Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଯୋଧ୍ୟା ସରୋବରର ନବକଳେବରକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ

Odisha

Ayodhya Sarovar Project / ଅଯୋଧ୍ୟା ସରୋବରର ନବକଳେବରକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ

Sushanta Sahoo
Browse all articles by Sushanta Sahoo
·2 hours ago·3 min read
ଅଯୋଧ୍ୟା ସରୋବରର ନବକଳେବରକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ
₹440 Crore Approved for Ayodhya Sarovar

Key Points

ଝଲସିବ ଅଯୋଧ୍ୟା ସରୋବର
ମହାନଦୀରେ ନିର୍ମାଣ ହେବ ମେଗା ବ୍ୟାରେଜ୍
ବ୍ରିଜ-କମ୍-ବ୍ୟାରେଜ୍ ପ୍ରକଳ୍ପ ପାଇଁ ୪୪୦ କୋଟି ମଞ୍ଜୁର
ଭୁବନେଶ୍ଵର/ସମ୍ବଲପୁର: ସମ୍ବଲପୁର ଅଯୋଧ୍ୟା ସରୋବର ବିକାଶ ପାଇଁ ରାଜ୍ୟ କ୍ୟାବିନେଟରେ ମଞ୍ଜୁର ହେଲା ୪୪୦ କୋଟି ଟଙ୍କା । ବ୍ରିଜ୍-କମ୍-ବ୍ୟାରେଜ୍ ନିର୍ମାଣ ହେବା ସହ ଏଣିକି ନୂଆ ରୂପରେ ଝଲସିବ ଅଯୋଧ୍ୟା ସରୋବର ।

ଏହାଦ୍ୱାରା ସହରରେ ଜଳ ସଂରକ୍ଷଣ, ପର୍ଯ୍ୟଟନ ଓ ଜଳ କ୍ରୀଡ଼ା ପାଇଁ ବଡ଼ ସୁଯୋଗ ସୃଷ୍ଟି ହେବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଳିଷ୍ଠ ଉଦ୍ୟମରେ ଏହି ମେଗା ବିକାଶ କାମ ଆରମ୍ଭ ହେବାକୁ ଯାଉଛି ।

ଏଥିସହ ପଢ଼ନ୍ତୁ: ହୋର୍ଡିଂ ହଟାଇବାକୁ ପ୍ରଶାସନ ଦେଲା ଡେଡଲାଇନ୍, ନ କାଢ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ 

ସଫଳ ହେଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ । ଅଯୋଧ୍ୟା ସରୋବ ହେବ ବିକାଶ । ବ୍ରିଜ୍ କମ୍ ବ୍ୟାରେଜ୍ ନିର୍ମାଣ ହେବ । ଏଥିପାଇଁ ୨୦୨୪ରେ ରାଜ୍ୟରେ ନୂଆ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ସମ୍ବଲପୁର ଗସ୍ତରେ ଯାଇ ଏହି ସ୍ଥାନର ଅନୁଧ୍ୟାନ କରିଥିଲେ । ଅଯୋଧ୍ୟା ସରୋବର ପହଞ୍ଚି ଏହାର ସ୍ଥିତି ନିରୀକ୍ଷଣ କରିଥିଲେ।

ମହାନଦୀର ବିକାଶ ଓ ଏହି ପ୍ରକଳ୍ପ ପାଇଁ ଅନେକ ଉଦ୍ୟମ କରିଥିଲେ । ଏବେ ସେହି ଉଦ୍ୟମର ସୁଫଳ ପାଇବେ ସମ୍ବଲପୁରବାସୀ । ଅଯୋଧ୍ୟା ସରୋବରର ହେବ ନବକଳେବର । ବ୍ରିଜ-କମ୍-ବ୍ୟାରେଜ୍ ନିର୍ମାଣ ହୋଇ ଏହାର ସାମଗ୍ରିକ ବିକାଶ କରାଯିବ । ଏଥିପାଇଁ ରାଜ୍ୟ କ୍ୟାବିନେଟରେ ପ୍ରାୟ ୪୪୦ କୋଟି ୩୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।

ମହାନଦୀ ମାରୱାଡ଼ି ଘାଟ ସ୍ଥିତ ଅଯୋଧ୍ୟା ସରୋବରରୁ ଚାଉରପୁର ବ୍ରିଜ୍ ମଧ୍ୟରେ ୩.୫ ମିଟର ଉଚ୍ଚତା ବିଶିଷ୍ଟ ବ୍ରିଜ-କମ୍-ବ୍ୟାରେଜ୍ ନିର୍ମାଣ ହେବ । ଏହାର ଦୈର୍ଘ୍ୟ ରହିବ ୧.୪୬୦ କିମି ଏବଂ ପ୍ରସ୍ଥ ୭.୫୦ ମିଟର । ବ୍ୟାରେଜ୍ ଉପରେ ହେବ ଡବଲ୍ ଲେନ୍ ରାସ୍ତା ।

ସମ୍ବଲପୁର ଅଯୋଧ୍ୟା ସରୋବର ୧୯୬୦ ଦଶକରେ ନିର୍ମାଣ ହୋଇଥିବା ବେଳେ ଏହା ବର୍ତ୍ତମାନ ଜରାଜୀର୍ଣ୍ଣ ଓ ଭଙ୍ଗା ଅବସ୍ଥାରେ ପଡ଼ି ରହିଥିଲା । ଅନେକ ସ୍ଥାନରେ ଫାଟ ଯୋଗୁଁ ଜଳ ସଂରକ୍ଷଣ ସଠିକ ଭାବେ ହୋଇପାରୁନଥିଲା ।

ଏଥିସହ ପଢ଼ନ୍ତୁ: ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ ୩ ଇଞ୍ଜିନିୟର 

ସୁଦୃଢ଼ ହେବ ଯୋଗାଯୋଗ ଓ ପର୍ଯ୍ୟଟନ: ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲଗାତାର ଉଦ୍ୟମ ଫଳରେ ରାଜ୍ୟ କ୍ୟାବିନେଟରେ ୪୪୦ କୋଟି ଟଙ୍କା ମଞ୍ଜୁର ହେବା ପରେ ସହରବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ପ୍ରକଳ୍ପର ନିର୍ମାଣ କାମ ୩୦ ମାସ ମଧ୍ୟରେ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ଏହା ଦ୍ଵାରା ବ୍ୟାରେଜ୍ ଉପରେ ମହାନଦୀର ଉଭୟ ପାର୍ଶ୍ୱରୁ ଯାତାୟତ ସୁବିଧା ହେବ । ସହରରେ ଜଳ ସଂରକ୍ଷଣ, ପର୍ଯ୍ୟଟନ ଓ ଜଳ କ୍ରୀଡ଼ା ପାଇଁ ବଡ଼ ସୁଯୋଗ ସୃଷ୍ଟି ହେବ ।

ବ୍ରିଜ୍-କମ୍-ବ୍ୟାରେଜ୍ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ପ୍ରାୟ ୪୪୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ମେଗା ପ୍ରକଳ୍ପ ସମ୍ବଲପୁରର ବିକାଶ ଗତିକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ସେ ‘ଏକ୍ସ’ରେ ପ୍ରକାଶ କରିଛନ୍ତି ।


ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ଯୁଗାନ୍ତକାରୀ ପଦକ୍ଷେପ ସମ୍ବଲପୁର ସମେତ ଏହାର ପାର୍ଶ୍ୱବର୍ତ୍ତୀ ସମଗ୍ର ଅଞ୍ଚଳରେ ଯୋଗାଯୋଗ ଓ ଗମନାଗମନ ବ୍ୟବସ୍ଥାକୁ ବେଶ୍ ସୁଦୃଢ଼ କରିବ । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ ହେବା ସହିତ ଭୂତଳ ଜଳସ୍ତର ବୃଦ୍ଧି କରିବାରେ ଏହି ପ୍ରକଳ୍ପ ବେଶ୍ ସହାୟକ ହେବ ।

କେବଳ ସେତିକି ନୁହେଁ, ଜଳସେଚନର ସୁବିଧା ହେବା ଦ୍ୱାରା ସ୍ଥାନୀୟ କୃଷି, ପଶୁପାଳନ ଓ ମତ୍ସ୍ୟ ଚାଷ ସମେତ ଆନୁଷଙ୍ଗିକ ଜୀବିକା ଅଧିକ ସୁଦୃଢ଼ ହେବ ଏବଂ ଅଞ୍ଚଳର ଅର୍ଥନୈତିକ ସମୃଦ୍ଧି ଆଣିବ । ଏହି ପ୍ରକଳ୍ପ କେବଳ ଭିତ୍ତିଭୂମିର ବିକାଶ କରିବ ନାହିଁ, ବରଂ ସମ୍ବଲପୁରର ଐତିହ୍ୟ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ଏକ ନୂଆ ପରିଚୟ ଦେବ ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, "ଏହି ପ୍ରକଳ୍ପଟି ନୌଚାଳନା ଭଳି ପର୍ଯ୍ୟଟନ କାର୍ଯ୍ୟକଳାପକୁ ବ୍ୟାପକ ପ୍ରୋତ୍ସାହନ ଦେବ । ଏହା ସହିତ ଅଞ୍ଚଳର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀ ମନ୍ଦିର ନିକଟରେ ଏକ ସୁନ୍ଦର 'ଆଳତି ଘାଟ' ଭାବେ ଏହାକୁ ବିକଶିତ କରାଯିବ ।"

ଯାହା ଆଗାମୀ ଦିନରେ ସମ୍ବଲପୁରର ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶକୁ ଅଧିକ ରୁଦ୍ଧିମନ୍ତ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ସମ୍ବଲପୁରବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଥିବାରୁ ସେ ଦ୍ୱିଗୁଣିତ ଇଞ୍ଜିନ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored