ଆସୁଛି ପାର୍ବଣ ଋତୁ, ଗଜାନନଙ୍କ ମୂର୍ତ୍ତି ନିର୍ମାଣ କରିବାରେ ନିମଗ୍ନ କାରିଗର

ଅର୍ଗସ ବ୍ୟୁରୋ: ଆସୁଛି ପାର୍ବଣ ଋତୁ। ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ବିଘ୍ନହର୍ତ୍ତା ପ୍ରଭୁ ଗଜାନନ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛନ୍ତି ମୂର୍ତ୍ତି କାରିଗର l ନୟାଗଡ ଜ଼ିଲ୍ଲା ରଣପୁରରେ ଗଜାନନଙ୍କର ଭଳିକି ଭଳି ମୃଣ୍ମୟ ମୂର୍ତ୍ତି ଗଢିବାରେ ନିମଗ୍ନ କାରିଗର। କିଏ ରଙ୍ଗ ତୁଳୀର ସ୍ପର୍ଶରେ ମୂର୍ତ୍ତିଗୁଡିକୁ ଜୀବନ୍ତ କରାଉଛନ୍ତି ତ ଆଉ କିଏ ମାଟିର ଲେପ ଦେଉଛନ୍ତି। ମୂର୍ତ୍ତି ଶାଳରେ ଗ୍ରାହକଙ୍କ ଚାହିଦା ମୁତାବକ ଚାଲିଛି ଭଳିକି ଭଳି ମୂର୍ତ୍ତି ନିର୍ମାଣ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ 50ରୁ ଉର୍ଦ୍ଧ୍ବ ପ୍ରକାରର ଛୋଟ ବଡ଼ ଗଣେଶଙ୍କର ମୂର୍ତ୍ତି ନିର୍ମାଣ କରି ଗ୍ରାହକଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି କାରିଗର।
ବାଉଁଶ, ନଡ଼ା ମାଟି ଏବଂ ରଙ୍ଗରେ ମୂର୍ତ୍ତି ନିର୍ମାଣ କରାଯାଇଥିବା ବେଳେ ଶହେ ଟଙ୍କାରୁ ଆରମ୍ଭ କରି ତିରିଶ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ମୂର୍ତ୍ତି। ହାତରେ ଆଉ କମ ସମୟ ଥିବାରୁ ମୂର୍ତ୍ତି ନିର୍ମାଣ କରିବାରେ ଦିନରାତି ଏକ କରିଦେଇଛନ୍ତି କାରିଗର l
ଦୁଇ ପଇସା ବ୍ୟବସାୟ ଆଶାରେ ବର୍ଷର ପାର୍ବଣ ଋତୁକୁ ଅପେକ୍ଷା କରିଥାନ୍ତି କାରିଗର ଓ ବ୍ୟବସାୟୀ l ୬ ମାସର ରୋଜଗାର ଓ ଗୁଜୁରାଣ ମେଣ୍ଟେଇବା ପାଇଁ ମୂର୍ତ୍ତି ନିର୍ମାଣ କାମରେ ଲାଗିଛନ୍ତି ଶହ ଶହ କାରିଗର l ଏବର୍ଷ ରଣପୁର ଅଞ୍ଚଳରେ ପାଖାପାଖି 100ରୁ ଉର୍ଦ୍ଧ୍ବ ମଣ୍ଡପରେ ପ୍ରଭୁ ଗଜାନନଙ୍କର ପୂଜା ହେଉଥିବାରୁ ଅଧିକ ଅର୍ଡର ଆସିଥିବା ବେଳେ କମ ମୂଲ୍ୟରେ ମୂର୍ତ୍ତି ବିକ୍ରି ହେଉଥିବା କହିଛନ୍ତି କାରିଗର। ରଣପୁର ବ୍ୟତୀତ ଆଖ ପାଖ ଖୋର୍ଦ୍ଧା, ନୟାଗଡ, ଜଙ୍କିଆ, ଟାଙ୍ଗୀ ଅଞ୍ଚଳରୁ ମୂର୍ତ୍ତି ନିର୍ମାଣ ପାଇଁ ବରାଦ ଆସିଥିବାବେଳେ ଏବର୍ଷ ଭଲ ଦୁଇପଇସା ବ୍ୟବସାୟ ହେବ ବୋଲି ଆଶା କରିଛନ୍ତି ମୂର୍ତ୍ତି କାରିଗର l
📱 Get Argus News App
✨ରଣପୁର ଅଞ୍ଚଳର ଶହ ଶହ ମୂର୍ତ୍ତି କାରିଗର ମୃଣ୍ମୟ ମୂର୍ତ୍ତି ନିର୍ମାଣ କରି ବର୍ଷ ବର୍ଷ ଧରି ପରିବାର ପ୍ରତିପୋଷଣ କରିଆସୁଥିବା ବେଳେ ବୁଡି ଯାଉଥିବା କଳା ସଂସ୍କୃତିକୁ ଉଜ୍ଜୀବିତ କରିବାରେ ସକ୍ଷମ ହୋଇଛନ୍ତି ଏମାନେ l
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର
