ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀଙ୍କ ଗଲା ଜୀବନ

ବାଲେଶ୍ୱର: ସୋର ଥାନା ଆଟପୁର ପଞ୍ଚାୟତ ହଂସୀପାଟଣା ଗ୍ରାମର ଜଣେ ଅଙ୍ଗନବାଡ଼ି କର୍ମୀ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଜୀବନ ହାରିଥିବା ଜଣାପଡ଼ିଛି। ମୃତ କର୍ମୀ ଜଣଙ୍କ ହେଲେ 40 ବର୍ଷୀୟ ଗ୍ରାମର ସବିତା ମହାନ୍ତି। ସବିତା ଗତ ୮ ବର୍ଷ ଧରି ସ୍ଥାନୀୟ ହଂସୀପଟଣା ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟରତ ଥିଲେ। ଆଜି ସକାଳେ କେନ୍ଦ୍ରକୁ ଯାଇଥିବା ବେଳେ ଛୁଟି ପରେ ପିଲାମାନଙ୍କୁ ତାଙ୍କ ଘରେ ଛାଡିଥିଲେ। ସେଠାରୁ ଫେରିବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ।
ପରେ ଅଙ୍ଗନବାଡ଼ି କେନ୍ଦ୍ରରେ ଚାବି ଭିତର ପଟୁ ପଡିଥିବା ଦେଖି ଚାବି ଭାଙ୍ଗିବା ପରେ ସବିତାଙ୍କୁ ଫେନରେ ବେକରେ ରଶି ଲଗାଇ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତର ଖାନାରେ ପହଂଚି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ସବିତାଙ୍କର ୧୭ ବର୍ଷୀୟ ପୁଅ ଗତ ଦୁଇମାସ ତଳେ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ସେବେଠାରୁ ସେ ମାନସିକ ଭାରସାମ୍ୟ ହରାଇ ବସିଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଆଜି କେଉଁ କାରଣରୁ ସେ ଜୀବନ ହାରିଥିବା ସ୍ପଷ୍ଟ ହୋଇନାହିଁ।
ଅଧିକ ପଢନ୍ତୁ ଓଡ଼ିଶା ଖବର