡ଼ିଶା ସମେତ ସବୁ ରାଜ୍ୟ ହେବ ୧ ନମ୍ବର

Odisha

ବିଜେପି ସରକାରରେ ଓଡ଼ିଶା ସମେତ ସବୁ ରାଜ୍ୟ ହେବ ୧ ନମ୍ବର

Jitendra Dash
Browse all articles by Jitendra Dash
·1 year ago·4 min read
ବିଜେପି ସରକାରରେ ଓଡ଼ିଶା ସମେତ ସବୁ ରାଜ୍ୟ ହେବ ୧ ନମ୍ବର

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାରରେ ଓଡ଼ିଶା ସମେତ ସବୁ ରାଜ୍ୟକୁ ୧ ନମ୍ବର କରାଯିବ । ପ୍ରଧାନମନ୍ତ୍ରୀ ସବୁ ରାଜ୍ୟକୁ ଏକ ନମ୍ବର କରାଇବେ ବୋଲି ଶନିବାର ଭୁବନେଶ୍ୱର, କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳ ପକ୍ଷରୁ ଆୟୋଜିତ ପୃଥକ ପୃଥକ  ‘କାର୍ଯ୍ୟକର୍ତ୍ତା ସମାବେଶ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୪ ବର୍ଷର ସ୍ଥିର ସରକାର ରହିବା ପରେ ମଧ୍ୟ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ଯେଉଁଭଳି ସ୍ଥିତିରେ ରହିବା କଥା, ସେଭଳି ସ୍ଥିତିରେ ନାହିଁ । ଓଡ଼ିଶାର ବିକାଶ ସବୁ ଦିଗରୁ ନଗଣ୍ୟ ହୋଇଛି । ଲୋକଙ୍କୁ ସାମାନ୍ୟତମ ସୁବିଧା ନାହିଁ । ଏଥିପାଇଁ ପ୍ରଧାନମନ୍ତ୍ରୀ ନିଜେ ଓଡ଼ିଶାର ଜନସାଧାରଣଙ୍କୁ ବିଜେପିକୁ ୫ ବର୍ଷ ସେବା କରିବା ପାଇଁ ସୁଯୋଗ ଦେବାକୁ ନିବେଦନ କରିଛନ୍ତି । ତେବେ  କେବଳ ଓଡ଼ିଶା ନୁହେଁ ବିଜେପି ସରକାରରେ ସବୁ ରାଜ୍ୟକୁ ଏକ ନମ୍ବର କରାଯିବ । ସବୁ ରାଜ୍ୟ ଏକ ନମ୍ବର ହେବ । 

୧୯୩୬ ମସିହାରେ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଗଠନ ହେଲା । ଏହାର ପୂର୍ବରୁ ନଅଙ୍କ ଦୁର୍ଭିକ୍ଷରେ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗିଥିଲା । ସେ ଦୃଷ୍ଟିରୁ ଓଡ଼ିଆ ଜାତିର ବିକାଶ ପାଇଁ ନିଜର ପରିଚୟ, ପ୍ରଶାସନିକ ବ୍ୟବସ୍ଥା କରିବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତି, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ବରପୁତ୍ରମାନେ ଉଦ୍ୟମ କରିଥିଲେ । ଏହି କାରଣରୁ ସେମାନଙ୍କ ପ୍ରଚେଷ୍ଟାରେ ୧୯୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବା ସମ୍ଭବ ହୋଇଥିଲା । ଆଉ ପ୍ରାୟ ୧୨ ବର୍ଷ ପରେ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂତ୍ତି ହେବାକୁ ଯାଉଛି । ତେବେ ଓଡ଼ିଶାରେ ଲୋକ ମିଳିଲେନି, ଜଣେ ଭଡାଟିଆଙ୍କୁ ଆଣି ନେତା କରିଛନ୍ତି, ଯାହା ଦୁଃଖର ବିଷୟ । ଏପରି ସମୟରେ ଜଣେ ବାହାର ରାଜ୍ୟର ଲୋକଙ୍କ ହାତରେ ଶାସନ ଭାର ଦେବା କି ? ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଷ୍ଟ୍ରୀୟ ସଭାପତିଙ୍କୁ ଟୁରିଷ୍ଟ୍ କହୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଲୋକମାନେ ଏଥର ଭୋଟରେ ଉଚିତ୍ ଜବାବ୍ ଦେବେ । ଏହି ଅପମାନ ଲୋକମାନେ ସହିବେ ନାହିଁ  ।   

ମୁଖ୍ୟମନ୍ତ୍ରୀ ଆଜି ନିଜ ନିୟନ୍ତ୍ରଣରେ ନାହାନ୍ତି । ଓଡ଼ିଆ ଅସ୍ମିତା ଆଜି ପ୍ରଶ୍ନବାଚୀରେ ଅଛି । କିଛି ଅଣ ଓଡ଼ିଆ ଓଡ଼ିଶାର ବୀପରିତ ଦିଗରୁ ଆସି ଶାସନ କବଜା କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ଓଡ଼ିଶାର ଭବିଷ୍ୟତ ଓଡ଼ିଆ ପାଖରେ ରହିବ, ଏହା ଲୋକମାନେ ମନସ୍ଥ କରିସାରିଛନ୍ତି । ପ୍ରଜାତନ୍ତ୍ରରେ ଇଂରେଜ ଶାସନ ଚାଲିବ ନାହିଁ । ନାଲିଆଖି ଦେଖାଇ ଡରାଇ ପାରିବେ ନାହିଁ । ଓଡ଼ିଶାରେ ନୂଆ ସରକାର ହେବ । ରାଜ୍ୟରେ ଏକ ଦୃଢ ଓ କଲ୍ୟାଣକାରୀ ବିଜେପି ସରକାର ଗଠନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତମୁଠାକୁ ଟାଣ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ନିର୍ବାଚନ ଆଉ ମାତ୍ର ଅଳ୍ପ ଦିନ ବାକି ଥିବାବେଳେ ନିଜ ବୁଥ୍‌ରୁ ବିଜେପି ସବୁଠୁ ଅଧିକ ଭୋଟ କେମିତି ପାଇବ, ତାହା କାର୍ଯ୍ୟକର୍ତ୍ତା ମାନଙ୍କର ଲକ୍ଷ୍ୟ ହେବା ଦରକାର । 

ଭୁବନେଶ୍ୱରରେ ବିଜୁଳି ମାଗଣା ଦେବେ ବୋଲି କହୁଛନ୍ତି । କିନ୍ତୁ ତାଙ୍କ ସରକାରରେ ଭୁବନେଶ୍ୱରରେ ବିଜୁଳି କାଟ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ପାଣି ମିଳୁନି କି ବିଜୁଳି ମିଳୁନି । ବସ୍ତିବାସିନ୍ଦାଙ୍କୁ ପଟ୍ଟା ଖଣ୍ଡେ ମିଳିନି । କେବଳ ଗୋଟିଏ କାଗଜ ଦେଇଛନ୍ତି । ୨୪ ବର୍ଷ ହେଲା ସାମାନ୍ୟ ପଟ୍ଟା ଖଣ୍ଡେ ଦେଇ ପାରୁନାହାନ୍ତି ସେମାନେ ଏବେ ବିଜୁଳି ମାଗଣା ଦେଇଦେବୁ ବୋଲି ନିର୍ବାଚନ ସମୟରେ କହୁଛନ୍ତି ।  ଗୁମାସ୍ତା ରାଜନୀତି ଛାଡିବା ପରିବର୍ତ୍ତେ ଲୁଟ୍ ନୀତି କରିବା ଛାଡିଲେ ଭଲ ହେବ ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । କଂଗ୍ରେସ ସରକାର ସର୍ବଦା ଓଡ଼ିଶାବାସୀଙ୍କୁ ନିରାଶ କରିଛି । ସେହିପରି ଦୀର୍ଘ ୨୪ ବର୍ଷର ସ୍ଥାଣୁ ଓ ଅପାରଗ ବିଜେଡି  ସରକାରରେ ମଧ୍ୟ ସମାନ ଅବସ୍ଥା । ମୋଦୀ ପର୍ଯ୍ୟାପ୍ତ ଅର୍ଥ ଦେବା ପରେ ବି ବାଲେଶ୍ୱର ଓ କେନ୍ଦ୍ରାପଡା ସମେତ ଅନେକ ସ୍ଥାନରେ ପାନୀୟ ଜଳ, ଜଳସେଚନ, ଶିକ୍ଷା, ଦାଦନ ବଡ ସମସ୍ୟା ଭାବରେ ଉଭା ହୋଇଛି । ଓଡ଼ିଶାରେ ମାଟ୍ରିକ ପରୀକ୍ଷାରେ ଫର୍ମ ପୂରଣ କରି ପ୍ରାୟ ୫୦ ପ୍ରତିଶତ ପିଲାମାନେ ପରୀକ୍ଷା ଦେଉନାହାନ୍ତି । ପ୍ରାୟ ୪୯.୯ ପ୍ରତିଶତ ପିଲାମାନେ ହାଇସ୍କୁଲ ସ୍ତରରେ ଅଧାରୁ ପାଠ ଛାଡୁଛନ୍ତି । ଏତେ ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ମଧ୍ୟ ଲୋକଙ୍କୁ ସାମାନ୍ୟତମ ସୁବିଧା ଯୋଗାଇ ନଥିବା ବ୍ୟକ୍ତିମାନେ ଓଡ଼ିଶାକୁ ଚଲାଇବାର ଦମ୍ଭ ଦେଖାଉଛନ୍ତି । ଏହା ବିରୋଧରେ ଜନଆକ୍ରୋଶ ଦେଖାଯାଇଥିବା ବେଳେ ସାରା ଓଡ଼ିଶା ମୋଦୀମୟ ହୋଇଛି । ଏଥର ନିଶ୍ଚୟ ପରିବର୍ତ୍ତନ ହେବ । ‘କାନ୍ତକବି’, ‘ସନ୍ଥ କବି’ ଓ ‘ସ୍ଵଭାବ କବି’ ମଧ୍ୟରେ ପାର୍ଥକ୍ୟ ଜାଣି ନଥିବା ଲୋକମାନେ କଣ ଓଡ଼ିଶାକୁ ଆଗକୁ ନେବେ କି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

ଅଧିକ ପଢନ୍ତୁ : ଓଡ଼ିଶାରେ ବିଜେପି ୨୧ ରୁ ୨୧ ଲୋକସଭା ଆସନ ଜିତିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଜେଡି ସରକାରରେ କେନ୍ଦ୍ରାପଡାରେ ଶିଳ୍ପ ପ୍ରତିଷ୍ଠାନ କରିବା କେବଳ ପ୍ରତିଶ୍ରୁତିରେ ସୀମିତ । ବିଜେପି ସରକାର ହେଲେ କେନ୍ଦ୍ରାପଡାରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବ । ରୋଜଗାରର ନୂଆ ଧାରା ସୃଷ୍ଟି ହେବ ବୋଲି ସେ କହିଛନ୍ତି । ଦେଶରେ ଏକ ସଶକ୍ତ ଓ ନିର୍ଣ୍ଣାୟକ ସରକାର ଗଠନ ପାଇଁ ବିଜେପି ୪୦୦ରୁ ଅଧିକ ସିଟ୍ ଜିତିବା ଲକ୍ଷ୍ୟରେ ଅଗ୍ରସର ହୋଇଛି । ପିଓକେକୁ ଭାରତକୁ ଆଣିବା, କୋଷ୍ଟାଲ କେନାଲ କରିବା ସହ ବାଲେଶ୍ୱରରେ ଶିଳ୍ପାୟନ କରିବା ପାଇଁ ୪୦୦ ସିଟ୍ ଦରକାର । ଦିଲ୍ଲୀରେ ସଶକ୍ତ ସରକାର, ମଜବୁତ୍ ସରକାର, ନିର୍ଣ୍ଣାୟକ ସରକାର ହେଲେ ଦେଶର ବିକାଶ ହେବ ।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତମୁଠାକୁ ଟାଣ କରି ଦେଶର ସ୍ୱାର୍ଥ ରହିତ ନିଷ୍ପତି ନେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

ଉଲ୍ଲେଖନୀୟ ଯେ, ଆଜି ବାଲେଶ୍ୱର ନିର୍ବାଚନମଣ୍ଡଳୀରେ ଆୟୋଜିତ ରୋଡ ସୋ’ରେ ମଧ୍ୟ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିଥିଲେ । ଦେଶ ଓ ରାଜ୍ୟରେ ମୋଦୀଙ୍କ ନେତୃତ୍ୱରେ ବିଜେପିର ସରକାର କରିବା ପାଇଁ ପଦ୍ମଫୁଲରେ ଭୋଟ୍ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

Sponsored
All states including Odisha will be number 1 under BJP government | Argus News