Videos
|
Odisha

ଇଲେକ୍ସନ୍ ପାଇଁ ଜାଣିଶୁଣି ଓଡ଼ିଶା ଗାଁର ନାଁ ବଦଳାଇଲା ଆନ୍ଧ୍ର

Ritu Das
Browse all articles by Ritu Das
·2 years ago·2 min read
ଇଲେକ୍ସନ୍ ପାଇଁ ଜାଣିଶୁଣି ଓଡ଼ିଶା ଗାଁର ନାଁ ବଦଳାଇଲା ଆନ୍ଧ୍ର

ଅର୍ଗସ ବ୍ୟୁରୋ: କୋଟିଆକୁ ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ପରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ ଦୋରାଙ୍କ ଖୋଲାଖୋଲି ଧମକ । କୋଟିଆରୁ ଯାଇଥିବା ନେତା ଓ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଜ ରାଜ୍ୟର ପ୍ରଶାସନକୁ କଲେ ତାଗିଦ । ଗତ ଶୁକ୍ରବାର କୋଟିଆ ଗସ୍ତରେ ଯାଇଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । କୋଟିଆ ପଞ୍ଚାୟତରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ଗୁଡିକର କରିଥିଲେ ସମୀକ୍ଷା । ତେବେ ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ପରେ ପ୍ରତିକ୍ରିୟାଶୀଳ ହୋଇଛି ଆନ୍ଧ୍ର ସରକାର । ଉଭୟ ରାଜ୍ୟରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାରୁ ବିବାଦୀୟ କୋଟିଆକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଯାଇଛି ଛକାପଞ୍ଝା।

ନିର୍ବାଚନ ପାଇଁ କୋଟିଆରେ ବୁଥ ସଂଖ୍ୟା ବଢାଉଛି ଆନ୍ଧ୍ର । ସମୁଦାୟ ୪ ହଜାର ୩୫୩ ଭୋଟରଙ୍କ ତାଲିକା ପ୍ରସ୍ତୁତ କରି କେଉଁ ବୁଥରେ କେତେ ଭୋଟର ରହିବେ, ପ୍ରକାଶ କଲା ଆନ୍ଧ୍ର ସରକାର । ଏପରିକି ଓଡିଶାରୁ ନାଲି ଆଖି ଦେଖାଇବାକୁ ପଛାଇ ନାହାନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା । ସେ କହିଛନ୍ତି, କୋଟିଆରେ ୨୦୧୯ ନିର୍ବାଚନ ବେଳେ ​​ବିବାଦ ସୃଷ୍ଟି କରି ଆନ୍ଧ୍ରର ଭୋଟ ହାର କମାଇଥିଲେ ଓଡିଶା ଅଧିକାରୀ । ତେଣୁ ଏଥର  କୋଟିଆକୁ ଯାଉଥିବା ଓଡିଶାର ଅଧିକାରୀ ମାନଙ୍କ ବିରୋଧରେ କେସ କରିବା ପାଇଁ ଆନ୍ଧ୍ର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି 

ସେପଟେ ନିର୍ବାଚନର ଥିବାରୁ କୋଟିଆ ଅଞ୍ଚଳର ବିଭିନ୍ନ ଗାଁ ଗୁଡିକର ନାଁ ବଦଳାଇବାର ଷଡଯନ୍ତ୍ର କରିଛି ଆନ୍ଧ୍ର । ଥରେ ନଜର ପକାନ୍ତୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ତାଲିକା ଉପରେ । ଫାଟୁସେନେରୀ ଗାଁକୁ ପଟ୍ଟୁଚେନ୍ନାରୁ ଦର୍ଶା ଯାଇଥିବା ବେଳେ, ଗଞ୍ଜେଇପଦର ଗାଁକୁ ଗଞ୍ଜାଇଭଦ୍ର, ନେରେଡିବାଲସା ଗାଁକୁ ନରେଲ୍ଲାଭାଲସା, ତାଡିବାଲସା ଗାଁକୁ ଥାଡିଭାଲସା, ଧୂଳିପଦର ଗାଁକୁ ଧୂଳିଭଦ୍ର, ମାଡକାର ଗାଁକୁ ମୁଡାକାରୁ, ଉପରସେମ୍ବି ଗାଁକୁ ୟେଗୁଭା ସେମ୍ବି ଓ ତଳସେମ୍ବି ଗାଁକୁ ଡିଗୁଭା ସେମ୍ବି ବୋଲି ଦର୍ଶାଇଛି ଆନ୍ଧ୍ର । ଅନ୍ୟପଟେ ଆହୁରି ଚିନ୍ତାଜନକ କଥା ହେଲା, ଗୁଗୁଲ ମ୍ୟାପରେ ମଧ୍ୟ କୋଟିଆ ଆନ୍ଧ୍ରପ୍ରଦେଶ ସୀମା ଭିତରେ ଅଛି ବୋଲି ଦେଖାଉଛି । କିନ୍ତୁ ଏହା ପରେ ବି ଓଡିଶା ସରକାର ନିଦାବିଷ୍ଣୁ ହୋଇ ବସିରହିଛନ୍ତି । ତେବେ ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ।

ପ୍ରାୟ ୩ ବର୍ଷ ତଳେ ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତରେ ଛିଡ଼ା ହୋଇ ଆନ୍ଧ୍ର ପ୍ରଦେଶ ଜଗନ ସରକାରର ମନ୍ତ୍ରୀ ଆପାଲୁ ରାଜୁ ଓଡ଼ିଶା ଅଧିକାରୀଙ୍କୁ ଦେଖାଇଥିଲେ ନାଲିଆଖି । ଓଡ଼ିଶା ସୀମାରେ ଥିଲା ଅଙ୍ଗନବାଡ଼ି କେନ୍ଦ୍ରରୁ ମାଟିରେ ମିଶାଇ ଦେବାକୁ ଖୋଲାଖୋଲି ଦେଇଥିଲେ ଚେତାବନୀ । 
କିନ୍ତୁ ୨୦୨୩ ଉତ୍କଳ ଦିବସରେ କୋଟିଆ ଯାଇ ଆନ୍ଧ୍ରକୁ ମୁହଁତୋଡ଼ ଜବାବ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାକାର ଲୋକଙ୍କ ସମସ୍ୟା ଶୁଣିଥିଲେ। ସୁଖଦୁଃଖ ବୁଝିଥିଲେ । ଆନ୍ଧ୍ର ଅଧିକାରୀଙ୍କୁ ଗୋ ବ୍ୟାକ୍ ଆନ୍ଧ୍ର କହି ଘଉଡାଇ ଦେଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର