Videos
|
Odisha

AOUTA Executive Committee Meeting / ନିଖିଳ ଓଡିଶା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ ଆୟୋଜିତ

Subhramjit Ray
Browse all articles by Subhramjit Ray
·53 mins ago·3 min read
ନିଖିଳ ଓଡିଶା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ ଆୟୋଜିତ
AOUTA Executive Committee Meeting

Key Points

ବୈଠକରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ସହ ରେଭେନସା ବିଶ୍ୱବିଦ୍ୟାଳୟ, ସମ୍ୱଲପୁର ବିଶ୍ୱବିଦ୍ୟାଳୟ, ଫକିରମୋହନ ବିଶ୍ୱବିଦ୍ୟାଳୟ, ଓୟୁଏଟି ଆଦି ବିଭିନ୍ନ ବିଶ୍ୱବିଦ୍ୟାଳୟର ଶିକ୍ଷକ ସଂଘର ପ୍ରତିନିଧି ଯୋଗ ଦେଇଥିଲେ।

ନିଖିଳ ଓଡ଼ିଶା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ (AOUTA) କାର୍ଯ୍ୟକାରିଣୀ ବୈଠକ ରବିବାର (ସେପ୍ଟମ୍ବର ୨୦) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। କାର୍ଯ୍ୟକାରିଣୀ ପରିଷଦ ଓଡ଼ିଶା ସରକାରଙ୍କୁ ଦୁଇଟି ଦାବି ଉପରେ ତୁରନ୍ତ ବିଚାର କରିବା ପାଇଁ ଅନୁରୋଧ କରିଛି। ପ୍ରଥମତଃ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ପାରିବାରିକ ପେନସନ ସୁବିଧା ପ୍ରଦାନ କରାଯାଉ। ଦ୍ୱିତୀୟତଃ କର୍ମଚାରୀଙ୍କ ଅବସର ବୟସ ୬୦ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି କରାଯାଉ। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ଦୁଇଟି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।

କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ (BUTA) ପକ୍ଷରୁ ଏକ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମଞ୍ଚରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, AOUTA ସଭାପତି ପ୍ରଫେସର ଧର୍ମବ୍ରତ ମହାପାତ୍ର, ସାଧାରଣ ସମ୍ପାଦକ ପ୍ରଫେସର ମନୋରଞ୍ଜନ ମିଶ୍ର, BUTA ସଭାପତି ପ୍ରଫେସର ଜ୍ୟୋତ୍ସ୍ନା ସାହୁ ଏବଂ ଉପସଭାପତି ପ୍ରଫେସର ଜୟନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ। ଅତିଥିଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବା ପରେ ଡକ୍ଟର ନେହା ପାଣ୍ଡେ ଅତିଥି ପରିଚୟ ପ୍ରଦାନ କରିଥିଲେ। BUTA ସଭାପତି ପ୍ରଫେସର ଜ୍ୟୋତ୍ସ୍ନା ସାହୁ ସ୍ୱାଗତ ଭାଷଣ ପ୍ରଦାନ କରି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଶ୍ୱବିଦ୍ୟାଳୟ ଶିକ୍ଷକ ଏବଂ କର୍ମଚାରୀଙ୍କ ସମସ୍ୟା ଉପରେ ସାମୂହିକ ଆଲୋଚନାର ଆବଶ୍ୟକତା ବିଷୟରେ ସେ ଗୁରୁତ୍ୱାରୋପ କରିଥିଲେ।

AOUTA ସାଧାରଣ ସମ୍ପାଦକ ପ୍ରଫେସର ମନୋରଞ୍ଜନ ମିଶ୍ର ବୈଠକର ଆବଶ୍ୟକତା ସମ୍ପର୍କରେ କହିବା ସହ ଅବସର ବିଶ୍ୱବିଦ୍ୟାୟ କର୍ମାଚାରୀଙ୍କ ଅବସର ବୟସ ସୀମା ୬୦ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି କରିବା ପାଇଁ ବିଶ୍ୱବିଦ୍ୟାଳୟ ଶିକ୍ଷକଙ୍କ ଦୀର୍ଘଦିନର ଦାବିକୁ ଉପସ୍ଥାପନ କରିଥିଲେ। ପଡୋଶୀ ରାଜ୍ୟ ସହ ଅନେକ ରାଜ୍ୟରେ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ଅବସର ବୟସ ସୀମା ୬୫ ବର୍ଷ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଅଧିନରେ ଥିବା ବିଶ୍ୱବିଦ୍ୟାଳୟରେ ଏହାକୁ ଲାଗୁ କରିବା ପାଇଁ ସେ ଯୁକ୍ତି ଉପସ୍ଥାପନ କରିଥିଲେ।

AOUTA ସଭାପତି ପ୍ରଫେସର ଧର୍ମବ୍ରତ ମହାପାତ୍ର ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘକୁ ଏକତ୍ରୀତ ଏବଂ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ପାରିବାରିକ ପେନସନ ସୁବିଧା ପ୍ରଦାନ ଏବଂ ଅବସର ବୟସ ୬୦ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି କରିବା ଦାବିର ଯଥାର୍ଥତାକୁ ସେ ଦୋହରାଇ ଥିଲେ। ରାଜ୍ୟ ସରକାର ଏହାକୁ ଗୁରୁତର ସହ ବିଚାର କରି ତୁରନ୍ତ ଲାଗୁ କରିବାକୁ ସେ ଯୁକ୍ତି ଉପସ୍ଥାପନ କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଏହି ପ୍ରସଙ୍ଗର ଗୁରୁତ୍ୱକୁ ଦୋହରାଇବା ସହ ନିଜ ଦାବି ସମ୍ପର୍କରେ ସରକାରଙ୍କ ନିକଟରେ ଏକ ଦୃଢ଼, ସଙ୍ଗଠିତ ଏବଂ ଯୁକ୍ତିସଙ୍ଗତ ମତ ଉପସ୍ଥାପନ କରିବାକୁ ଶିକ୍ଷକ ସଂଘକୁ ପରାମର୍ଶ ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉଦ୍‌ଘାଟନୀ ଅଧିବେଶନ ପରେ BUTA ପକ୍ଷରୁ “ଉଚ୍ଚଶିକ୍ଷାରେ ଅଭିଜ୍ଞତା, ଉତ୍କର୍ଷତା ଓ ସମତା: ଅବସର ବୟସ ଏବଂ ପାରିବାରିକ ପେନସନର ପୁନର୍ବିଚାର” ଶୀର୍ଷକରେ ଏକ ମୁକ୍ତ ଆଲୋଚନା ଆୟୋଜିତ ହୋଇଥିଲା। BUTA ପକ୍ଷରୁ ପ୍ରଫେସର ଅଞ୍ଜନ କୁମାର ପୃଷ୍ଟି ଏବଂ ଡକ୍ଟର ସାରଦା ପ୍ରସାଦ ସାହୁ ବିଷୟଭିତ୍ତିକ ତଥ୍ୟପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର ପ୍ରତିନିଧି ଏହି ଦୁଇଟି ପ୍ରମୁଖ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। BUTA ପକ୍ଷରୁ ସମସ୍ତ ଅତିଥି Syx ମଞ୍ଚାସୀନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। BUTA ଉପସଭାପତି ପ୍ରଫେସର ଜୟନ୍ତ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ଯେ, AOUTA ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟର ଶିକ୍ଷକ ସଂଘ ମିଳିତ ଭାବେ ଏହି ଦୁଇଟି ପ୍ରସ୍ତାବକୁ ବିଧିବଦ୍ଧ ଭାବେ ଲିପିବଦ୍ଧ କରି ଏକ ସପ୍ତାହ ମଧ୍ୟରେ ମାନ୍ୟବର କୁଳାଧିପତି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ପ୍ରେରଣ କରିବେ। ଏହି ଦାବିକୁ ତୁରନ୍ତ ଏବଂ ସହାନୁଭୂତିର ସହ ବିଚାର କରିବାକୁ ଅନୁରୋଧ କରାଯିବ। ଏହାପରେ AOUTA ସାଧାରଣ ପରିଷଦ ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

ବୈଠକରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ସହ ରେଭେନସା ବିଶ୍ୱବିଦ୍ୟାଳୟ, ସମ୍ୱଲପୁର ବିଶ୍ୱବିଦ୍ୟାଳୟ, ଫକିରମୋହନ ବିଶ୍ୱବିଦ୍ୟାଳୟ, ଓୟୁଏଟି ଆଦି ବିଭିନ୍ନ ବିଶ୍ୱବିଦ୍ୟାଳୟର ଶିକ୍ଷକ ସଂଘର ପ୍ରତିନିଧି ଯୋଗ ଦେଇଥିଲେ। ଶ୍ରୀ ସଞ୍ଜୟ ମେହେର ଏବଂ ସୁଶ୍ରୀ ଋତୁ ତିୱାରୀ ବୈଠକର କାର୍ଯ୍ୟକ୍ରମ ପରିଚାଳନା ଏବଂ ସମନ୍ୱୟ କରିଥିଲେ।