Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳା

Manini Pattanayak
Browse all articles by Manini Pattanayak
·2 years ago·2 min read
ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳା

 ପୁରୀ:  ବାହୁଡ଼ିଲେ ମହାବାହୁ…..ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳା... ନବଦିନାତ୍ମକ ଯାତ୍ରା ସାରି ନିର ଶ୍ରୀମନ୍ଦିର ସିଂହଦ୍ବାରକୁ ବାହୁଡ଼ିଛନ୍ତି ଶ୍ରୀଜିଉ….ଆଉ ମିଳିବନି ଆଡ଼ପ ଅବଢ଼ା କି ଶରଧାବାଲିରେ ଲାଗିବନି ମେଳା । ଲକ୍ଷାଧିକ ଭକ୍ତଙ୍କ ଗହଳି ଓ ହରିବୋଲ ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଛି ଶରଧାବାଲି ।  ବୁଧବାର ସମ୍ପନ୍ନ ହେବ ମହାପ୍ରଭୁଙ୍କ ସୁନାବେଶ ।  ଶରଧାବାଲିରୁ ସିଂହଦ୍ବାର । ରାତି ପାହୁପାହୁ ଲକ୍ଷଲକ୍ଷ ଭକ୍ତଙ୍କ ଭିଡ଼ । ଘଣ୍ଟଘଣ୍ଟା, ଶଙ୍ଖ ଧ୍ବନିରେ ଫାଟି ପଡ଼ୁଥିଲା ବଡ଼ଦାଣ୍ଡ । ତାରି ଭିତରେ ନାକଚଣା ଦ୍ବାରରେ ତିନି ଠାକୁରଙ୍କ ଅପେକ୍ଷାରେ ଥିଲା ତିନି ରଥ ତ ଆଡ଼ପ ମଣ୍ଡପରୁ ନୀତିକାନ୍ତି ବଢ଼ାଇ ବାହୁଡ଼ିବାକୁ ପ୍ରସ୍ତୁତ ହେଉଥିଲେ କଳାମୁକୁନ୍ଦ ।  ଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତୀ, ମଇଲମ, ରୋଷହୋମ, ତଡପ ଲାଗି, ଅବକାଶ ପୂଜା, ସୂର୍ଯ୍ୟପୂଜା ସମ୍ପନ୍ନ ହେବା ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଖାଇ ମଙ୍ଗଳାର୍ପଣ ଓ ଡୋର ଲାଗି ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେପରେ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଟାହିଆ ହଲାଇ ହଲିଝୁଲି ନନ୍ଦିଘୋଷ ରଥକୁ ଆସିଥିଲେ ଜଗତ ଠାକୁର ଜଗନ୍ନାଥ । ଅନ୍ୟ ରୀତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ।

ଆରମ୍ଭ ହୋଇଥିଲା ଛେରା ପହଁରା । ଏହା ପରେ ପହଞ୍ଚି ଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ । ଅପରାହ୍ନର ଯୁବାବସ୍ଥା ବେଳେ ପ୍ରଥମେ ଘର୍ଘର ନାଦରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା କ୍ଷଣି ଭକ୍ତିରେ ଉଛୁଳି ଉଠିଥିଲା ପରିବେଶ ।  ତାଳଧ୍ବଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ କାଳିଆ ଠାକୁରଙ୍କ ରଥକୁ ଶ୍ରୀମନ୍ଦିର ଆଡ଼କୁ ଟାଣି ନେଇଥିଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ । କିଛି ସମୟ ପାଇଁ ରଥ ଅଟକିଥିଲା ମାଉସୀ ମାଆଙ୍କ ମନ୍ଦିର ଆଗରେ । ପୋଡ଼ପିଠା ଖାଇ ପୁଣି ସିଂହଦ୍ବାର ଅଭିମୁଖେ ବାହାରିଥିଲେ ତିନି ଠାକୁର । ଏହା ପରେ ଶ୍ରୀନଅର ସମ୍ମୁଖରେ ସମ୍ପନ୍ନ ହୋଇଥିଲା ଲକ୍ଷ୍ମୀ ନାରାୟଣ ଭେଟ ।  କେବଳ ଶ୍ରୀକ୍ଷେତ୍ର ନୁହଁ...ଉପାନ୍ତରେ ବି ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଛି । ରାୟଗଡ଼ା କୁହନ୍ତୁ କି କୋରାପୁଟ…ମାଲକାନଗିରି ହେଉ କି କଳାହାଣ୍ଡି... ସେଠି ବି ବାହୁଡ଼ିଛନ୍ତି ମହାବାହୁ । ସମସ୍ତ ନୀତିକାନ୍ତି  ନିର୍ଦ୍ଧାରିତ ସମୟରେ ଶେଷ ହୋଇ ରଥଟଣା ହୋଇଛି। ୯ ଦିନର ଲୀଳାଖେଳା ସାରି ରତ୍ନବେଦୀକୁ ଆସିଛନ୍ତି ୩ ଠାକୁର ।  ବୁଧବାର ରଥ ଉପରେ ଜଗତ ଜନଙ୍କୁ ଏଇ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର । ତା ପରଦିନ ଅଧରପଣା, ଗୁରୁବାର ହେବ ନୀଳାଦ୍ରି ବିଜେ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
All You Need To Know About Festival Marking Lord Jagannath & Siblings' Return From Gundicha | Argus News