ଆଉ କେତେ ଦାଦନଙ୍କ ମୃତ୍ୟୁ ହେଲେ ଚେତିବେ ବିଜେଡି ସରକାର ?

ଅର୍ଗସ ବ୍ୟୁରୋ: ବିଜେଡି ସରକାରଙ୍କ ମିଛ ପ୍ରଚାର, ଧୋକା ଓ ଅପାରଗତାର ଶିକାର ଆଉ ଜଣେ ଓଡ଼ିଆଙ୍କର ଜୁଇ ଜଳିଛି। ରାୟଗଡ଼ା କାଶୀପୁର ଚନ୍ଦ୍ରଗିରି ପଞ୍ଚାୟତ କସନଦର ଗାଁର ଚୈତନ୍ୟ ମାଝୀଙ୍କ ଅକାଳ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଗାଁରେ ଶୋକାକୁଳ ପରିବେଶ। ପରିବାର ପୋଷିବାକୁ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ହଠାତ୍ ଅସୁସ୍ଥ ହେଲେ। ସମ୍ପର୍କୀୟଙ୍କ ସହ ଟ୍ରେନରେ ଫେରିବା ବେଳେ ବିଶାଖାପାଟଣା ରେଳଷ୍ଟେସନରେ ମୃତ୍ୟୁ ହେଲା। ଆମ୍ବୁଲାନ୍ସ ଯୋଗେ ଶବ ଆଣିବାକୁ ନ ଥିଲା ଆର୍ଥିକ ସାମର୍ଥ୍ୟ। ଗାଁ ଲୋକେ ମିଶି ସାହାଯ୍ୟ କଲେ। ତା ପରେ ଯାଇ ଆସିପାରିଲା ଚୈତନ୍ୟଙ୍କ ମୃତଦେହ।
କାଶୀପୁର ବ୍ଲକରେ ଇଏ ସପ୍ତାହକ ଭିତରେ ଦ୍ବିତୀୟ ଦାଦନ ମୃତ୍ୟୁ। ବାହରକୁ ଦାଦନ ଖଟିବାକୁ ଯାଇଥିବା ତଳଝିରି ପଞ୍ଚାୟତ ରାଶିଝିରି ଗାଁର ମଦନ ଗୌଡ଼ଙ୍କର ଗତ ଶୁକ୍ରବାର ମୃତ୍ୟୁ ହୋଇଥିଲା। ମୃତଦେହ ଆଣିବାକୁ ପ୍ରଶାସନ ନିକଟରେ ଆକୁଳ ନିବେଦନ ପରେ ଗାଁରେ ପହଞ୍ଚିଥିଲା ମଦନଙ୍କ ଶବ।
ସାରା ରାଜ୍ୟରୁ ସାମ୍ନାକୁ ଆସୁଛି ଦାଦନ ଯନ୍ତ୍ରଣାର ଏମିତି ମାଳ ମାଳ କାହାଣୀ। ରାଜ୍ୟରେ ଅପାର ସମ୍ଭାବନା ସତ୍ତ୍ବେ ନିଯୁକ୍ତି ଦେବାରେ ବିଫଳ 24 ବର୍ଷ ହେଲା ଶାସନ ଗାଦିରେ ବସିଥିବା ବିଜେଡି ସରକାର। ଆଉ ରାଜ୍ୟ ସରକାରଙ୍କ ବିଫଳତା ଓ ଅପାରଗତା ଯୋଗୁଁ ବଢୁଛି ଓଡ଼ିଶାବାସୀଙ୍କ ଦୁର୍ଦ୍ଦଶା। ତେବେ ଦୁର୍ଭାଗ୍ୟର କଥା ଅପାରଗତା ଢାଙ୍କିବାକୁ ବାହାସ୍ଫଟ ମାରୁଛନ୍ତି ରାଜ୍ୟର ଶ୍ରମମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର