ଦୀର୍ଘ ବର୍ଷ ଧରି ଅଙ୍ଗନବାଡି କେନ୍ଦ୍ରରେ ଝୁଲୁଛି ତାଲା

ଅର୍ଗସ ବ୍ୟୁରୋ: ଅଙ୍ଗନବାଡି କେନ୍ଦ୍ର ଜରିଆରେ ପ୍ରାକ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଗୀତ, ଗପ ଆଉ ନାଚ ଜରିଆରେ ପିଲାମାନେ ପ୍ରାକ ଶିକ୍ଷା ପାଇବା ସହ ସୁଷମ ଖାଦ୍ୟ ଖାଇବେ । କେବଳ ଏତିକି ନୁହେଁ ଅଙ୍ଗନବାଡି ମାଧ୍ୟମରେ ଗର୍ଭବତୀ, ପ୍ରସୂତି ଓ କୁନିକୁନି ଶିଶୁଙ୍କୁ ମଧ୍ୟ ବିଭିନ୍ନ ସହାୟତା ସରକାର ଯୋଗାଇ ଦେଉଛନ୍ତି । ହେଲେ ଏସବୁର ବହୁ ଦୂରରେ ରହିଯାଇଛି ବାସୁଦେବପୁର ବ୍ଲକର ସାନକୃଷ୍ଣପୁର ପଞ୍ଚାୟତର ଚାଳିଶ ଚେନ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର।
ଦୀର୍ଘ ବର୍ଷ ଧରି କେନ୍ଦ୍ରରେ ତାଲା ଝୁଲୁଛି ।
ଫଳରେ ପିଲାମାନେ ପ୍ରାକ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି । ଏଥି ସହ କେନ୍ଦ୍ରରେ ନାମ ଥିବା ହିତାଧିକାରୀଙ୍କୁ ମଧ୍ୟ କୌଣସି ସରକାରୀ ସହାୟତା ମିଳିପାରୁ ନାହିଁ । ଏମିତିକି ଦୀର୍ଘ ବର୍ଷ ଧରି କେନ୍ଦ୍ର ବନ୍ଦ ହେଇ ପଡ଼ିଥିବାରୁ ରକ୍ଷଣାବେକ୍ଷଣ ହେଇ ନ ପାରିବାରୁ ଭୁତ କୋଠି ହେବାକୁ ବସିଲାଣି । ପିଲାରରେ ଫାଟ ପଡିବା ସାଙ୍ଗକୁ ପ୍ଲାଷ୍ଟର ଫାଟି ଆଁ କଲାଣି । କେତେବେଳେ ଯେ ଗଳିପିଡ଼ିବ ଠିକ ନାହିଁ । ଅନ୍ୟପଟରେ କେନ୍ଦ୍ରଟି ଗାଁଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଲୋକଙ୍କ ଗାଡି ମୋଟର ରହିବା ସ୍ଥାନ ପାଲଟିଛି।
କେନ୍ଦ୍ରରେ ପାଖାପାଖି 25ରୁ30 ଜଣ ପିଲା ନାମ ଲେଖାଇଥିଲେ । ପ୍ରତେକ ଦିନ ପିଲା ଆସୁଥିଲେ। ହେଲେ 2ବର୍ଷରୁ ଅଧିକ ସମୟ ଧରି ପ୍ରଶାସନିକ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ବନ୍ଦ ପଡିବା ସହିତ କେନ୍ଦ୍ରରେ ତାଲା ଝୁଲୁଛି । ଫଳରେ ପିଲାମାନେ ପାଠ ପଢିପାରୁ ନାହାନ୍ତି । ଏହା ସହ କୁନି କୁନି ପିଲାଙ୍କ ପିଇବା ପାଣି ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ନଳକୂପ ବୋରିଂ କରାଯାଇଥିଲା । ହେଲେ ସେହି ନଳକୂପ ଅବସ୍ଥା ଟିକେ ଦେଖନ୍ତୁ । କଳଙ୍କି ଧରି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି । ପାଣି ବାହାରିବା ତ ଦୂରର କଥା ନଳକୂପଟି ଭାଙ୍ଗିରୁଜି ଯାଇଛି । ଫଳରେ ଗାଁରେ ଅସନ୍ତୋଷ ବୃଦ୍ଧି ପାଉଛି । ଗାଁରେ ଅଙ୍ଗନବାଡି କେନ୍ଦ୍ର ଥାଇ ହିତାଧିକାରୀଙ୍କୁ କୌଣସି ସରକାରୀ ସୁବିଧା ମିଳୁନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି । କେନ୍ଦ୍ର ଥିଲେ ବି କୁନିକୁନି ପିଲାଙ୍କ ଭବିଷ୍ୟତ ଅନ୍ଧାରରେ ବୋଲି ଅଭିଭାବକ ମାନେ କହିଛନ୍ତି । ଏ ସମ୍ପର୍କରେ ଖୁବ ଶୀଘ୍ର ଏହାର ସମାଧାନ ହେବ ବୋଲି ବିଡିଓ କହିଛନ୍ତି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର